ମାଲକାନଗିରି: ଘର ଆଗରେ ମୃତଦେହ ଛାଡ଼ି ପଳାଇଲେ କମ୍ପାନୀ ମାଲିକ । ଥାନାରେ ଏତଲା । ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଦାଦନ ଖଟିବାକୁ କର୍ଣ୍ଣାଟକ ଯାଇଥିବା ଜଣେ ଶ୍ରମିକଙ୍କ ମୃତଦେହ ବିଳମ୍ବିତ ରାତିରେ ଘର ସମ୍ମୁଖରେ ଛାଡ଼ି ପଳାଇଗଲେ କମ୍ପାନୀ ମାଲିକ । ମୃତକ କାଲିମେଳା ଥାନା ଆମ୍ବାଗୁଡ଼ା ଗାଁର ପଦିଆ ମାଡ଼ି । ୪ ମାସ ପୂର୍ବେ କର୍ଣ୍ଣାଟକର ରାଘବେନ୍ଦ୍ର ବୋରୱେଲ ନାମକ ଘରୋଇ କମ୍ପାନିରେ କାମ କରିବାକୁ ଯାଇଥିଲେ । ମାସିକ ୧୨ ହଜାର ଟଙ୍କା ମଜୁରି ଆଶାରେ ଦାଦନ ଯାଇଥିଲେ ।
ଗତ ଗୁରୁବାର କାମ କରୁଥିବା ବେଳେ ଛାତିରେ ରଡ୍ ପଶିଯବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଘଟଣା ମୃତ୍ୟୁ ସମ୍ପର୍କରେ ପରିବାରକୁ ସୂଚନା ନଦେଇ କମ୍ପାନି ମାଲିକ ଜି. କିଶନ ରାଓ ଓ କର୍ମଚାରୀମାନେ ଅଧରାତିରେ ମୃତଦେହକୁ ଗାଁକୁ ଆଣି ଘର ଆଗରେ ଛାଡ଼ି ପଳାଇଯାଇଥିବା ଅଭିଯୋଗ ହୋଇଛି । ପୋଲିସ ମୃତଦେହ ଜବତ କରିବା ପରେ ପୋଷ୍ଟମର୍ଟମ କରି ତଦନ୍ତ ଆରମ୍ଭ କରିଛି ।






