ସୋମବାର ସକାଳେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଦୁଇ ଛାତ୍ର ସଂଗଠନ ପରସ୍ପରକୁ ଆକ୍ରମଣ ଏବଂ ଧମକ ଦେବାର ଅଭିଯୋଗ ଆଣିଛନ୍ତି। ସଂଘର୍ଷରେ ଅନେକ ଛାତ୍ର ଆହତ ହୋଇଥିବା ସୂଚନା।
ସୂଚନା ଅନୁସାରେ କୁଳପତି ଶାନ୍ତିଶ୍ରୀ ଧୂଲିପୁଡ଼ି ପଣ୍ଡିତଙ୍କ ବିରୁଦ୍ଧରେ ଜାତିଆଣ ଆକ୍ଷେପ ଅଭିଯୋଗ କରି ବାମପନ୍ଥୀ ଛାତ୍ର ସଂଗଠନ କିଛିଦିନ ଧରି ପ୍ରତିବାଦ କରିଥିଲେ। ବାମପନ୍ଥୀ ଛାତ୍ର ସଂଗଠନ କୁଳପତିଙ୍କ ବିରୁଦ୍ଧରେ ଶୋଭାଯାତ୍ରା କରିବା ସହ କ୍ଷମା ପ୍ରାର୍ଥନା ଦାବି କରିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶ୍ରେଣୀକକ୍ଷ ମଧ୍ୟ ବର୍ଜନ ଘୋଷଣା କରିଥିଲା ସଂଗଠନ। ଯେତେବେଳେ ପ୍ରତିବାଦକାରୀମାନେ SL–SIS ଲନ୍ ଅଞ୍ଚଳରେ ପ୍ରତିବାଦ କରୁଥିଲେ,ସେତେବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP)ର ସଦସ୍ୟମାନେ ପ୍ରଦର୍ଶନକାରୀଙ୍କ ଉପରେ ପଥର ଓ ଇଟା ଫିଙ୍ଗି ଲାଠିରେ ଆକ୍ରମଣ କରିଥିବା ଅଭିଯୋଗ ଆଣିଛି। ଫଳରେ ବାମପନ୍ଥୀର ଅନେକ ସଦସ୍ୟ ଆହତ ହୋଇଛନ୍ତି। ବାମପନ୍ଥୀ ଆହୁରି ଦାବି କରିଛି ଯେ,ରାତିରେ ଛାତ୍ରମାନଙ୍କୁ କେନ୍ଦ୍ରୀୟ ପାଠାଗାର ଭିତରେ ଆଶ୍ରୟ ନେବାକୁ ବାଧ୍ୟ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ସୁରକ୍ଷା ଏବଂ ପୁଲିସ କର୍ମଚାରୀମାନେ ହସ୍ତକ୍ଷେପ କରିବାରେ ବିଫଳ ହୋଇଛନ୍ତି।
ଅନ୍ୟପଟେ ଆରୋପକୁ ପ୍ରତ୍ୟାଖ୍ୟାନ କରିଛି ଏବିଭିପି। ଏବିଭିପି କହିଛି ଯେ, ବାମପନ୍ଥୀ ଗୋଷ୍ଠୀ ରାତିରେ କ୍ୟାମ୍ପସ ସାରା ହିଂସା ଘଟାଇଛି। ଏବିଭିପି ତାର ସାମାଜିକ ଗଣମାଧ୍ୟମ “ଏକ୍ସ”ରେ ଏକ ପୋଷ୍ଟକରି ଅଭିଯୋଗ କରିଛି ଯେ, ବାୟୋଟେକ୍ନୋଲୋଜି ଛାତ୍ର ପ୍ରତୀକ ଭରଦ୍ୱାଜଙ୍କୁ ଅଗ୍ନି ନିର୍ବାପକ ପାଉଡର ସିଞ୍ଚନ କରି ମାଡ଼ ମାରିଛନ୍ତି ବାମପନ୍ଥୀ ସଦସ୍ୟ। ସାମାଜିକ ବିଜ୍ଞାନ ସ୍କୁଲ ପରିସରରେ ଆକ୍ରମଣ କରାଯାଇଥିଲା। ଏବିଭିପି ଆହୁରି ଦାବି କରିଛି ଯେ ଆକ୍ରମଣ ସମୟରେ ଏକ ଗ୍ୟାସ ସିଲିଣ୍ଡର ମଧ୍ୟ ଖୋଲା ଯାଇଥିଲା ଏବଂ ଆହତ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ପଠାଯାଇଥିଲା। ଏବିଭିପି ନେତା ବୈଭବ ମୀନା ଅଭିଯୋଗ କରିଛନ୍ତି ଯେ ୩୦୦-୪୦୦ ମୁଖାପିନ୍ଧା ବ୍ୟକ୍ତି ଏକାଡେମିକ୍ ବ୍ଲକ ମଧ୍ୟ ଦେଇ ଯାଇଥିଲେ, ଛାତ୍ରଛାତ୍ରୀମାନଙ୍କୁ ପାଠାଗାର ଏବଂ ଶ୍ରେଣୀକକ୍ଷରୁ ବାହାର କରିଦେଉଥିଲେ। ବିଜୟ ନାମକ ଆଉ ଜଣେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ।








