ଓଡ଼ିଶା

୯.୫% ହାରରେ ବଢ଼ିବ ଓଡ଼ିଶା: ମୁଣ୍ଡପିଛା ଆୟ ୩୨ ଲକ୍ଷ ଟଙ୍କା ହେବ, ବହୁମୁଖୀ ଦାରିଦ୍ର୍ୟ ୫%କୁ ଖସିବ

ଭୁବନେଶ୍ବର: ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଆଜି ବିଧାନସଭାରେ ଅଭିଭାଷଣ ‌ଦେଇ ରାଜ୍ୟ ଅର୍ଥନୀତିର ଏକ ଗୋଲାପୀ ଚିତ୍ର ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଭିଜନ୍‌ ଡକ୍ୟୁମେଣ୍ଟ୍‌ ପ୍ରସ୍ତୁତ କରାଯାଇଛି। ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରାଯିବ। ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି)କୁ ରାଜ୍ୟର ଅବଦାନ ବର୍ତ୍ତମାନର ୩ ପ୍ରତିଶତରୁ ବୃଦ୍ଧି ପାଇ ୫ ପ୍ରତିଶତ ହେବ। ରାଜ୍ୟର ବାର୍ଷିକ ଅଭିବୃଦ୍ଧି ହାର ୭ ପ୍ରତିଶତରୁ ବୃଦ୍ଧି ପାଇ ୯.୫ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ‌ସେ କହିଥିଲେ। ସେହିପରି, ୨୦୪୭ ସୁଦ୍ଧା ରାଜ୍ୟର ମୁଣ୍ଡପିଛା ଆୟ ବର୍ତ୍ତମାନର ୧.୮ ଲକ୍ଷ ଟଙ୍କାରୁ ବଢ଼ାଇ ୩୨ ଲକ୍ଷ୍ୟ ଟଙ୍କା କରିବା, ବହୁମୁଖୀ ଦାରିଦ୍ର୍ୟକୁ ୫ ପ୍ରତିଶତକୁ କମାଇବା, ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାରକୁ ୭୦ ପ୍ରତିଶତକୁ ବଢ଼ାଇବା, ଆୟୁ ସୀମାକୁ ୮୦ ବର୍ଷରୁ ଅଧିକ କରିବାକୁ ଲକ୍ଷ୍ୟ ରଖାଯାଇଥିବା ରାଜ୍ୟପାଳ କହିଥିଲେ। ଭିତ୍ତିଭୂମି ବିକାଶ ଉପରେ ସରକାର ଦେଉଥିବା ଗୁରୁତ୍ବ ସମ୍ପର୍କରେ ସେ କହିଥିଲେ ଯେ ୮୩୦୦ କୋଟି ଟଙ୍କାର ରାମେଶ୍ବର-ପାରାଦୀପ ଉପକୂଳ ରାଜପଥ ପ୍ରକଳ୍ପ ଦ୍ବାରା ଦୂରତା ଓ ଯାତ୍ରା ସମୟ ୪୫ ପ୍ରତିଶତ ହ୍ରାସ ପାଇବ। ସେହିପରି ୮୩୦୮ କୋଟି ଟଙ୍କା ବିନିଯୋଗରେ ୬-ଲେନ୍‌ ବିଶିଷ୍ଟ ପ୍ରବେଶ ନିୟନ୍ତ୍ରିତ ନୂଆ କ୍ୟାପିଟାଲ୍‌ ରିଜିଅନ ରିଙ୍ଗ୍‌ ରୋଡ୍‌ ନିର୍ମାଣ ଭୁବନେଶ୍ବର, କଟକ ଓ ଖୋର୍ଦ୍ଧାରେ ଯାନବାହନ ଭିଡ଼ କମାଇବା ସହ ଲଜିଷ୍ଟିକ୍‌ ଖର୍ଚ୍ଚ କମ୍‌ କରିବାରେ ସହାୟକ ହେବ।
ଶିଳ୍ପାୟନ ସମ୍ପର୍କରେ ରାଜ୍ୟପାଳ ଡ. କମ୍ଭମପାଟି କହିଥିଲେ ଯେ ୨୦୨୫ରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସହିତ ୮୫ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରାଯାଇଥିଲା। ଯାହାଫଳରେ ୧.୬୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ବିଭିନ୍ନ ରୋଡ୍‌ ସୋ’ ଜରିଆରେ ସରକାର ୭.୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଆଗ୍ରହ ହାସଲ କରିଛନ୍ତି। ୪.୬୫ ଲକ୍ଷ ନିଯୁକ୍ତି ସମ୍ଭାବନା ଥିବା ୩୪୩ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ୨୦୨୫ ଡିସେମ୍ବର ସୁଦ୍ଧା ୧୬୪୯.୫୧ କୋଟି ଟଙ୍କାର ୨୮୩ଟି ନିବେଶ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷରେ ଶିଳ୍ପ ନୀତି ସଂକଳ୍ପ ଅଧୀନରେ ୧୫୯ଟି ଏମ୍ଏସ୍‌ଏମ୍ଇକୁ ୧୧.୩୪ କୋଟି ଟଙ୍କା, ଏମ୍ଏସ୍‌ଏମ୍‌ଇ ବିକାଶ ନୀତି ଅଧୀନରେ ୭୪ଟି ଏମ୍ଏସ୍‌ଏମ୍‌ଇକୁ ୧୫.୫୧ କୋଟି ଟଙ୍କା ଏବଂ ଖାଦ୍ୟ ପ୍ରକ୍ରିୟାକରଣ ନୀତି ଅଧୀନରେ ୨୧ଟି ଉଦ୍ୟୋଗକୁ ୭.୬୦ କୋଟି ଟଙ୍କାର ସହାୟତା ଦିଆଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟର ରପ୍ତାନି ୫୦,୯୧୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ସେ କହିଥିଲେ ଯେ ଚାରି ବର୍ଷରେ ୨୨୦୦ଟି ବିଦ୍ୟାଳୟ ପାଇଁ ୧୨୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମମତା ଯୋଜନାରେ ୬୮.୪୨ ଲକ୍ଷ ଗର୍ଭବତୀ ଓ ସ୍ତନ୍ୟପାନକାରୀ ମହିଳାଙ୍କ ବ୍ୟାଙ୍କ ଖାତାକୁ ୩୭୬୭ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ୨୦୨୪-୨୫ରେ ରାଜ୍ୟରେ ୧୫୦.୪୮ ଲକ୍ଷ ଟନ୍‌ ଫସଲ ଉତ୍ପାଦନ ହୋଇଛି। ଯାହାକି ୨୦୦୦-୦୧ର ଉତ୍ପାଦନ ତୁଳନାରେ ତିନି ଗୁଣା ଅଧିକ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ୨୦୨୫ ଡିସେମ୍ବର ସୁଦ୍ଧା ୧୫୯.୨୨ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି। ସେତୁ ବନ୍ଧନ ଯୋଜନା ଅଧୀନରେ ୨୧୭ଟି ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ୨୦୨୫ ଡିସେମ୍ବର ସୁଦ୍ଧା ୨୩୦ କିମି ରାସ୍ତା ଓ ୧୪ଟି ସେତୁ ନିର୍ମାଣ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ୧.୮୮ ଲକ୍ଷ ପକ୍କା ଘର ତିଆରି ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ୧.୩୭ ଲକ୍ଷ ଘର ନିର୍ମାଣ କରାଯାଇଥିବା ରାଜ୍ୟପାଳ କହିଥିଲେ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL