କଟକ: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଶେଷ ହୋଇଛି। ଏଥିରେ କୌଣସି ପରୀକ୍ଷାର୍ଥୀ କପି ଅଭିଯୋଗରେ ବୁକ୍ ବା ଏମ୍ପି ହୋଇନଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ମାଟ୍ରିକ୍ ପରୀକ୍ଷା ଖାତା ଦେଖା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ। ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨ ତାରିଖ ସୁଦ୍ଧା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି। ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି)ଓ ସଂସ୍କୃତ ମଧ୍ୟମା ଖାତା ଦେଖା ପାଇଁ ୩୦ ଟି ଜିଲ୍ଲାରେ ସମୁଦାୟ ୫୦ ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି ।
ଏଥିରୁ ୪୭ଟି ହାଇସ୍କୁଲ୍ରେ ମାଟ୍ରିକ୍ ଖାତା ଦେଖିବା ଲାଗି ବ୍ୟବସ୍ଥା ରହିଥିବା ବେଳେ ଦୁଇଟି କେନ୍ଦ୍ରରେ ଏସ୍ଓଏସସି ଓ ଗୋଟେ କେନ୍ଦ୍ରରେ ମଧ୍ୟମା ଖାତା ଦେଖା ହେବ। ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା କେଉଁ ନୋଡାଲ୍ ସେଣ୍ଟର୍ରୁ ଉତ୍ତର ଖାତାଗୁଡ଼ିକ କେଉଁ ମୂଲ୍ୟାୟନ କେନ୍ଦ୍ରକୁ ଯିବ ସେ ବାବଦରେ ବୋର୍ଡ ପକ୍ଷରୁ ଗୋପନୀୟ ଭାବେ ଟିମ୍ଗୁଡ଼ିକୁ ନିୟୋଜିତ କରାଯାଇଛି।








