ଓଡ଼ିଶା

ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ; ବଦଳିଲା ସେଟ୍, ଓଏମଆର ସିଟରେ ଧଳା ରଙ୍ଗ

ବ୍ରହ୍ମପୁର : ଗଞ୍ଜାମ ଜିଲାରେ ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ଉପୁଜିଛି। ଗୁରୁବାର ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷାର୍ଥୀଙ୍କ ଓଏମଆର ସିଟରେ ଧଳା ରଙ୍ଗ(ହ୍ବାଇଟନର) ମରାଯାଇଥିବା ଦେଖିବାକୁ ମିଳିଥିଲା। କିଛି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଭୂଲ ସେଟ୍ ପ୍ରଦାନ କରାଯିବା ପରେ ପୁଣିଥରେ ଅନ୍ୟ ଏକ ସେଟର ପ୍ରଶ୍ନପତ୍ର ଦିଆଯାଇଥିଲା। ତେବେ ଘଟଣାକୁ ନେଇ ୧୦ରୁ ଅଧିକ ପରୀକ୍ଷାର୍ଥୀ ଶନିବାର ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି। ଓମଏଆର ସିଟରେ ହ୍ବାଇଟନର ଥିବା ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ ପ୍ରକାଶନକୁ ନେଇ ସନ୍ଦେହରେ ରହିଛନ୍ତି।
ବ୍ରହ୍ମପୁର ସହରର ବାବାଜୀତୋଟା ସାହି ଠାରେ ଥିବା କୁଇନ ଅଫ ଦି ମିଶନ ହାଇସ୍କୁଲରେ ୧୯ ତାରିଖ ଗୁରୁବାର ଦିନ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ଏହି ପରୀକ୍ଷା କେନ୍ଦ୍ରରେ ସିଟି ହାଇସ୍କୁଲ, କେସି ହାଇସ୍କୁଲ ଭଳି ବିଭିନ୍ନ ହାଇସ୍କୁଲର ମାଟ୍ରିକ ପରୀକ୍ଷାର୍ଥୀ ଇଂରାଜୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ହଲ ଭିତରକୁ ପ୍ରବେଶ କରିବା ପରେ ସମୟ ଅନୁସାରେ ସମସ୍ତଙ୍କୁ ଓଏମଆର ସିଟ ଓ ପ୍ରଶ୍ନପତ୍ର ସେଟ୍ ପ୍ରଦାନ କରାଯାଇଥିଲା। ଏହାପରେ ପରୀକ୍ଷାର୍ଥୀମାନେ ଉତ୍ତର ଲେଖିବା ଆରମ୍ଭ କରିଥିଲେ। ହେଲେ ପରୀକ୍ଷା ଚାଲିବାର ୨୦ ମିନଟ ପରେ ୧୦ ରୁ ୧୫ ଜଣ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ରର ଓଲଟା ସେଟ୍ ପ୍ରଦାନ କରାଯାଇଥିବା ସମ୍ପର୍କରେ ସେହି କେନ୍ଦ୍ର ଦାୟିତ୍ବରେ ଥିବା ପରୀକ୍ଷା ନିରୀକ୍ଷକ ତଥା ଶିକ୍ଷକମାନେ କହିଥିଲେ। ଶିକ୍ଷକମାନେ ଉକ୍ତ ସେଟକୁ ପରିବର୍ତ୍ତନ କରି ଅନ୍ୟ ଏକ ପ୍ରଶ୍ନପତ୍ର ସେଟ ଦେବା ସହ ପୁଣି ଉତ୍ତର ଲେଖିବାକୁ ପରୀକ୍ଷାର୍ଥୀଙ୍କୁ କହିଥିଲେ। ସେହିପରି ପୂର୍ବରୁ ଲେଖିଥିବା ଉତ୍ତର ଗୁଡ଼ିକକୁ ହ୍ବାଇଟନର୍‌ ମାରି ସଂଶୋଧନ କରିବାକୁ ପରାମର୍ଶ ଦେଇଥିଲେ। ବାଧ୍ୟ ହୋଇ ପରୀକ୍ଷାର୍ଥୀମାନେ ପୁଣି ଥରେ ଉତ୍ତର ଲେଖିଥିଲେ। ଏହା ଦ୍ବାରା ସେହି ପରୀକ୍ଷାର୍ଥୀମାନେ ନିଜର ସମୟ ଅପଚୟ କରିଥିଲେ। ଏପରିକି ସେଥିରୁ କିଛି ପରୀକ୍ଷାର୍ଥୀ ଶତ ପ୍ରତିଶତ ପ୍ରଶ୍ନ ପଢି ତାହାର ଉତ୍ତର ଲେଖିବାକୁ ସମର୍ଥ ହୋଇ ପାରିନଥି​ଲେ।
ପରୀକ୍ଷା ସରିବା ପରେ ସେହି ପରୀକ୍ଷାର୍ଥୀମାନେ ଘରକୁ ଯାଇ ଘଟଣା ସମ୍ପର୍କରେ କହିଥିଲେ। ସିଟି ହାଇସ୍କୁଲର କିଛି ଛାତ୍ର ଓ ସେମାନଙ୍କ ଅଭିଭାବକ ଆଜି ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯା​ଇ ଆଗାମୀ ଦିନରେ ମୂଲ୍ୟାଙ୍କନ ସମୟରେ କୌଣସି ସମସ୍ୟା ନଉପୁଜିବ ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରିଥି​ଲେ। ଏହି ବିଭ୍ରାଟ କରିଥିବା ଉକ୍ତ ପରୀକ୍ଷା କେନ୍ଦ୍ରର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ତେବେ ପରୀକ୍ଷାର୍ଥୀଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରାଯିବା ସହ ପରୀକ୍ଷାର୍ଥୀଙ୍କ ଯେପରି କୌଣସି ପ୍ରକାର ସମସ୍ୟା ନଉପୁଜିବ ସେନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL