ଭୁବନେଶ୍ବର : ସରିଲା ଛାତ୍ର ସଂସଦ ନିର୍ବାଚନ । ଏବିଭିପି ଜିତିଲା ୧୪୨, ବିସିଜେଡି ଜିତିଲା ୧୨୧ । ସବୁଠି ଦେଖିବାକୁ ମିଳିଛି କଡ଼ା ଟକ୍କର । ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ହଙ୍ଗାମା, ପୋଲିସ ଛାଉଣୀ, ସ୍ଲୋଗାନବାଜି ଏବଂ ପ୍ରତିବାଦ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି ।
ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଜ୍ୟର ୮୧ ପ୍ରତିଶତରୁ ଅଧିକ କ୍ୟାମ୍ପସରେ ବିଜୟୀ ହୋଇଥିବା ସଂଗଠନ କହିଛି । ୧୩ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ୮ଟିରେ କ୍ଲିନ୍ ସୁଇପ୍ କରିଛି । ଏଥିସହ ୮ଟି ସଭାପତି, ୮ଟି ଉପସଭାପତି, ୧୦ଟି ସମ୍ପାଦକ ଏବଂ ୧୧ଟି ସହକାରୀ ସାଧାରଣ ସମ୍ପାଦକ ପଦବୀ ଦଖଲ କରିଛି । ଏହି ବିଜୟକୁ Zen-Z ଓ ଯୁବପିଢ଼ିଙ୍କ ସମର୍ଥନର ପ୍ରତିଫଳନ ବୋଲି ସଂଗଠନ କହିଛି ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପରାଜୟକୁ ନେଇ ଏବିଭିପି ରାଜ୍ୟ ସମ୍ପାଦିକା ଦୀପ୍ତିମୟୀ ପ୍ରତିହାରୀ କହିଛନ୍ତି ଯେ, ଧନବଳ, ବାହୁବଳ ଏବଂ ମହାପ୍ରସାଦ ଛୁଆଁଇ ନିୟମ କରାଇବା ଭଳି ହୀନ ରାଜନୀତି କରାଯାଇଛି । ତେବେ ରମାଦେବୀରେ ପରାଜୟର ଆତ୍ମସମୀକ୍ଷା କରାଯିବ ଏବଂ ଦୁର୍ବଳ କ୍ୟାମ୍ପସଗୁଡ଼ିକରେ ସଂଗଠନକୁ ଅଧିକ ସୁଦୃଢ଼ କରାଯିବ ବୋଲି ଦୀପ୍ତିମୟୀ କହିଛନ୍ତି ।
ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଅନୁସାରେ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୧୪୨ଟି ଏବଂ ବିଜୁ ଛାତ୍ର ଜନତା ଦଳ ୧୨୧ଟି ଆସନରେ ବାଜିମାତ୍ କରିଥିବା ଦାବି କରିଛି । କେନ୍ଦୁଝର, ଗଞ୍ଜାମ, ସମ୍ବଲପୁରରେ ଏବିଭିପି ଦବଦବା ଦେଖାଇଥିବା ବେଳେ କଟକ, କେନ୍ଦ୍ରାପଡ଼ା, ବରଗଡ଼ରେ ବିସିଜେଡି ବିଜୟୀ ହୋଇଛି । ବାଣୀବିହାରରେ ଏବିଭିପି ସମର୍ଥିତ ପ୍ରାର୍ଥୀ ଅଭିରାମ ମିଶ୍ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିସିଜେଡି ନିଜର ଗଡ଼ ରକ୍ଷା କରିଛି । ଏଠାରେ ବିସିଜେଡି ସମର୍ଥିତ ପ୍ରାର୍ଥୀ ସୋନାଲି ବେହେରା ସଭାପତି ନିର୍ବାଚିତ ହୋଇଛନ୍ତି । ବିଜୟୀ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ବିଜୟ ଉତ୍ସବ ପାଳନ କରିଛନ୍ତି ।










