ନୂଆଦିଲ୍ଲୀ: ଗ୍ରୀସର ଏକ ଏୟାର ସୋ’ ଚାଲିଥିବା ସମୟରେ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ହଜାର ହଜାର ଦର୍ଶକଙ୍କ ସାମ୍ନାରେ ଏହି ବିମାନଟି କ୍ରାଶ୍ ହୋଇ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା । ଯେଉଁଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ଏକ ଗ୍ରୀକ୍ ବାୟୁସେନାର F-4 ଫାଣ୍ଟମ୍ ଯୁଦ୍ଧ ବିମାନ ତାନାଗ୍ରା ଏୟାର ବେସ୍ ରେ କ୍ରାଶ୍ ହୋଇଛି । ବିମାନଟି ଉଡ଼ାଣ ଭରିବାର ମାତ୍ର ୩ ମିନିଟ୍ ମଧ୍ୟରେ ସୋ କରୁଥିବା ବେଳେ ତଳେ ପିଟି ହୋଇଯାଇଥିଲା । ଏଥିରେ ଥିବା ଦୁଇ ଜଣଯାକ ପାଇଲଟ୍ ପ୍ରାଣ ହରାଇଛନ୍ତି । ଏହି ଭୟଙ୍କର ଦୃଶ୍ୟକୁ ସେଠାରେ ଉପସ୍ଥିତ ହଜାର ହଜାର ଲୋକ ନିଜ ଆଖିରେ ଦେଖିଥିଲେ ।
ତେବେ ସୌଭାଗ୍ୟବଶତଃ ଦର୍ଶକ ଗ୍ୟାଲେରୀରେ ଥିବା କୌଣସି ସାଧାରଣ ନାଗରିକ ଆହତ ହୋଇନାହାନ୍ତି । ବିମାନଟି ପିଟି ହେବା ମାତ୍ରେ ସେଠାରେ ଭୟଙ୍କର ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ୮୫ ଜଣ ଅଗ୍ନିଶମ କର୍ମଚାରୀ, ୧୧ଟି ପାଣି ପକାଉଥିବା ବିମାନ ଓ ହେଲିକପ୍ଟର ନିୟୋଜିତ କରାଯାଇଥିଲା । ଦୁର୍ଘଟଣା ପରେ ଏୟାର ଶୋ’ର ବାକି ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଗ୍ରୀକ୍ ବାୟୁସେନା ପକ୍ଷରୁ ୩ ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି ।



