ଓଡ଼ିଶା

କ୍ରସ୍ ଭୋଟିଂ ବିବାଦ: ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ

ଭୁବନେଶ୍ୱର: ରାଜ୍ୟସଭା କ୍ରସ୍ ଭୋଟିଂ ବିବାଦରେ ନୂଆ ମୋଡ଼, ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ । ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ବିଜେଡିର ୫ ବିଧାୟକଙ୍କ ପାଇଁ ବଢ଼ିଲା ଆଇନଗତ ଅଡ଼ୁଆ। ବିଧାୟକଙ୍କ ସଭ୍ୟପଦ ରଦ୍ଦ ସଂକ୍ରାନ୍ତ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ୫ ଜଣଙ୍କୁ ନୋଟିସ ଜାରି କରିଛନ୍ତି । ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼, ଚକ୍ରମଣି କହଁର, ସୌଭିକ ବିଶ୍ୱାଳ ଓ ସୁବାସିନୀ ଜେନାଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି ।

ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡିର କେତେକ ବିଧାୟକ ଦଳୀୟ ନିଷ୍ପତ୍ତି ବିରୋଧରେ ଭୋଟ୍ ଦେଇଥିବା ଅଭିଯୋଗ ଉଠିଥିଲା। ଏହାକୁ ଗୁରୁତ୍ୱର ସହ ନେଇ ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତି ସୁରମା ପାଢ଼ୀଙ୍କ ନିକଟରେ ଆବେଦନ କରିଥିଲା ବିଜେଡି। ହେଲେ ଆବେଦନରେ ପ୍ରକ୍ରିୟାଗତ ତ୍ରୁଟି ଥିବା ଦର୍ଶାଇ ବାଚସ୍ପତି ସମସ୍ତ ଆବେଦନକୁ ଖାରଜ କରିଦେଇଥିଲେ। ଏହି ନିଷ୍ପତ୍ତିକୁ ନେଇ ଆରମ୍ଭ ହୋଇଥିଲା ଆଇନଗତ ଲଢ଼େଇ। ବାଚସ୍ପତିଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ପକ୍ଷରୁ ପୃଥକ ପୃଥକ ଆବେଦନ ଦାଖଲ କରାଯାଇଛି। ବିଜେଡିର ଯୁକ୍ତି ହେଉଛି, ଆବେଦନରେ ତ୍ରୁଟି ଥିଲେ ତାହାକୁ ସଂଶୋଧନ କରିବା ପାଇଁ ସୁଯୋଗ ମିଳିବା ଉଚିତ। କିନ୍ତୁ ସେହି ସୁଯୋଗ ନଦେଇ ଏବଂ ମୂଳ ଅଭିଯୋଗର ବିଚାର ନକରି ଆବେଦନ ଖାରଜ କରିବା ଆଇନସଙ୍ଗତ ନୁହେଁ ବୋଲି ଦଳ ଦର୍ଶାଇଛି। ପୂର୍ବରୁ ଏହି ମାମଲାରେ ବାଚସ୍ପତି ସୁରମା ପାଢ଼ୀଙ୍କୁ ନୋଟିସ ଜାରି କରିଥିଲେ ହାଇକୋର୍ଟ। ଜବାବ ଦାଖଲ ପାଇଁ ବାଚସ୍ପତି ଅଧିକ ସମୟ ନେଇଥିବାବେଳେ ଏବେ ୫ ବିଧାୟକଙ୍କୁ ମଧ୍ୟ ନିଜ ପକ୍ଷ ରଖିବାକୁ କୁହାଯାଇଛି। ଆସନ୍ତା ଜାନୁଆରୀ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେବେ ଏହି ନୋଟିସ ସଭ୍ୟପଦ ରଦ୍ଦ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ନୁହେଁ। ଏବେ ବଡ଼ ପ୍ରଶ୍ନ, ବାଚସ୍ପତିଙ୍କ ଆବେଦନ ଖାରଜ ନିଷ୍ପତ୍ତି ଉପରେ ହାଇକୋର୍ଟ କ’ଣ ରାୟ ଦେବେ? ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL