ଜାତୀୟ

ଚୋରବାଗାନ ପୂଜା ପେଣ୍ଡାଲରେ ଦଳାଚକଟା: ୧୯ ମୃତ, ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା, ମିଳିବ ସରକାରୀ ଚାକିରି

କୋଲକାତା: କୋଲକାତା ଦୁର୍ଗାପୂଜାରେ ଅଘଟଣ। ଦଳାଚକଟା ସ୍ଥିତି ଯୋଗୁ ୧୯ ଜଣଙ୍କ ମୃତ୍ୟୁ ହୋଇଛି ।  ଚୋରାବାଗାନ୍ ଦୁର୍ଗାପୂଜା ମଣ୍ଡପରେ ପ୍ରବଳ ଭିଡ଼ ଓ ପେଣ୍ଡାଲ ଭୁଶୁଡ଼ି ଦଳାଚକଟା ସ୍ଥିତି ଉପୁଜିଛି ।  ମଣ୍ଡପ ବୁଲିବାକୁ ଆସିଥିବା ବହୁ ଶ୍ରଦ୍ଧାଳୁମାନେ ପେଣ୍ଡାଲ ଭୁଶୁଡ଼ିବାରୁ ଗୁରୁତର ହୋଇଛନ୍ତି।

ଘଟଣାକୁ ଏକ ଦୁଃଖଦାୟକ ଦୁର୍ଘଟଣା ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଏଥିରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି । ୧୭ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି । ୨୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪ ଜଣ ବିପଦମୁକ୍ତ ଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଏବଂ ଏକ ସରକାରୀ ଚାକିରି ଯୋଗାଇ ଦିଆଯିବ। ପ୍ରତ୍ୟେକ ଆହତ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହି ଘଟଣାର ଯାଞ୍ଚ ପାଇଁ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ଅନୁରୋଧ କରାଯିବ । ଏହି କମିଟିରେ ଏସ.ଟି.ଏଫ୍ (STF) ଏବଂ ଫୋରେନ୍ସିକ୍ ଟିମ୍ ସାମିଲ ରହିବେ। ସରକାର ପ୍ରଭାବିତ ପରିବାରଗୁଡ଼ିକ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି ଏବଂ ପ୍ରଶାସନ ରାତିସାରା କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଥାଉକି,  ଉତ୍ତର କୋଲକାତାର ପ୍ରସିଦ୍ଧ ଚୋରବାଗାନ ମଣ୍ଡପରେ ହଠାତ୍ ବର୍ଷା ଯୋଗୁଁ ଠେଲାପେଲା ଭିଡ଼ ନିୟନ୍ତ୍ରଣ ବାହାରକୁ ଯିବାରୁ ଏହି ବଡ଼ ବିପର୍ଯ୍ୟୟ ଘଟିଛି ।  ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ପୂଜା ମଣ୍ଡପରେ ହଜାର ହଜାର ଦର୍ଶନାର୍ଥୀଙ୍କ ସମାଗମ ହୋଇଥିବା ବେଳେ ହଠାତ୍ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ବର୍ଷାରୁ ବର୍ତ୍ତିବା ପାଇଁ ବାହାରେ ଥିବା ଶହ ଶହ ଲୋକ ଏକାସଙ୍ଗେ ମଣ୍ଡପ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଅତ୍ୟଧିକ ଚାପ ଯୋଗୁଁ ଭୟଙ୍କର ଠେଲାପେଲା ଆରମ୍ଭ ହୋଇଥିଲା । କିଛି ଲୋକ ଭାରସାମ୍ୟ ହରାଇ ତଳେ ପଡ଼ିଯିବାରୁ ସେମାନଙ୍କ ଉପରେ ଅନ୍ୟମାନେ ଚାଲିଯାଇଥିଲେ । କିଛି ରିପୋର୍ଟରେ ଭିଡ଼ ଚାପରେ ମଣ୍ଡପର ଏକ ଅଂଶ ଭୁଶୁଡ଼ି ପଡ଼ିଥିବା ଦାବି କରାଯାଉଛି ।

ଘଟଣା ପରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପୋଲିସ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ । ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କୋଲକାତା ମେଡିକାଲ କଲେଜ ଓ ହସ୍ପିଟାଲ ଓ ନିକଟସ୍ଥ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଅଘଟଣ ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚୋରବାଗାନ ପୂଜା ମଣ୍ଡପରେ ସାଧାରଣ ଲୋକଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।

ଏତେ ବଡ଼ ଇଭେଣ୍ଟରେ ଭିଡ଼ ପରିଚାଳନା , ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି ନାହିଁ, ତାହା ଉପରେ ଏବେ ପ୍ରଶ୍ନ ଉଠିଛି । ପ୍ରଶାସନ ପକ୍ଷରୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଆଧିକାରିକ ତଥ୍ୟକୁ ଅପେକ୍ଷା କରାଯାଇଛି । ଅଘଟଣରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଓ ପ୍ରତି ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ମୃତକଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL