ଜାତୀୟ

ବୌଦ୍ଧ ମଠ ଉପରେ ମିଆଁମାର ସେନାର ଏୟାରଷ୍ଟ୍ରାଇକ; ୧୪ ମୃତ, ୨୦ ଆହତ

ନୂଆଦିଲ୍ଲୀ:ଶୁକ୍ରବାର ଦିନ ମିଆଁମାର ସେନା କେନ୍ଦ୍ରୀୟ ସାଗାଇଙ୍ଗ ଅଞ୍ଚଳରେ (monastery in Sagaing Region)ଥିବା ଏକ ବୌଦ୍ଧ ମଠ ଉପରେ ଏୟାରଷ୍ଟ୍ରାଇକ କରିଛି । ଏହି ଆକ୍ରମଣରେ ଏକ ସପ୍ତାହ ବ୍ୟାପୀ ଧ୍ୟାନ ଶିବିରରେ ଅଂଶଗ୍ରହଣ କରୁଥିବା ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣ ସକାଳ ପ୍ରାୟ ୯ଟା ସମୟରେ (ସ୍ଥାନୀୟ ସମୟ) ମିଆଁମାରର ଦ୍ୱିତୀୟ ବୃହତ୍ତମ ସହର ମଣ୍ଡାଲେଠାରୁ ପ୍ରାୟ ୭୫ କିଲୋମିଟର ପଶ୍ଚିମରେ ଅବସ୍ଥିତ ମ୍ୟାଉଙ୍ଗ୍ ଟାଉନ୍‌ସିପ୍‌ର(Myaung Township) ସ୍ୱେଲ୍ ଲେ ଓହ୍ (Swel Le Oh) ଗ୍ରାମରେ ଘଟିଥିଲା। ଏହି ସୂଚନା ମ୍ୟାଉଙ୍ଗ୍ ଟାଉନ୍‌ସିପ୍‌ର ସିଭିଲ୍ ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ଅର୍ଗାନାଇଜେସନ୍ (CDSOM)ର ମୁଖପାତ୍ର ନ୍ୱେ ଓ (Nwe Oo)ଙ୍କ ଦ୍ୱାରା ପ୍ରଦାନ କରାଯାଇଛି ।

ଜଣେ ସ୍ଥାନୀୟ ଗ୍ରାମବାସୀଙ୍କ ଅନୁସାରେ, ବିମାନଟି ପ୍ରାୟ ୧୫ ମିନିଟ୍ ବ୍ୟବଧାନରେ ଦୁଇଟି ବୋମା ପକାଇଥିଲା। ପ୍ରଥମ ବୋମାଟି ମଠ ପରିସର ମଧ୍ୟରେ ପଡ଼ିଥିବାବେଳେ, ଦ୍ୱିତୀୟ ବିସ୍ଫୋରଣ ଯୋଗୁଁ ନିକଟସ୍ଥ ଏକ ଘର କ୍ଷତିଗ୍ରସ୍ତ ହୋଇଥିଲା। ଆକ୍ରମଣ ସମୟରେ ଘଟଣାସ୍ଥଳରେ ୧୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ; ସେମାନେ ବୌଦ୍ଧ ଧର୍ମର ଏକ ବିଶେଷ ଧାର୍ମିକ ଅବଧି (ବୌଦ୍ଧ ଲେଣ୍ଟ୍) ସମୟରେ ଆୟୋଜିତ ସପ୍ତାହବ୍ୟାପୀ ଧ୍ୟାନ ଶିବିରରେ ଅଂଶଗ୍ରହଣ କରିବା ପାଇଁ ସେଠାରେ ଏକାଠି ହୋଇଥିଲେ। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ୧୪ ଜଣଙ୍କ ମଧ୍ୟରେ ତିନିଜଣ ମହିଳା ଅଛନ୍ତି। ଆହତ ହୋଇଥିବା ୨୦ ଜଣ ବ୍ୟକ୍ତିଙ୍କ ପାଇଁ ସ୍ଥାନୀୟ ସହାୟତା ଓ ଚିକିତ୍ସାର ବ୍ୟବସ୍ଥା କରାଯାଇଥିଲା।

ମିଆଁମାରରେ ସେନା ଏବଂ ବିରୋଧୀ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଚାଲିଥିବା ସମୟରେ ଏହି ଆକ୍ରମଣ ଘଟିଛି। ସେନା ଦୀର୍ଘ ଦିନ ଧରି ଗଣତନ୍ତ୍ର-ସମର୍ଥକ ସଶସ୍ତ୍ର ସଂଗଠନ ଏବଂ ଗୋଷ୍ଠୀଗତ ସଶସ୍ତ୍ର ଗୋଷ୍ଠୀ ବିରୁଦ୍ଧରେ ବାୟୁସେନା ଆକ୍ରମଣ ଚଳାଇ ଆସୁଛି। ଏହି ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ସାଧାରଣ ନାଗରିକମାନେ ବାରମ୍ବାର ଉଭୟ ପକ୍ଷର ଗୁଳିବିନିମୟ ମଧ୍ୟରେ ଫସି ରହିଛନ୍ତି। ସାଗାଇଙ୍ଗ୍ (Sagaing) ଅଞ୍ଚଳ ମଧ୍ୟ ସେହି ଅଞ୍ଚଳଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ଯାହା ଦୀର୍ଘ ଦିନ ଧରି ଏହି ସଂଘର୍ଷ ଦ୍ୱାରା ପ୍ରଭାବିତ ହୋଇଆସୁଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL