ଉତ୍ତରପ୍ରଦେଶ : ଅଯୋଧ୍ୟାକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଆଶ୍ବସ୍ତି ଖବର ଆସିଛି । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରାମ ଜନ୍ମଭୂମି ମନ୍ଦିର ପରିସରରେ ଆଧୁନିକ ଲକର ରୁମର ବ୍ୟବସ୍ଥା କରିବା ଆରମ୍ଭ ହୋଇଛି । ବଢୁଥିବା ଭକ୍ତଙ୍କ ସଂଖ୍ୟା ଏବଂ ଭିଡ଼ ପ୍ରବନ୍ଧନ ଯୋଗୁଁ ପରିସରରେ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଅତ୍ୟାଧୁନିକ ଲକର ରୁମ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।
ଏହି ନୂଆ ବ୍ୟବସ୍ଥାରେ ପ୍ରାୟ ଏକାସାଙ୍ଗରେ ୫୦ ହଜାର ଶ୍ରଦ୍ଧାଳୁ ନିଜେ ନିଜର ଜୋତା-ଚପଲ, ବ୍ୟାଗ୍ ଏବଂ ଅନ୍ୟ ସବୁ ସାମଗ୍ରୀ ସୁରକ୍ଷିତ ଭାବେ ଜମା କରି ରଖିପାରିବେ । ଏହା ପୂର୍ବରୁ ଶ୍ରଦ୍ଧାଳୁମାନେ ସେମାନଙ୍କ ଜିନିଷ ଦାୟିତ୍ବରେ ରଖିବା ପାଇଁ ଖୁବ୍ ଚିନ୍ତାରେ ରହୁଥିଲେ । ରାମ ମନ୍ଦିରରେ ନୂଆ ସୁବିଧା ପାଇଁ ପ୍ରତ୍ୟେକ ଲକର ରୁମ୍ ଟୁକନ୍ ଆଧାରରେ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଯାହା ଜିନିଷପତ୍ର ଜମା ଏବଂ ପୁଣି ନେବା ପାଇଁ ସୁବ୍ୟବସ୍ଥିତ ପ୍ରକ୍ରିୟା ସୁନିଶ୍ଚିତ କରେ । ସୁରକ୍ଷା ସମସ୍ୟାକୁ ରୋକିବା ପାଇଁ ସମସ୍ତ ସ୍ଥାନରେ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।
ଏଥିସହ ପରିସରରେ ଥିବା ଜୋତା ର୍ୟାକ୍ କାର୍ଯ୍ୟ ପ୍ରାୟ ୯୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି । ଯାହାଦ୍ବାରା ତୀର୍ଥଯାତ୍ରୀଙ୍କୁ ଅଧିକ ସୁବିଧା ମିଳିବ । ପ୍ରାଣ ପ୍ରତିଷ୍ଠା ପରେ ପ୍ରତିଦିନ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଭକ୍ତଙ୍କ ସୁରକ୍ଷା ପାଇଁ ଏହି ନୂତନ ବ୍ୟବସ୍ଥାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।
ଅନ୍ୟପଟେ ରାମ ମନ୍ଦିର ଟ୍ରଷ୍ଟର ସହଯୋଗୀ ଶରଦ ଶର୍ମା କହିଛନ୍ତି ଯେ, ଭକ୍ତମାନଙ୍କୁ ଏକ ଭଲ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଟ୍ରଷ୍ଟ ନିରନ୍ତର ସୁବିଧାଗୁଡ଼ିକର ବ୍ୟବସ୍ଥା କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲକର ସୁବିଧା ଭକ୍ତମାନଙ୍କୁ ସେମାନଙ୍କର ଜୋତା ଏବଂ ବ୍ୟାଗକୁ ସୁରକ୍ଷିତ ଭାବରେ ରଖିବାର ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିବ ଏବଂ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁବିଧାଜନକ ଏବଂ ସୁବ୍ୟବସ୍ଥିତ କରିବ ।





