ଓଡ଼ିଶା

ଦାୟିତ୍ୱଗ୍ରହଣ କଲେ ରାଜ୍ୟପାଳ ବ୍ରଜ ମୋହନ ରାମ, ବିଜେପି ସପକ୍ଷରେ ଭୋଟ୍ ଜୁଟାଇବା ବୟାନକୁ ନେଇ ବିବାଦ

ଭୁବନେଶ୍ବର: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ବ୍ରଜ ମୋହନ ରାମ। ହେଲେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କର ଏକ ବୟାନକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ଦେଖାଦେଇଛି। ଓଡ଼ିଶାରେ ବିଜେପିର ଏସ୍‌ସି ମୋର୍ଚ୍ଚାକୁ ମଜଭୁତ କରିବା ସହ ଦଳ ସପକ୍ଷରେ ଭୋଟ୍ କିପରି ଆସିବ, ସେଥିପାଇଁ ସେ କାମ କରିବେ ବୋଲି କହୁଥିବା ତାଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଥିବା ବେଳେ ଏହାକୁ ନେଇ ବିରୋଧୀ ବିଜେଡି ଆପତ୍ତି ଉଠାଇଛି।

ତେବେ ଅକ୍ଟୋବର ୧୩ ତାରିଖରେ ରାଞ୍ଚିର ମୋରାବାଦୀସ୍ଥିତ ହନୁମାନ ମନ୍ଦିରରେ ପରିବାର ସହ ପୂଜାର୍ଚ୍ଚନା ପରେ ବ୍ରଜ ମୋହନ ରାମ ଗଣମାଧ୍ୟମ ସଂସ୍ଥାକୁ ଏହି ବୟାନ ଦେଇଥିଲେ। ଯେତେବେଳେ ତାଙ୍କୁ ପଚାରାଯାଇଥିଲା, “ଏବେ ଆପଣ ନୂଆ ଦାୟିତ୍ବ ସହ ଓଡିଶା ଯିବେ, ସେଠି କିପରି ପରାମର୍ଶ ଦେବେ, କିପରି କାର୍ଯ୍ୟ କରିବେ?”, ଯାହାର ଉତ୍ତରରେ ସେ କହିଥିଲେ, “ଓଡ଼ିଶାରେ ଅନୁସୂଚିତ ଜାତି ସମୁଦାୟର ସ୍ଥିତି ଦେଖିବେ। ସେଠିବି ବିଜେପିର ଏସ୍‌ସି ମୋର୍ଚ୍ଚା ସଂଗଠନକୁ ମଜଭୁତ କରିବା ସହ ଲୋକଙ୍କୁ ଦଳ ସହ ଯୋଡ଼ିବେ ଏବଂ ବିଜେପି ସପକ୍ଷରେ ଭୋଟ୍ କିପରି ଆସିବ, ସେଥିପ୍ରତି ଧ୍ୟାନ ଦେବେ”। ଏଥିସହିତ ନିଜ ରାଜନୈତିକ ଯାତ୍ରା ବିଷୟରେ କହି ସେ ଆହୁରି କହିଥିଲେ, ତିନିଥର ଟିକେଟ୍ ନମିଳିବା ସତ୍ତ୍ୱେ ସେ ବିଜେପି ଛାଡ଼ିନଥିଲେ ଏବଂ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ କାମ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଶୀର୍ବାଦରେ ତାଙ୍କୁ ଏହି ସାମ୍ବିଧାନିକ ପଦ ମିଳିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ । ଯାହାର ଭିଡିଓ ଏବେ ଚାରିଆଡେ ଘୁରିବୁଲୁଥିବା ବେଳେ ନୂଆ ରାଜ୍ୟପାଳଙ୍କ ଏଭଳି ଦଳ ଭିତ୍ତିକ ବୟାନ ନେଇ ଆପତ୍ତି ଉଠିଛି ।

ତାଙ୍କର ଏଭଳି ବୟାନକୁ ନେଇ ବିଜେଡିର ମିଡିଆ ସଂଯୋଜକ ଡକ୍ଟର ଲେନିନ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି। ରାଜ୍ୟପାଳ ଏକ ସାମ୍ବିଧାନିକ ପଦବୀରେ ରହୁଥିବାରୁ ତାଙ୍କୁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହିବା ଉଚିତ ବୋଲି ସେ କହିଛନ୍ତି। ବିଜେଡି ପକ୍ଷରୁ ଏହି ବୟାନକୁ ନିନ୍ଦା କରାଯାଇଛି। ତେବେ ବିବାଦ ବଢ଼ିବା ପରେ ବ୍ରଜ ମୋହନ ରାମ ଏନେଇ ସଫେଇ ଦେଇ କହିଛନ୍ତି ଯେ, ସେ ଏପର୍ଯ୍ୟନ୍ତ ବିଜେପିରୁ ଇସ୍ତଫା ଦେଇନାହାନ୍ତି ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଭାବନାରୁ ଏପରି କହିଥିଲେ। ତେବେ ରାଜ୍ୟପାଳ ଭାବେ ସାମ୍ବିଧାନିକ ପଦର ମର୍ଯ୍ୟାଦା ପାଳନ କରିବେ ବୋଲି ମଧ୍ୟ ସେ ଆଶ୍ୱାସନା ଦେଇଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୧୨ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ। ସେ ଝାଡ଼ଖଣ୍ଡର ପଲାମୁ ଆସନରୁ ତିନିଥର ଲୋକସଭା ସାଂସଦ ରହିଛନ୍ତି। ଏବେ ତାଙ୍କ ବୟାନକୁ ପ୍ରଶ୍ନ ଉଠିଛି ଯେ, ସେ ଏବେ ରାଜ୍ୟପାଳ ଭାବେ ଓଡ଼ିଶାର ସାମ୍ବିଧାନିକ ଦାୟିତ୍ୱ ତୁଲାଇବେ ନା ବିଜେପିର ସଂଗଠନକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦେବେ? ବ୍ରଜ ମୋହନ ରାମଙ୍କ ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL