ଭୁବନେଶ୍ବର: କାଲି ଛାତ୍ର ସଂସଦ ନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କୌଣସି ହିଂସା ନକରି ଶାନ୍ତିଶୃଙ୍ଖଳାର ସହ ମତଦାନ କରିବାକୁ କହିଛନ୍ତି । ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବାକୁ ବିଭାଗ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏହା ମାଧ୍ୟମରେ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖାଯାଉଛି । ନିରନ୍ତର ସମୀକ୍ଷା ଚାଲିଛି । ଶାନ୍ତିଶୃଙ୍ଖଳା ପାଇଁ ବିଭାଗ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ମତଦାନ କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧର ସମ୍ମାନ ରକ୍ଷା କରିବେ ବୋଲି ଆଶା କରାଯାଉଛି । ଶାନ୍ତିପୂର୍ଣ୍ଣ ମତଦାନ ଓ ଶୃଙ୍ଖଳିତ ନିର୍ବାଚନ ମାଧ୍ୟମରେ କ୍ୟାମ୍ପସ୍ରେ ଏକ ସୁସ୍ଥ ଗଣତାନ୍ତ୍ରିକ ପରିବେଶ ବଜାୟ ରହିବା ଉପରେ ଗୁରୁତ୍ୱ ଦିଆଯାଇଛି ।









