ବିଶ୍ଵବନ୍ଦିତା ସ୍ୱାଇଁ
ପ୍ରାଚୀନ ଭାରତରେ ଶିକ୍ଷାର ଆରମ୍ଭ ଚାହାଳି, ଚାଟଶାଳି କିମ୍ବା ଗୁରୁକୁଳରୁ ହେଉଥିଲା। ସେତେବେଳେ ଶିକ୍ଷାଦାନର ମୂଳ ଉଦ୍ଦେଶ୍ୟ ଥିଲା ପିଲାର ଅନ୍ତର୍ନିହିତ ଗୁଣର ବିକାଶ, ନୈତିକତା ଏବଂ ଜ୍ଞାନ ଆହରଣ। କିନ୍ତୁ ଆଜିର ପରିବର୍ତ୍ତିତ ଆଧୁନିକ ଯୁଗରେ ପ୍ରାରମ୍ଭିକ ଶିକ୍ଷା ବା ‘ପ୍ରି-ସ୍କୁଲ’ ଶିକ୍ଷା ଏକ ଅତ୍ୟାଧୁନିକ, ସୁବିଧାପୂର୍ଣ୍ଣ ଏବଂ ଅତ୍ୟନ୍ତ ମହଙ୍ଗା ବ୍ୟବସାୟିକ ବ୍ୟବସ୍ଥାରେ ପରିଣତ ହୋଇସାରିଛି। ଶିକ୍ଷାର ମାନ ଏବଂ ଆବଶ୍ୟକତାରେ ଏପରି ଏକ ଆକାଶପାତାଳ ପରିବର୍ତ୍ତନ ଆସିଛି, ଯାହା ମଧ୍ୟବିତ୍ତ ପରିବାରଗୁଡ଼ିକ ପାଇଁ ଏକ ବଡ଼ ଆର୍ଥିକ ଓ ମାନସିକ ଯୁଦ୍ଧକ୍ଷେତ୍ର ପାଲଟିଛି।
ସାମ୍ପ୍ରତିକ ସମୟରେ ପ୍ରି-ସ୍କୁଲଗୁଡ଼ିକର ବାର୍ଷିକ ଫି’ ଦେଖିଲେ ଯେକୌଣସି ମଧ୍ୟବିତ୍ତ ଅଭିଭାବକଙ୍କର ହୋଶ୍ ଉଡ଼ିଯିବା ସ୍ୱାଭାବିକ। ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ଟ୍ୱିଟର)ରେ ଜଣେ ଯୁବତୀ ସେୟାର କରିଥିବା ସୂଚନା ଅନୁସାରେ, ବେଙ୍ଗାଲୁରୁର ଏକ ସ୍କୁଲରେ ସିନିୟର କେଜି ପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବାର୍ଷିକ ଫି’ ଅଢ଼େଇ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିରେ ଟ୍ୟୁସନ ଫି’, ଆଡମିସନ ଫି’ ଏବଂ ସ୍କୁଲ ଡେଭଲପମେଣ୍ଟ ଫି’ ସାମିଲ ରହିଛି। ‘ଏଜୁକେସନୱାର୍ଲ୍ଡ ଇଣ୍ଡିଆ’ ରିପୋର୍ଟ ଅନୁଯାୟୀ, ଭାରତର ମେଟ୍ରୋ ସହରଗୁଡ଼ିକରେ ବେସରକାରୀ ପ୍ରି-ସ୍କୁଲର ଫି’ ବାର୍ଷିକ ₹୧.୨ ଲକ୍ଷରୁ ₹୨.୫ ଲକ୍ଷ ମଧ୍ୟରେ ରହୁଥିବା ବେଳେ, ଅଭିଜାତ ସ୍କୁଲଗୁଡ଼ିକରେ ଏହା ₹୪ ରୁ ₹୫ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଯାଉଛି। ଓଡ଼ିଶାରେ ଭୁବନେଶ୍ୱର ଓ କଟକ ଭଳି ସହରରେ ମଧ୍ୟ LKG ଓ UKG ପାଠପଢ଼ା ପାଇଁ ବାର୍ଷିକ ₹୯୭,୫୦୦ ରୁ ₹୧.୭୬ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି।
ଏହି ଖର୍ଚ୍ଚ ପଛରେ ସ୍କୁଲ କର୍ତ୍ତୃପକ୍ଷ ଅନେକ କାରଣ ଦର୍ଶାନ୍ତି। ସହରାଞ୍ଚଳରେ ମହଙ୍ଗା ଜମିର ମୂଲ୍ୟ, ଏସି ସ୍ମାର୍ଟ କ୍ଲାସରୁମ୍, ସିସିଟିଭି ସୁରକ୍ଷା ଏବଂ ପ୍ରତି ୮-୧୦ ଜଣ ପିଲାଙ୍କ ପାଇଁ ଜଣେ ସ୍ୱତନ୍ତ୍ର ଶିକ୍ଷକ ରଖିବାର ବ୍ୟବସ୍ଥା ଭଳି ଭିତ୍ତିଭୂମିକୁ ମୁଖ୍ୟ କାରଣ ଭାବେ ଦର୍ଶାଯାଏ। ଏହା ସହିତ ସହରମୁଖୀ ପ୍ରବୃତ୍ତି ଯୋଗୁଁ ପ୍ରି-ସ୍କୁଲଗୁଡ଼ିକରେ ସିଟ୍ ସୀମିତ ଓ ଚାହିଦା ଅଧିକ ରହୁଛି।
ଶିକ୍ଷା ଅଧିକାର ଆଇନର ଧାରା ୧୩ ଅନୁଯାୟୀ କ୍ୟାପିଟେସନ୍ ଫି ଆଦାୟ କରିବା ସମ୍ପୂର୍ଣ୍ଣ ଆଇନ ବିରୋଧୀ। ତଥାପି, ନିୟମଗୁଡ଼ିକୁ ଏଡ଼ାଇବା ପାଇଁ ସ୍କୁଲଗୁଡ଼ିକ ‘ସ୍ୱେଚ୍ଛାକୃତ ଦାନ’ କିମ୍ବା ‘ଡେଭଲପମେଣ୍ଟ ଫିସ୍’ ନାମରେ ଏହି ଟଙ୍କା ଆଦାୟ କରୁଛନ୍ତି। ପିଲାର ନାମଲେଖା ସୁଯୋଗ ହାତଛଡ଼ା ହୋଇଯିବା ଭୟରେ ଅଭିଭାବକମାନେ ନୀରବରେ ଏହି ଗୁରୁଭାର ବହନ କରୁଛନ୍ତି। ଶିକ୍ଷା ନୀତି ବିଶ୍ଳେଷକ ଡଃ ମୀତା ସେନଗୁପ୍ତାଙ୍କ ମତରେ, ଆଜିର ନର୍ସରୀ ପାଠପଢ଼ା ଖର୍ଚ୍ଚ ସରକାରୀ କଲେଜ ପାଠପଢ଼ା ଖର୍ଚ୍ଚ ସହ ସମାନ ହୋଇଗଲାଣି।
ଆଜିକାଲି ଅନେକ ବିଦ୍ୟାଳୟ ପ୍ରାରମ୍ଭିକ ଶିକ୍ଷାରୁ ରୋବୋଟିକ୍ସ ଏବଂ ୟୁପିଏସି/ଆଇଏଏସ ପରି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ “ଫାଉଣ୍ଡେସନ୍ କୋର୍ସ” ଯୋଗାଇଦେବା ନାମରେ ବିଜ୍ଞାପନ ଦେଉଛନ୍ତି। ଏହା ଅଭିଭାବକମାନଙ୍କୁ ଆକର୍ଷିତ କରୁଥିଲେ ବି ଆମକୁ ମନେ ରଖିବାକୁ ହେବ ଯେ, ଅନେକ ସମୟରେ ଏହା କେବଳ ଅଧିକ ଫିସ୍ ନେବା ପାଇଁ ଏକ ମାର୍କେଟିଂ ମାଧ୍ୟମ ହୋଇଥାଏ। ପ୍ରାରମ୍ଭିକ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୌଳିକ ଭାଷା ଜ୍ଞାନ, ଗାଣିତିକ ଦକ୍ଷତା, ସୃଜନଶୀଳତା, ଖେଳକୁଦ। ଖୁବ୍ କମ୍ ବୟସରୁ କଠିନ ପ୍ରତିଯୋଗିତାର ଚାପ ପକାଇବା ଦ୍ୱାରା ପିଲାଙ୍କ ସ୍ୱାଭାବିକ ଶୈଶବ ଓ ଆଗ୍ରହ ଉଭୟ ବାଧାପ୍ରାପ୍ତ ହୋଇପାରେ।
ଏହି ସମଗ୍ର ପରିସ୍ଥିତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରେ, ଆମେ ପ୍ରକୃତରେ ଶିକ୍ଷାର ଗୁଣବତ୍ତା ପଛରେ ଦୌଡ଼ୁଛୁ ନା କେବଳ ସାମାଜିକ ପ୍ରତିଷ୍ଠା ଓ ‘ଷ୍ଟାଟସ’ ପଛରେ? ବିଶେଷଜ୍ଞଙ୍କ ମତ ଅନୁସାରେ ଆଜିକାଲି ଏକ ନାମୀ ପ୍ରି-ସ୍କୁଲରେ ପିଲାଙ୍କୁ ପଢ଼ାଇବା ଅଭିଭାବକଙ୍କ ନିଜସ୍ୱ ସଫଳତା ଓ ସାମାଜିକ ପ୍ରତିଷ୍ଠାର ମାଧ୍ୟମ ପାଲଟିଛି। ପ୍ରତିଯୋଗିତା କେବଳ ପିଲାଙ୍କ ମଧ୍ୟରେ ସୀମିତ ନାହିଁ, ଏହା ଅଭିଭାବକଙ୍କ ଆର୍ଥିକ କ୍ଷମତାର ଲଢ଼େଇରେ ପରିଣତ ହୋଇଛି।
ଅନ୍ୟପଟେ ଯେପର୍ଯ୍ୟନ୍ତ ପ୍ରାରମ୍ଭିକ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ସରକାରୀ ନିୟନ୍ତ୍ରଣ କଠୋର ନହୋଇଛି, ଏବଂ ସରକାରୀ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ ନହୋଇଛି, ସେପର୍ଯ୍ୟନ୍ତ ମଧ୍ୟବିତ୍ତ ପରିବାରଗୁଡ଼ିକ ନିଜର ବର୍ତ୍ତମାନର ବାସ୍ତବ ଆନନ୍ଦକୁ ବଳିଦେଇ ପିଲାଙ୍କ ‘କାଳ୍ପନିକ ସୁରକ୍ଷିତ ଭବିଷ୍ୟତ’ ପଛରେ ଦୌଡ଼ି କ୍ଲାନ୍ତ ହେବା ସୁନିଶ୍ଚିତ ।





