ଓଡ଼ିଶା

୧୦ ବର୍ଷରେ ୫୭୨ ବନ୍ଦୀଙ୍କର ଅକାଳ ମୃତ୍ୟୁ: କଏଦୀଙ୍କୁ କାଳ ସାଜିଛି ମ୍ୟାଲେରିଆ, ହୃଦ୍‌ରୋଗ, କିଡ୍‌ନୀ ରୋଗ

ଭୁବନେଶ୍ୱର ୧୮/୦୨: ରାଜ୍ୟର ଜେଲ୍ ଏବେ ରୋଗଣା । ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବେ ଏକରକମ ଠପ୍ । ଏକଥା ଆମେ କହୁନୁ ବରଂ ଖୋଦ୍ ଜେଲ୍ ବିଭାଗର ତଥ୍ୟ କହୁଛି । ଅସମୟରେ ଯାଇଛି ଗତ ୧୦ ବର୍ଷ ଭିତରେ ରାଜ୍ୟର ବିଭିନ୍ନ କାରାଗାରରେ ୫୭୨ ଜଣ ବିଚାରାଧୀନ ବନ୍ଦୀ ଓ କଏଦୀଙ୍କ ଜୀବନ । ବନ୍ଦୀ ଓ କଏଦୀମାନେ ଜେଲ୍‌ରେ ରହିବା ଭିତରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି । ଆହୁରି ବି ଚିକିତ୍ସାଧିନ ଅବସ୍ଥାରେ ସେମାନେ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଜେଲ୍ ଭିତରେ ଉପଲବ୍ଧ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯେ ପର୍ଯ୍ୟାପ୍ତ ନୁହେଁ ତାହା ଏହି ପରିସଂଖ୍ୟାନ ଦର୍ଶାଉଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ମ୍ୟାଲେରିଆ, ହୃଦ୍ରୋଗ ଓ କିଡ୍ନୀ ରୋଗରେ ଅଧିକ ସଂଖ୍ୟକ ଜେଲ୍ ଅନ୍ତେବାସୀଙ୍କର ଜୀବନ ଯାଇଛି । ଖାଲି ସେତିକି ନୁହେଁ, ଜେଲ୍ରେ ସୁରକ୍ଷା ବ୍ୟବସ୍ଥା ବି ଏପରି ଦୟନୀୟ ଯେ, ଏହି ସମୟ ଭିତରେ ୩୪ ଜଣ ବନ୍ଦୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏଣୁ ଜେଲ୍‌ରେ ସୁରକ୍ଷା ବ୍ୟବସ୍ଥା ନେଇ ବି ବଡ଼ ପ୍ରଶ୍ନ ଉଠୁଛି । ଏନ୍ସିଆର୍ବି (ନାସ୍ନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ)କୁ ଜେଲ୍ ବିଭାଗ ପ୍ରଦାନ କରିଥିବା ତଥ୍ୟ ଅନୁସାରେ, ୨୦୧୪ରୁ ୨୦୨୩ ମସିହା ଭିତରେ ରାଜ୍ୟର ବିଭିନ୍ନ ଜେଲ୍‌ରେ ମୋଟ ୫୭୨ ଜଣ ବିଚାରାଧୀନ ବନ୍ଦୀ ଓ କଏଦୀଙ୍କର ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି । ସବୁଠାରୁ ଅଧିକ ମୃତ୍ୟୁ ୨୦୧୪ ମସିହାରେ ହୋଇଥିଲା ।

ଏହି ବର୍ଷ ୮୭ ଜଣଙ୍କ ଜୀବନ ଯାଇଥିଲା । ଏହା ପଛକୁ ୨୦୨୦ରେ ୭୫ଜଣ ଓ ୨୦୨୧ରେ ୬୦ ଜଣଙ୍କ ଜୀବନ ଯାଇଛି । ସବୁଠୁ କମ୍ ମୃତ୍ୟୁ ୨୦୧୫ରେ, ଅର୍ଥାତ୍ ୪୫ ଜଣ ବନ୍ଦୀଙ୍କର ହୋଇଥିଲା ।ତେବେ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ଘଟିବା ହାର ଦେଖିଲେ ମ୍ୟାଲେରିଆ ଓ ବ୍ରେନ୍ ମ୍ୟାଲେରିଆରେ ସବୁଠୁ ଅଧିକ ଜୀବନ ଯାଇଥିବା ତଥ୍ୟ କହୁଛି । ୨୪୩ ବନ୍ଦୀଙ୍କର ଏହି ରୋଗରେ ଜୀବନ ଯାଇଛି । ଏହା ପଛକୁ ହୃଦ୍ରୋଗ୍ ବା ହାର୍ଟ ଆଟାକ୍ ପାଇଁ ୮୧ ଜଣ, କିଡ୍ନୀ ରୋଗ ପାଇଁ ୪୦, କର୍କଟ ରୋଗରେ ୨୩, ଟିବି ବା ଯକ୍ଷ୍ମା ରୋଗରେ ୧୮ ଓ ଫୁସ୍‌ଫୁସ୍ ସଂକ୍ରମଣରେ ୧୫ ଜଣଙ୍କ ଜୀବନ ଯାଇଛି ।

ସେହିପରି ବ୍ରେନ୍ ଷ୍ଟ୍ରୋକ୍‌ରେ ୧୪, ଯକୃତ ଜନିତ ରୋଗ ବା ଜଣ୍ଡିସ୍-ଲିଭର୍ ସିରୋସିସ୍ ରୋଗରେ ୧୧, ମାରାତ୍ମକ ଏଡ୍ସରେ ୪ ଓ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଚିନ୍ତାଜନକ ବିଷୟ ହେଉଛି ମ୍ୟାଲେରିଆରେ ଏତେ ସଂଖ୍ୟକ ବନ୍ଦୀଙ୍କ ଜୀବନହାନି । ଏହା ଦର୍ଶାଉଛି ଜେଲ୍ ଭିତରେ ମଶାଙ୍କ ପ୍ରାଦୁର୍ଭାବ ରୋକିବାକୁ ବିଶେଷ କିଛି ପଦକ୍ଷେପ ନିଆଯାଉନି । ଟିବି ରୋଗର ଚିକିତ୍ସା ପାଇଁ ସରକାର ଅଭିଯାନ ଚଳାଇଥିବା ବେଳେ ତାହା ଜେଲ୍ ଅନ୍ତେବାସୀଙ୍କ ପାଖରେ ପହଞ୍ଚି ପାରୁନି ।

ପାଣିର ମାନ ଭଲ ନଥିବାରୁ କିଡ୍‌ନୀ ଜନିତ ରୋଗ ଓ ଝାଡ଼ାବାନ୍ତିରେ ବି ଅକାଳରେ ଜୀବନ ଯାଉଛି । ଜେଲ୍ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ପ୍ରତି ଜେଲ୍‌ରେ ହସ୍ପିଟାଲ୍ ଅଛି । ଡାକ୍ତର, ଫାର୍ମାସିଷ୍ଟ ଓ ନର୍ସିଂ କର୍ମଚାରୀ ଅଛନ୍ତି । ଔଷଧ ପାଇଁ ସ୍ୱତନ୍ତ୍ର ଅର୍ଥ ମଧ୍ୟ ବ୍ୟୟ ବରାଦ ହେଉଛି । କିଛି ପ୍ରମୁଖ ଜେଲ୍କୁ ବିଚାରାଧୀନ ବନ୍ଦୀ ଓ କଏଦୀଙ୍କ ଚିକିତ୍ସା ପାଇଁ ରେଫରାଲ୍ ଜେଲ୍ ଭାବେ ବ୍ୟବହାର କରାଯାଉଛି । ଯାହା ଦ୍ୱାରା ମେଡିକାଲ୍ କଲେଜରେ ବନ୍ଦୀମାନଙ୍କୁ ଉନ୍ନତ ମାନର ଚିକିତ୍ସା ସୁବିଧା ମିଳିପାରିବ । ତଥାପି ଜେଲ୍ ଭିତରେ ଏତେ ସଂଖ୍ୟକ ବନ୍ଦୀଙ୍କ ଜୀବନ ଅକାଳରେ ଝରିଯିବା ଘଟଣା ଜେଲ୍ ବିଭାଗର ପରିଚାଳନାଗତ ତ୍ରୁଟିକୁ ଦର୍ଶାଉଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL