ଓଡ଼ିଶା

ନିଖୋଜ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ଏକ ଦୁଃଖଦ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କିଛି ଦିନ ହେବ ନିଖୋଜ ଥିବା ଏକ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସ୍ଥାନୀୟ ଜଙ୍ଗଲ, ନିର୍ଜନ ସ୍ଥାନରେ ଥିବା ଏକ ଗଛରୁ ଦୁହିଁଙ୍କ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ମୃତକମାନେ ହେଲେ କୋକସରା ଥାନା ଅନ୍ତର୍ଗତ ଟେଣ୍ଡାପାଲି ଗ୍ରାମର ଅଜିତ କୁମାର ନାଏକ ଏବଂ ଧର୍ମଗଡ଼ ସହରର କେନ୍ଦୁମୁଣ୍ଡିପଡ଼ାର ପ୍ରିୟଦର୍ଶିନୀ ନାଏକ।

ସୂଚନା ଅନୁୟାରେ, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା।। ଆଉ ଉଭୟ ପ୍ରେମୀ ଯୁଗଳ ଗତ ୫ ଦିନ ହେବ ନିଜ ନିଜ ଘରୁ ନିଖୋଜ ଥିଲେ, ଯାହାକୁ ନେଇ ପରିବାର ଲୋକେ ଖୋଜାଖୋଜି ଜାରି ରଖିଥିଲେ। ବହୁ ଦିନ ପରେ ଗୁରୁବାର ଜଙ୍ଗଲରୁ ଉଭୟଙ୍କର ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ହାତ ପଛକୁ ବନ୍ଧା ହୋଇଥିବା ଏବଂ ଶରୀରରେ ରକ୍ତ ଦାଗ ଥିବା ନେଇ ଅଭିଯୋଗ ଆସିବା ପରେ, ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ ବଢ଼ିବାରେ ଲାଗିଛି। ବହୁ ଦିନ ବିତିଯାଇଥିବାରୁ ମୃତଦେହଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଗଳିତ ଏବଂ ବିକୃତ ଅବସ୍ଥାକୁ ଚାଲିଯାଇଥିଲା।

ଖବର ଅନୁଯାୟୀ, ଦୁର୍ଗାପୂଜା ସମୟରେ ଅକ୍ଟୋବର ୧୭ ତାରିଖରେ ଏହି ଯୁବକ-ଯୁବତୀ ନିଖୋଜ ହୋଇଯାଇଥିଲେ। ସେମାନେ ନିଖୋଜ ହେବା ପରେ, ଉଭୟଙ୍କ ପରିବାର ପକ୍ଷରୁ କୋକସରା ଓ ଧର୍ମଗଡ଼ ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା। ଗୁରୁବାର ସକାଳେ, ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା କିଛି ସ୍ଥାନୀୟ ଲୋକ ଭଣ୍ଡାର ଡଙ୍ଗରୀ ପାହାଡ଼ ଉପରେ ଏକ ଗଛରେ ଦୁଇଟି ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଲେ। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ବହୁ ଲୋକଙ୍କ ଭିଡ଼ ଜମିଥିଲା। ପରେ ମୃତକଙ୍କ ପରିବାରବର୍ଗ ସେଠାରେ ପହଞ୍ଚି ମୃତଦେହଗୁଡ଼ିକୁ ଚିହ୍ନଟ କରିଥିଲେ।

ମୃତକଙ୍କ ହାତ ପଛକୁ ବନ୍ଧା ହୋଇଥିବା ଏବଂ ଶରୀରରେ ରକ୍ତ ଦାଗ ଥିବାରୁ ସେମାନଙ୍କ ମୃତ୍ୟୁ ଘଟଣାକୁ ନେଇ ସନ୍ଦେହ ସୃଷ୍ଟି କରିଛି। ଏହା ଏକ ହତ୍ୟାକାଣ୍ଡ ହୋଇପାରେ ଏବଂ ହତ୍ୟା ପରେ ମୃତଦେହଗୁଡ଼ିକୁ ଗଛରେ ଟଙ୍ଗାଇ ଦିଆଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ, ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ହିଁ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି ଏବଂ ମୃତ୍ୟୁର ପରିସ୍ଥିତିକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଧର୍ମଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏହା ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ସେ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL