ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ‘ପଞ୍ଚସଖା ଶିକ୍ଷା ସେତୁ’ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ କରି ସ୍କୁଲର ସମନ୍ୱିତ ରୂପାନ୍ତରଣ କରାଯାଉଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋଙ୍କ ଭଳି ପୁରାତନ ଛାତ୍ରଙ୍କ ପାଇଁ ଏହି ବିଦ୍ୟାଳୟ ଆଜି ଗର୍ବିତ। ଏହି ଭଳି ବ୍ୟକ୍ତିତ୍ୱ ଶିକ୍ଷାନୁଷ୍ଠାନର ପ୍ରକୃତ ପରିଚୟ । ଶିକ୍ଷକଙ୍କ ଅଗାଧ ଜ୍ଞାନ, ଛାତ୍ରଛାତ୍ରୀଙ୍କ ପ୍ରତିଭା, ପୁରାତନ ଛାତ୍ରଙ୍କ ଅନୁଭବ ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଢ଼ିତୋଳିବାକୁ ସେ ଆହ୍ୱାନ ଦେଇଛନ୍ତି।

ଏହି ଅବସରରେ ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ନିଷ୍ଠାପର ସେବା ପ୍ରଦାନ କରିଥିବା ଶ୍ରୀ ଅଶୋକ କୁମାର ଶତପଥୀ, ଶ୍ରୀମତୀ କୁମୁଦିନୀ ଜୀ, ଶ୍ରୀମତୀ ଶକୁନ୍ତଳା ମହାନ୍ତି, ଶ୍ରୀ ଦୈତାରୀ ସାହୁ ଏବଂ ଶ୍ରୀମତୀ ଜୟନ୍ତୀ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଛନ୍ତି। ବିଦ୍ୟାଳୟର ଗୌରବମୟ ପରମ୍ପରାକୁ ଆଗକୁ ନେବାରେ ଏହି ଆଦର୍ଶ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ଏହି ଅବସରରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ; ଚୌଦ୍ବାର-କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ବାଳ; ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାୟକ; କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ, ସେକେଣ୍ଡାରୀ ବୋର୍ଡ ସ୍କୁଲର ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।