କଟକ : ପୋକ୍ସୋ ଆଇନରେ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ । ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ କରିବା ମଧ୍ୟ ଯୌନ ନିର୍ଯାତନା। ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜଣେ ନାବାଳିକାଙ୍କ ବକ୍ଷୋଜକୁ ସ୍ପର୍ଶ କରିବା ପକ୍ସୋ ଆାଇନ ଅନୁଯାୟୀ ଗମ୍ଭୀର ଅପରାଧ ବା ଯୌନ ନିର୍ଯାତନା । ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ମଧ୍ୟରେ ସିଧାସଳଖ skin-to-skin contact ବା ଶରୀର ସ୍ପର୍ଶ ହୋଇ ନଥିଲେ ମଧ୍ୟ ଏହା ଅପରାଧ ଶ୍ରେଣୀଭୁକ୍ତ ହେବ।
ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ମାମଲାର ଶୁଣାଣି କରି କହିଛନ୍ତି ଯେ, ଯୌନ ଅଭିସନ୍ଧି ରଖି ଶରୀରର କୌଣସି ଅଙ୍ଗକୁ ସ୍ପର୍ଶ କରିବା ହିଁ ଯୌନ ନିର୍ଯାତନା ପାଇଁ ଯଥେଷ୍ଟ । ପୋଷାକ ଉପରୁ ସ୍ପର୍ଶ କଲେ ଏହା ଅପରାଧ ନୁହେଁ ବୋଲି ଯେଉଁ ଯୁକ୍ତି କରାଯାଉଥିଲା, ତାହାକୁ କୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଏହି ବିଷୟରେ ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ।
ବମ୍ବେ ହାଇକୋର୍ଟଙ୍କ ଏକ ପୁରୁଣା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ପୂର୍ବରୁ ବଦଳାଇ ସାରିଛନ୍ତି । ଏହି ପୁରୁଣା ଧାରଣା ଶିଶୁ ସୁରକ୍ଷା ଆଇନର ବିରୁଦ୍ଧ ଅଟେ । କୋର୍ଟ ଏହି ମାମଲାରେ ଅଭିଯୁକ୍ତର ଦୋଷକୁ କାଏମ ରଖିଛନ୍ତି। ପୋକ୍ସୋ ଆଇନର ଧାରା ୮ ଅନୁଯାୟୀ, ଏହି ଅପରାଧ ପାଇଁ ଅତିକମରେ ୩ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ଜୋରିମାନାର ବ୍ୟବସ୍ଥା ରହିଛି। ଏହି ନିଷ୍ପତ୍ତି ଦ୍ୱାରା ଶିଶୁମାନଙ୍କ ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁତ ହୋଇଛି । କେବଳ ବୈଷୟିକ କାରଣ ଦେଖାଇ ଅପରାଧୀମାନେ ଏବେ ଆଉ ଖସି ପାରିବେ ନାହିଁ ।









