ବାଲେଶ୍ୱର: ରାଜ୍ୟରେ ଏବେ ବି ଥମିନି ଗଞ୍ଜେଇ ଚାଲାଣ। ବାଲେଶ୍ୱର ଜିଲ୍ଲାରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରାପଡିଛନ୍ତି ୨ ବେପାରୀ। ବାଲେଶ୍ୱର-୨ ଓ ବସ୍ତା ଅବକାରୀ ଥାନା ପକ୍ଷରୁ ମଙ୍ଗଳବାର ଅଚାନକ ଚଢାଉ କରାଯାଇଛି । ଦୁଇଟି ବାଇକ ସହ ୭୫ କିଗ୍ରା ଗଞ୍ଜେଇ ଓ ନଗଦ ୪ ଲକ୍ଷ ଟଙ୍କା ଜବତ ହୋଇଛି । ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଦୁମଦୁମା ଥାନା ରଘୁନାଥ ନଗରର କାହ୍ନୁ ଦାସ ଓ ସିଂଲା ଥାନା ଗମ୍ଭାରିଆ ଗ୍ରାମର ସଞ୍ଜିତ ଜେନା ।
ଏ ସମ୍ପର୍କରେ ବିଭାଗ ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ କାହ୍ନୁ ବାଇକ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ୧୬ ନଂ ଜାତୀୟ ରାଜପଥର ହଳଦୀପଦା ନିକଟରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ତାଙ୍କ ନିକଟରୁ ୨୪ କିଗ୍ରା ଗଞ୍ଜେଇ ସହ ବାଇକ ଜବତ ହୋଇଥିଲା । ସେହିପରି ଅଭିଯୁକ୍ତ ସଞ୍ଜିତଙ୍କ ଠାରୁ ଗମ୍ଭାରିଆ ଛକ ନିକଟରୁ ୫୧ କିଗ୍ରା ଗଞ୍ଜେଇ, ବୁଲେଟ ମଟର ସାଇକେଲ ଜବତ କରାଯାଇଥିଲା।





