ଓଡ଼ିଶା

ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇ ଫ୍ଲାଇଂ ସ୍କ୍ୱାଡ୍ ହାତରେ ଧରାପଡ଼ିଲେ ୩ ଶିକ୍ଷକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୈଳାସପୁର ସରକାରୀ ହାଇସ୍କୁଲରେ ଦଶମ ପରୀକ୍ଷା ବେଳେ ଧରାପଡିଲା ଶିକ୍ଷକଙ୍କ କାଣ୍ଡ। ବାହାର ସ୍କୁଲର ୩ ଜଣ ଶିକ୍ଷକଙ୍କୁ କପି ଦେଉଥିବା ଅଭିଯୋଗରେ ଧରିଛି ଫ୍ଲାଇଂ ସ୍କ୍ବାଡ୍‌ । ମାଟ୍ରିକ ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନର ଉତ୍ତର ଡାକୁଥିବା ବେଳେ ଫ୍ଲାଇଙ୍ଗ ସ୍କ୍ୱାଡ୍ ହାତରେ ଧରାପଡ଼ିଛନ୍ତି ୩ ଶିକ୍ଷକ। ଏଥିରେ ଜଣେ ପରୀକ୍ଷା କେନ୍ଦ୍ର ପରିଚାଳକ ଏବଂ ଦୁଇ ଜଣ ଶିକ୍ଷକ ଅଛନ୍ତି ।

ରାୟଗଡ଼ା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନିଙ୍କ ନେତୃତ୍ୱରେ ଫ୍ଲାଇଂ ସ୍କ୍ବାଡ୍‌ ଯାଞ୍ଚ ପାଇଁ କୈଳାଶପୁର ସରକାରୀ ହାଇସ୍କୁଲ ଗସ୍ତ ବେଳେ ସେଠାରେ ବାହାର ସ୍କୁଲର ୩ ଜଣ ଶିକ୍ଷକ ପରୀକ୍ଷା ଦାୟିତ୍ୱରେ ଥିବା ଅନ୍ୟ ଶିକ୍ଷକମାନଙ୍କ ସହିତ ଆଲୋଚନା କରୁଥିବା ଏବଂ ପିଲାଙ୍କୁ କପି ଦେଉଥିବା ଜାଣିବାକୁ ପାଇଥିଲେ। ଏହାପରେ ଉକ୍ତ ୨ ଜଣ ଶିକ୍ଷକଙ୍କ ସମେତ କେନ୍ଦ୍ର ପରିଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ। ଏନେଇ ଚାନ୍ଦିଲି ଥାନାରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।

ଏହି ମାମଲାରେ କୈଳାସପୁର ଏସଏସଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ପରୀକ୍ଷା କେନ୍ଦ୍ର ପରିଚାଳକ ବିଶିକେଶନ ବାଗ, ବଡଖିଲାପଦର ହାଇସ୍କୁଲର ସ୍ବରାଜ ବେହେରା, ଭୋଇମଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶୈଳେନ୍ଦ୍ର ସ୍ବାଇଁଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ଏନେଇ ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ ସୂଚନା ଦେଇଛନ୍ତି। ଏହି ଘଟଣା ବାବଦରେ ପ୍ରମାଣ ସ୍ବରୂପ ସ୍କୁଲର ସିସିଟିଭି ଫୁଟେଜ ମଧ୍ୟ ପ୍ରଦାନ କରାଯାଇଥିବା ଜଣାପଡିଛି।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL