ରାଉରକେଲା: ମଙ୍ଗଳବାର ସକାଳେ ରାଉରକେଲା ଏନ.ଆଇ.ଟି ପରିସରରେ ୫ଟି ହାତୀ ପ୍ରବେଶ କରିଥିବା ବେଳେ ଅନ୍ୟ ୨୧ଟି ହାତୀ ବିଶ୍ରା ବ୍ଲକ ଅଧିନସ୍ଥ ଜାମସେରା ପଞ୍ଚାୟତର ଖାଦାନ ଟୋଲି ଠାରେ ପହଞ୍ଚିଛି। ମାତ୍ର ଏନ.ଆଇ.ଟି ପରିସରରେ ହାତୀ ପ୍ରବେଶ କରିଥିବା ସୂଚନା ପାଇବା ପରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହେଇଛି।
ଏନ.ଆଇ.ଟି କର୍ତ୍ତୃପକ୍ଷଙ୍କ ତରଫରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଛାତ୍ରଛାତ୍ରୀଙ୍କୁ ଅନାବଶ୍ୟକ ଭାବେ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏପଟେ ରାଉରକେଲା ବନ ବିଭାଗର ଏକ ବିଶେଷ ଟିମ୍ ଏନ.ଆଇ.ଟି ପରିସରରେ ଉପସ୍ଥିତ ରହି ହାତୀମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି ।









