ଅନ୍ତର୍ଜାତୀୟ

‘କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଇରାନ’, ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପେଜେସ୍କିଆନଙ୍କ ଖୋଲା ଚ୍ୟାଲେଞ୍ଜ

ତେହେରାନ: ଆମେରିକା ପକ୍ଷରୁ ଆକ୍ରମଣ ଭୟ ବୃଦ୍ଧି ପାଉଥିବା ବେଳେ ଇରାନ ଦେଇଛି ଚ୍ୟାଲେଞ୍ଜ । ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି ଯେ, ଇରାନ ଆମେରିକାର ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ପେଜେସ୍କିଆନଙ୍କ ମନ୍ତବ୍ୟ ଆସିଛି। ଗୋଟିଏ ଦିନ ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ସେ ଇରାନ ଉପରେ ସାମରିକ ଆକ୍ରମଣ ପାଇଁ ବିଚାର କରୁଛନ୍ତି। ଆମେରିକା ଏହାର ଦ୍ୱିତୀୟ ବିମାନ ବାହକ ଜାହାଜ ପଠାଇ ମଧ୍ୟପ୍ରାଚ୍ୟରେ ନିଜର ସାମରିକ ଉପସ୍ଥିତି ବୃଦ୍ଧି କରୁଛି। ଇରାନରେ ପାରାଲିମ୍ପିକ ଦଳର ସଦସ୍ୟମାନଙ୍କୁ ସମ୍ମାନିତ କରିବା ଅବସରରେ ପେଜେସ୍କିଆନ ଆମେରିକାକୁ ଚେତାବନୀ ଦେଇଛନ୍ତି ।

ସେ କହିଛନ୍ତି, ‘ଆମକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିବା ପାଇଁ ବିଶ୍ୱର ଶକ୍ତିମାନେ କାପୁରୁଷ ଭାବରେ ଏକତ୍ରିତ ହେଉଛନ୍ତି। ଯେପରି ଆପଣମାନେ ଅସୁବିଧା ଆଗରେ ମୁଣ୍ଡ ନୁଆଁଇ ନାହଁ, ସେହିପରି ଆମେ ଏହି ସମସ୍ୟା ଆଗରେ ମୁଣ୍ଡ ନୁଆଁଇବୁ ନାହିଁ।’ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆଲୋଚନା ମଧ୍ୟ ପେଜେସ୍କିଆନଙ୍କ ବିବୃତ୍ତି ଚିନ୍ତା ବଢ଼ାଇଛି । ଗତ ସପ୍ତାହରେ ଜେନେଭାରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହୋଇଥିଲା।

ୱାଶିଂଟନ ଏବଂ ତେହେରାନ ଆଲୋଚନାକୁ ସାମଗ୍ରିକ ଭାବରେ ସକାରାତ୍ମକ ବୋଲି ବର୍ଣ୍ଣନା କରିଥିଲେ । କିନ୍ତୁ କୌଣସି ଚୁକ୍ତିରେ ପହଞ୍ଚିପାରି ନଥିଲେ । ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଶୁକ୍ରବାର ଏକ ଟିଭି ସାକ୍ଷାତକାରରେ କହିଥିଲେ ଯେ, ସେମାନେ ଏକ କୂଟନୈତିକ ସମାଧାନର ନିକଟତର। ତେହେରାନ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ୱାଶିଂଟନ ସହିତ ଏକ ଡ୍ରାଫ୍ଟ ଚୁକ୍ତିକୁ ଚୂଡ଼ାନ୍ତ କରିବାକୁ ଯୋଜନା କରୁଛି। ସେ ଯୁଦ୍ଧ ପାଇଁ ପ୍ରସ୍ତୁତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ସେ କହିଥିଲେ, ‘ଆମେ ଆଲୋଚନା ପାଇଁ ଯେପରି ପ୍ରସ୍ତୁତ, ଯୁଦ୍ଧ ପାଇଁ ମଧ୍ୟ ସେପରି ପ୍ରସ୍ତୁତ। ’ ଇରାନ ଉପରେ ଆକ୍ରମଣ କରିବା ନେଇ ଟ୍ରମ୍ପ ଧମକ ପରେ ଆରାଘଚି ଏହି ପ୍ରତିକ୍ରିୟା ଦେଇଥିଲେ । ସେପଟେ ଇରାନ୍ରେ ପୁଣି ଥରେ ସରକାର ବିରୋଧୀ ପ୍ରତିବାଦ ଜୋର ଧରିଛି । ଖାମେନିଙ୍କ ବିରୋଧରେ ଛାତ୍ରମାନେ ରାସ୍ତାକୁ ଓହ୍ଲାଇଛନ୍ତି । ହିଂସ୍ରକ ପ୍ରତିବାଦ ତୀବ୍ର ହେଉଥିବା ବେଳେ, ଆମେରିକା ଏହାର ଫାଇଦା ନେଇପାରେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL