ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ବଢୁଥିବା ଆକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ସାମ୍ନାକୁ ଆସିଛି । ମୋଦି କହିଛନ୍ତି, ବିଶ୍ବରେ ଚାଲିଥିବା ଅନେକ ତିକ୍ତତା ପାଇଁ ଭାରତର ଚିନ୍ତାଧାରା ସ୍ପଷ୍ଟ । ଆମେ ସବୁବେଳେ ଶାନ୍ତି ରଖିବା ପାଇଁ କହିଛୁ । ପଶ୍ଚିମ ଏସିଆରେ ବର୍ତ୍ତମାନ ସ୍ଥିତି ଆମ ପାଇଁ ଗଭୀର ଚିନ୍ତାର ବିଷୟ । ଆପୋଷ କଥାବାର୍ତ୍ତା ଏବଂ କୂଟନୈତିକ ସ୍ତରରେ ସମସ୍ୟାର ସମାଧାନ ବାହାର କରାଯାଇପାରିବ । ଏଠାରେ ଥିବା ସମସ୍ତ ଭାରତୀୟଙ୍କ ସୁରକ୍ଷା ପାଇଁ ଆମେ ସମସ୍ତ ଦେଶ ସହିତ ମିଶି କାମ କରିବୁ ।
ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଗୋଟିଏ ପରେ ଗୋଟିଏ ବଡ଼ ଆକ୍ରମଣ କରିଚାଲିଛନ୍ତି । ପ୍ରତିଶୋଧ ସ୍ୱରୂପ ଇରାନ ଇସ୍ରାଏଲ, ୟୁଏଇ, ବାହାରିନ, କତାର ଏବଂ କୁୱେତ ଭଳି ଅନେକ ମଧ୍ୟ-ପ୍ରାଚ୍ୟ ଦେଶ ଉପରେ ମଧ୍ୟ ବଡ଼ଧରଣର ଆକ୍ରମଣ କରିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା କରିବା ପାଇଁ ଟେଲିଫୋନରେ କଥା ହୋଇଛନ୍ତି।





