ଓଡ଼ିଶା

ସେପ୍ଟେମ୍ବର ୩ରୁ ମାଲକାନଗିରିରୁ ବିମାନ ଉଡ଼ାଣ 

ମାଲକାନଗିରି: ମାଲକାନଗିରିବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ମାଲକାନଗିରିରୁ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦୀର୍ଘଦିନ ଧରି ଦୁର୍ଗମ ମାଲକାନଗିରିକୁ ରାଜ୍ୟ ତଥା ଦେଶର ପ୍ରମୁଖ ସହର ସହ ଆକାଶପଥରେ ଯୋଡ଼ିବା ପାଇଁ ଦାବି ହୋଇଆସୁଥିଲା। ବିମାନ ସେବା ଆରମ୍ଭ ହେଲେ ମାଲକାନଗିରି ଜିଲ୍ଲାର ଯୋଗାଯୋଗ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡ଼ିହେବ। ଏହା ଦ୍ୱାରା ଜିଲ୍ଲାର ବ୍ୟବସାୟୀ, ଛାତ୍ରଛାତ୍ରୀ, ରୋଗୀ, ସରକାରୀ କର୍ମଚାରୀଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ଉପକୃତ ହେବେ।

ବର୍ତ୍ତମାନ ମାଲକାନଗିରିରୁ ଦୂରଦୂରାନ୍ତର ସହରକୁ ଯାତାୟାତ ପାଇଁ ଲମ୍ବା ସମୟ ରାସ୍ତା ପଥରେ ଯାତ୍ରା କରିବାକୁ ପଡ଼ୁଥିବାବେଳେ ବିମାନ ସେବା ଆରମ୍ଭ ହେବା ପରେ ଯାତ୍ରା ସମୟ ଅନେକ କମିବ ବୋଲି ଆଶା କରାଯାଉଛି। ବିଶେଷକରି ପର୍ଯ୍ୟଟନ, ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ। ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଜଳପ୍ରପାତ ଓ ଆଦିବାସୀ ସଂସ୍କୃତିକୁ ଦେଖିବା ପାଇଁ ବାହାର ଅଞ୍ଚଳର ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବଢ଼ିପାରେ।

ଦୀର୍ଘ ଦିନର ପ୍ରତୀକ୍ଷା ପରେ ମାଲକାନଗିରି ଆକାଶପଥରେ ଯୋଡ଼ିହେବାକୁ ଯାଉଥିବାରୁ ଏହାକୁ ଜିଲ୍ଲାର ବିକାଶ ଯାତ୍ରାରେ ଏକ ଐତିହାସିକ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି ଜିଲ୍ଲାବାସୀ। ଖୁବଶୀଘ୍ର ଅଗ୍ରୀମ ଟିକଟ ପାଇଁ ଏକ ପୋର୍ଟଲର ଶୁଭାରମ୍ଭ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଟ୍ରଏଲ ରନ୍ ପରେ ବାରମ୍ବାର ଉଡାଣ ନେଇ ତାରିଖ ଧାର୍ଯ୍ୟ ହେଉଥିଲେ ମଧ୍ୟ ତାହା ଟଳିଯାଉଥିଲା। ଶେଷରେ ସରକାର ୩ ତାରିଖ ଦିନ ଏହି ଉଡାଣ ଆରମ୍ଭ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL