ଓଡ଼ିଶା

ଖୋଲିଲା ବେଲପଡ଼ା ସ୍କୁଲ, ଛାତ୍ର ମୃତ୍ୟୁକୁ ନେଇ ମାସେ ହେଲା ପଡ଼ିଥିଲା ତାଲା

ନୟାଗଡ଼: ମାସେ ପରେ ଖୋଲିଲା ସ୍କୁଲ। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବେଲପଡ଼ାପାଟଣା ବିଦ୍ୟାଳୟରେ ଖୋଲିଲା ତାଲା । ଜିଲ୍ଲାପାଳ, ଏସପି ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ତାଲା ଖୋଲାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ବିଦ୍ୟାଳୟରେ ତାଲା ପକାଇଥିବା ଗୋଷ୍ଠୀର ୧୩ ଜଣଙ୍କୁ ଉଠାଇନେଇଛି ପୋଲିସ । ଛାତ୍ର ମୃତ୍ୟୁକୁ ନେଇ ସ୍କୁଲରେ ତାଲା ପକାଇଥିଲେ ପରିବାର । ଫଳରେ ଅନ୍ୟ ସ୍କୁଲରେ ବାର୍ଷିକ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ ।

ଗତ ଫେବୃଆରୀ ୩ତାରିଖ ଦିନ ପଞ୍ଚମ ଶ୍ରେଣୀ ଛାତ୍ର ଭୋଳାନାଥ ମଲ୍ଲିକ ସ୍କୁଲରୁ ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ । ପରଦିନ ବିଦ୍ୟାଳୟର କିଛି ଦୂରରେ ଥିବା କୂଅରୁ ତାଙ୍କର ମୃତଦେହ ମିଳିଥିଲା । ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ପରିବାର । ନ୍ୟାୟ ଦାବିରେ ୪ ତାରିଖ ଦିନ ସ୍କୁଲରେ ତାଲା ପକାଇଥିଲେ । ଘଟଣାରେ ସ୍କୁଲର ଦୁଇ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ସ୍କୁଲ୍ ଖୋଲିନଥିଲା ।

ଗତ ଶୁକ୍ରବାର ଦିନ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ବ୍ଯବସ୍ଥା କରାଯାଇଥିବାବେଳେ କିଛି ଲୋକ ଏହାକୁ ବିରୋଧ କରି ହାଇସ୍କୁଲରେ ଭଙ୍ଗାରୁଜା କରିବା ସହ ଅଭିଭାବକମାନଙ୍କୁ ଗାଳିଗୁଲଜ କରିଥିଲେ । ଏହାକୁ ବିରୋଧ କରି ବିଦ୍ୟାଳୟ ତୁରନ୍ତ ଖୋଲିବାକୁ ଦାବି କରିଥିଲେ ଶତାଧିକ ଗ୍ରାମବାସୀ । ଶନିବାର ଦିନ ନୟାଗଡ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର କରିବା ସହ ଧାରଣା ଦେଇଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL