ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ କରିଛି । ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂତନ ରାଜ୍ୟ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନଙ୍କ ଦ୍ୱାରା ତାଲିକାରେ ମୋଟ ୩୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନିଯୁକ୍ତି ଘୋଷଣା କରାଯାଇଛି । ଏହି ନିଯୁକ୍ତିଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ ହେବ । ଓଡ଼ିଶା ପାଇଁ ଡି.ପୁରନ୍ଦେଶ୍ୱରୀଙ୍କୁ ପ୍ରଭାରୀ ଏବଂ ଓଡ଼ିଶା ଡ.ସ୍ୱଦେଶ ସିଂଙ୍କୁ ସହପ୍ରଭାରୀ ନିଯୁକ୍ତ କରାଯାଇଛି । ସେହିପରି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମହାରାଷ୍ଟ୍ର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ମଧ୍ୟରେ, ବିନୋଦ ତାୱଡେଙ୍କୁ ଉତ୍ତର ପ୍ରଦେଶର ରାଜ୍ୟ ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି । ତାଙ୍କ ସହିତ ଚାରି ଜଣ ନେତାଙ୍କୁ ଜଗଦୀଶ ପଟେଲ, ମେଘା କୁଲକର୍ଣ୍ଣୀ, ଡକ୍ଟର ପ୍ରଦୀପ ବର୍ମା ଏବଂ ଅନନ୍ତ ଓଝାଙ୍କୁ ସହ-ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି । ବିଜେପିର ରାଷ୍ଟ୍ରୀୟ ମହାସଚିବ ହରିଶ ଦ୍ୱିବେଦୀଙ୍କୁ ବିହାର ଏବଂ କର୍ଣ୍ଣାଟକ, ଶ୍ରୀକାନ୍ତ ଶର୍ମାଙ୍କୁ ହିମାଚଳ ପ୍ରଦେଶ ଏବଂ ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଏବଂ ହରିୟାଣାର ପ୍ରଭାରୀ ନିଯୁକ୍ତ କରାଯାଇଛି ।
ବରିଷ୍ଠ ନେତା ରାମ ମାଧବଙ୍କୁ ତାମିଲନାଡୁ ଏବଂ ଉତ୍ତରାଖଣ୍ଡର ପ୍ରଭାରୀ ନିଯୁକ୍ତ କରାଯାଇଛି । ଉତ୍ତରାଖଣ୍ଡରେ ତାଙ୍କ ସହିତ ଅରବିନ୍ଦ ମେନନ ଏବଂ ବାଂସୁରୀ ସ୍ୱରାଜଙ୍କୁ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି । ତାମିଲନାଡୁରେ ନିର୍ମଳ କୁମାର ସୁରାଣା ଏବଂ ଡକ୍ଟର କେ.ଅରୁଣା ତାଙ୍କର ସହ-ପ୍ରଭାରୀ ହେବେ । ସଂଗଠନରେ ସବୁଠୁ ବଡ଼ ନାଁ ମଧ୍ୟରେ ଥିବା ସୁନୀଲ ବଂଶଲଙ୍କୁ ତେଲଙ୍ଗାନା ଏବଂ ପଶ୍ଚିମବଙ୍ଗ ଉଭୟର ପ୍ରଭାରୀ ନିଯୁକ୍ତ କରାଯାଇଛି । ତେଲଙ୍ଗାନାରେ ଅଭୟ ପାଟିଲ ଏବଂ ରେଖା ଶର୍ମା ତାଙ୍କର ସହ-ପ୍ରଭାରୀ ହେବ । ପଶ୍ଚିମବଙ୍ଗରେ ଲାଲ ସିଂହ ଆର୍ଯ୍ୟ, ରାଜେନ୍ଦ୍ର ସିଂହ ଏବଂ ପିଙ୍କି କୁଶୱାହାଙ୍କୁ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି ।
ତରୁଣ ଚୁଗଙ୍କୁ ଗୁଜରାଟର ପ୍ରଭାରୀ କରାଯାଇଛି । ତାଙ୍କ ସହ ଅଜୟ ମହାୱାର ଏବଂ ଗୋମତି ସାଇ ସହ-ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଡକ୍ଟର ସତୀଶ ପୁନିଆ ଜାମ୍ମୁ କାଶ୍ମୀରର ଦାୟିତ୍ୱରେ ଥିବାବେଳେ ରୀନା କାଶ୍ୟପ ସହ-ଦାୟିତ୍ୱରେ ଅଛନ୍ତି । ପଞ୍ଜାବର ଦାୟିତ୍ୱରେ ଥିବା ଡକ୍ଟର ସତୀଶ ପୁନିୟାଙ୍କୁ ପୁଣି ଥରେ ରାଜ୍ୟର ଦାୟିତ୍ୱ ଦିଆଯାଇଛି । ତାଙ୍କ ସହ ବିରେନ୍ଦ୍ର ସଚ୍ଚଦେବ ଏବଂ ଅଲକା ଗୁରୁଜାର ସହ-ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ମଧ୍ୟପ୍ରଦେଶରେ ବିପ୍ଳବ କୁମାର ଦେବଙ୍କୁ ପ୍ରଭାରୀ ଏବଂ ରେଖା ବର୍ମାଙ୍କୁ ସହ-ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି । ମହାରାଷ୍ଟ୍ର ପାଇଁ ବୈଜୟନ୍ତ ଜୟ ପଣ୍ଡାଙ୍କୁ ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି, ଅମିତ୍ ମାଲବ୍ୟ, ସଦାନନ୍ଦ ଶେଠ ତନୱାଡେ ଏବଂ କମଲଜିତ ସେହରାୱତଙ୍କୁ ସହ-ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି । ରାଜସ୍ଥାନରେ ସଞ୍ଜୟ ଭାଟିଆଙ୍କୁ ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି । କବିତା ପାଟିଦାର ଏବଂ କୁଲଜିତ ଚହଲ ସହ-ପ୍ରଭାରୀ ହେବେ ।
ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ମଧ୍ୟ ନୂତନ ନିଯୁକ୍ତି ଦିଆଯାଇଛି । ଆସାମରେ ମଙ୍ଗଳ ପାଣ୍ଡେଙ୍କୁ ପ୍ରଭାରୀ ନିଯୁକ୍ତ କରାଯାଇଛି ଏବଂ ଫାଙ୍ଗନନ୍ କୋନ୍ୟାକ୍ ଏବଂ ମନୋଜ ଟିଗଗାଙ୍କୁ ସହ-ପ୍ରଭାରୀ କରାଯାଇଛି । ଅରୁଣାଚଳ ପ୍ରଦେଶରେ ଡକ୍ଟର ଦେବେଶ କୁମାରଙ୍କୁ ପ୍ରଭାରୀ ନିଯୁକ୍ତ କରାଯାଇଛି । ମେଘାଳୟରେ କନାଦ ପୁରକାୟସ୍ଥ ପ୍ରଭାରୀ ଏବଂ ଡକ୍ଟର ନୁମାଲ ମୋମିନ୍ ସହ-ପ୍ରଭାରୀ । ମଣିପୁରରେ ଡକ୍ଟର ରାଜଦୀପ ରାୟ, ମିଜୋରାମରେ ଡକ୍ଟର ଭାଗବତ କରାଡ ଏବଂ ନାଗାଲାଣ୍ଡରେ ଅନିଲ ଆଣ୍ଟୋନିଙ୍କୁ ପ୍ରଭାରୀ ନିଯୁକ୍ତ କରାଯାଇଛି । ତ୍ରିପୁରାରେ ମୃଗାଙ୍କ ଦେବ ବର୍ମନଙ୍କୁ ଦାୟିତ୍ୱ ଦିଆଯାଇଛି ।






