ଓଡ଼ିଶା

ଓଡ଼ିଶାର ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ

ଭୁବନେଶ୍ବର: ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତିର ଆକାର ଗତ ଆର୍ଥିକ ବର୍ଷ ଠାରୁ ୯.୫ ପ୍ରତିଶତ ବୃଦ୍ଧି ପାଇ ୯.୯ଲକ୍ଷ କୋଟି ହେବ ବୋଲି ଆଜି ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ୨୦୨୫-୨୬ରେ ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିବା ବେଳେ ଏହା ଗତବର୍ଷ ଠାରୁ ୭.୨ ପ୍ରତିଶତ ଅଧିକ ବୋଲି କୁହାଯାଇଛି। ରାଜ୍ୟରେ ସରକାରୀ ଓ ବେସରକାରୀ ପୁଞ୍ଜିନିବେଶ ବୃଦ୍ଧି ପାଇଥିବାରୁ ଆଗାମୀ ବର୍ଷ ଗୁଡ଼ିକରେ ରାଜ୍ୟ ଦ୍ରୁତ ଆର୍ଥିକ ବୃଦ୍ଧି ହେବ ପାଇଁ ପ୍ରସ୍ତୁତ ରହିଛି।
୨୦୨୫-୨୬ର ଅଗ୍ରୀମ ଆକଳନ ଅନୁଯାୟୀ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ ପହଞ୍ଚିଥିବା ବେଳେ ସର୍ବଭାରତୀୟ ମୁଣ୍ଡପିଛା ଆୟ ୬.୯ ପ୍ରତିଶତ ବୃଦ୍ଧି ପାଇଛି। ଶ୍ରମ ଶକ୍ତି ଓ ମହିଳା ଭାଗିଦାରୀ ବୃଦ୍ଧି ପାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ୨୫-୨୬ରେ ଅର୍ଥ ବ୍ୟବସ୍ଥାରେ ୧୯.୬ ପ୍ରତିଶତ ଆକଳନ କରାଯାଇଥିବା ବେଳେ ଏହା ସର୍ବଭାରତୀୟ ସ୍ତରରେ ଥିବା ୧୬.୮ ପ୍ରତିଶତ ଠାରୁ ଅଧିକ ବୋଲି କୁହାଯାଇଛି। ଖାଦ୍ୟଶସ୍ୟ ଉତ୍ପାଦନରେ ୨୪-୨୫ରେ ସର୍ବାଧିକ ୧୫୦.୫ ଲକ୍ଷ ମେଟ୍ରିକ ଟନ୍‌ କରି ରେକର୍ଡ କରିଛି।
ରାଜ୍ୟରେ ବୃଦ୍ଧି ପାଇଥିବା ଚାଉଳ ଉତ୍ପାଦନକୁ ସମୃଦ୍ଧ କୃଷକ ଯୋଜନା, ସିଏମ୍‌- କି‌ଷାନ୍‌, ଅଧିକ ଏମ୍‌ଏସ୍‌ପି ଓ ଇନ୍‌ପୁଟ ସବ୍‌ସିଡି ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରାଯାଇଛି। କପା, ମକା, ପନିପରିବା, ମସଲା ଆଦି ଅର୍ଥକାରୀ ଫସଲ ବି ବୃଦ୍ଧି ପାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୨୪-୨୫ରେ ପ୍ରାୟ ୨୦ ଲକ୍ଷ ଚାଷୀଙ୍କ ଠାରୁ ୯୨.୬ ଲକ୍ଷ ମେଟ୍ରିକ ଟନ୍‌ ଧାନ କ୍ରୟ କରାଯାଇଥିବା ବେଳେ ଚାଷୀଙ୍କୁ ଏମ୍‌ଏସ୍‌ପି ବାବଦରେ ୨୧,୩୦୦ କୋଟି ଓ ଇନ୍‌ପୁଟ ସବ୍‌ସିଡି ବାବଦରେ ୭୧୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି।
ସେଭଳି କୁଇଣ୍ଟାଲ ପିଛା ୪,୨୯୦ ଟଙ୍କାର ଏମ୍‌ଏସ୍‌ପି ଦରରେ ସରକାର ଚାଷୀଙ୍କ ଠାରୁ ମାଣ୍ଡିଆ କ୍ରୟ କରିଛନ୍ତି। ଜଳସେଚନ କ୍ଷେତ୍ରରେ ଯଥେଷ୍ଟ ପୁଞ୍ଜି ବିନିଯୋଗ କରିଥିବା ବେଳେ ଏହାର କ୍ଷମତା ୭୪.୨ ଲକ୍ଷ ହେକ୍ଟର ଜମିରେ ପହଞ୍ଚିଛି। ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ବି ରାଜ୍ୟ ଅଗ୍ରଗତି କରିଛି। ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଯୋଗଦାନ ୪୧.୩ ପ୍ରତିଶତ ରହିଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୩.୬ଲକ୍ଷ କୋଟି ରହିଛି। ୨୦୨୫ରେ ୨୪୪ଟି ନୂଆ ପ୍ରକଳ୍ପକୁ ସରକାର ମଞ୍ଜୁର କରିଥିବା ବେଳେ ଏଥିରେ ୫.୬୬ ଲକ୍ଷ କୋଟିର ପୁଞ୍ଜିନିବେଶ ସହ ୩.୩୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ପାଇବା ନେଇ ଆକଳନ କରାଯାଇଥିଲା।
ଚଳିତ ବର୍ଷ ୮୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବାବେଳେ ୧.୭୫ ଲକ୍ଷ କୋଟିର ପୁଞ୍ଜିନିବେଶ ସହ ୧.୪ ଲକ୍ଷ ନିଯୁକ୍ତି ସୃଷ୍ଟି କରିଥିଲା। ସବୁଜ ଶକ୍ତି ଓ ଏରୋସ୍ପେସ୍‌ ଭଳି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ସହ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଭିତ୍ତିଭୂମି ପ୍ରସ୍ତୁତ ଜାରି ରହିଛି। ୨୦୨୫-୨୬ ବର୍ଷର ସେବା କ୍ଷେତ୍ରରେ ୯.୩ ପ୍ରତିଶତ ଅଭିବୃଦ୍ଧି ନେଇ ଆକଳନ କରାଯାଇଛି। ଦେଶର ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ଜିଏସ୍‌ଡିପି ଅନୁପାତରୁ ସର୍ବାଧିକ ପୁଞ୍ଜି ବ୍ୟୟବରାଦ ପାଇଁ ଓଡ଼ିଶା ସରକାର ବଜେଟ୍‌ ପ୍ରସ୍ତୁତ କରୁଛି। ରାଜ୍ୟରେ ବନ୍ଦର, ରେଳବାଇ ଓ ବିମାନ ସଂଯୋଗ କ୍ଷେତ୍ରରେ ବି ପୁଞ୍ଜି ବିନିଯୋଗ ସହ ଅଗ୍ରଗତି ଘଟିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସ୍ବାସ୍ଥ୍ୟସେବାକୁ ସୁନିଶ୍ଚିତ କରିବା ପାଇଁ ଏବାବଦ ବ୍ୟୟ ପରିମାଣ ବୃଦ୍ଧି ପାଇବା ସହ ୨୦୨୪-୨୫ ସଂଶୋଧିତ ଆକଳନରେ ୧୯.୭ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ରୋଗୀଙ୍କୁ ନଗଦବିହୀନ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ଆର୍ଥିକ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ଶିକ୍ଷା କ୍ଷେତ୍ରର ବଜେଟ୍‌କୁ ୨୦୨୩-୨୪ରେ ୨୨,୫୨୭କୋଟିରୁ ୨୫-୨୬ରେ ୩୧,୧୮୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ଏହା ୩୮.୪ ପ୍ରତିଶତ ଅଭିବୃଦ୍ଧି ଘଟିଛି। ବିଦ୍ୟାଳୟ ଗୁଡ଼ିକରେ ଭିତ୍ତିଭୂମିର ବିକାଶ କମ୍ପୁଟର ଶିକ୍ଷା, ଶିକ୍ଷକ ନିଯୁକ୍ତି, ପିଟିଆର୍‌ ଆଦି ବୃଦ୍ଧି ପାଇଛି। ମହିଳା ସଶକ୍ତିକରଣ କ୍ଷେତ୍ରରେ ସୁଭଦ୍ରା ଓ ଲକ୍ଷପତି ଦିଦି ଭଳି ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଭଳି ସାମାଜିକ ସମାନତା ଓ କ୍ରୀଡ଼ା କ୍ଷେତ୍ରରେ ବି ବ୍ୟାପକ ପୁଞ୍ଜିନିବେଶ କରାଯାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL