ନାଗପୁର : ବୁଧବାର ଦିନ ସାରା ଦେଶରେ ଧୁମଧାମରେ ହୋଲି ପାଳନ ହେଉଥିବା ବେଳେ ମହାରାଷ୍ଟ୍ର ନାଗପୁରର କୋରାଡିରେ ଅଘଟଣ ଘଟିଛି । ହୋଲି ଯୋଗୁଁ ଲୋକ ପରସ୍ପରକୁ ରଙ୍ଗ ବୋଳି ଖୁସି ମନାଉଥିବା ବେଳେ ଏକ ଚାରି ବର୍ଷର ଶିଶୁ ରଙ୍ଗ ବୋଳିକା ମହଙ୍ଗା ପଡିଛି । ଜେଜେ ମାଆକୁ ରଙ୍ଗ ମାରିଥିବାରୁ ନାତି ଉପରେ ଗରମ ପାଣି ଢାଳି ଦେଇଛି ଜେଜେ ମାଆ । ଗରମ ପାଣି ପଡିବା ଯୋଗୁଁ ପିଲାଟିର ଦେହ ଫୋଟକା ହୋଇଯାଇଛି । ପିଲାଟିର ଚିକିତ୍ସା ନାଗପୁର ହସପିଟାଲରେ ଚାଲିଛି ।
ଖବର ମୁତାବକ, ନାଗପୁରର କୋରାଡି ଅଞ୍ଚଳ ୪ ବର୍ଷର ଶିଶୁ ଓମ୍ ହରିଶ ଓ୍ୱାଙ୍ଗେ ହୋଲି ଖେଳୁଥିଲେ । ହୋଲି ଥିବାରୁ ରଙ୍ଗ ଧରି ସମସ୍ତଙ୍କୁ କୁନି ହାତରେ ବୋଳୁଥିଲେ । ଏହି ସମୟରେ ଶିଶୁର ଜେଜେ ମାଆ ସିନ୍ଧୁ ଠାକରେ ଘରର ଅଗଣାରେ ପାଣି ଗରମ କରୁଥିଲେ । ଓମ୍ ମଜାରେ ନିଜ ଜେଜେ ମାଆଙ୍କ ଉପରେ ରଙ୍ଗ ପକାଇ ଦେଇଥିଲା । ପିଚକାରୀ ଧରି ସ୍ପ୍ରେ କରିଥିଲେ । ଯାହା ପରେ ମହିଳା ଜଣଙ୍କ ରାଗି ଯାଇଥିଲେ । ନିଜ ନାତି ଉପରେ ଗରଣ ପାଣି ଢାଳି ଦେଇଥିଲେ ।
ଗରମ ପାଣି ପଡିବା ପରେ ପିଲାଟି ଚିତ୍କାର ଶୁଣି ଅନ୍ୟ ସଦସ୍ୟ ଧାଇଁ ଆସି ଓମଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ପିଲାଟିର ଶରୀରର ପ୍ରାୟ ୪୫ ପ୍ରତିଶତ ପୋଡି ଯାଇଥିବା ଡାକ୍ତର କହିଛନ୍ତି । ଖବର ପାଇ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜେଜେ ମାଆଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।






