ଓଡ଼ିଶା

ବଢ଼ିଲା ବସ ଭଡ଼ା, ଜାରି ହେଲା ନୂଆ ବିଜ୍ଞପ୍ତି

ଭୁବନେଶ୍ୱର : ରାଜ୍ୟରେ ବସ୍ ଭଡ଼ା ନିର୍ଦ୍ଧାରଣ ନେଇ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି ସରକାର। ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ବସ୍‌ରେ କିଲୋମିଟର ପିଛା ସର୍ବାଧିକ ୧ ଟଙ୍କା ୧୮ ପଇସା ଭଡ଼ା ଧାର୍ଯ୍ୟ ହୋଇଥିବାବେଳେ ଏକ୍ସପ୍ରେସ୍ ବସ୍ ପାଇଁ ୧ ଟଙ୍କା ୨୪ ପଇସା ରଖାଯାଇଛି। ସେହିପରି ସେମି ଡିଲକ୍ସ ବସ୍ ପାଇଁ ୧ ଟଙ୍କା ୩୦ ପଇସା, ଡିଲକ୍ସ ବସ୍ ପାଇଁ ୧ ଟଙ୍କା ୪୧ ପଇସା ଏବଂ ଏସି ଡିଲକ୍ସ ବସ୍ ପାଇଁ ୧ ଟଙ୍କା ୯୯ ପଇସା ଭଡ଼ା ନିର୍ଦ୍ଧାରଣ କରାଯାଇଛି ।

ଅନ୍ୟପକ୍ଷରେ ସୁପର ପ୍ରିମିୟମ୍ ବସ୍ ପାଇଁ କିଲୋମିଟର ପିଛା ୩ ଟଙ୍କା ୨୧ ପଇସା ଏବଂ ସୁପର ପ୍ରିମିୟମ୍ ଫୁଲ୍ ସ୍ଲିପର ଏସି କୋଚ୍ ପାଇଁ ୪ ଟଙ୍କା ୬୧ ପଇସା ଭଡ଼ା ଧାର୍ଯ୍ୟ ହୋଇଛି । ତେବେ ଏହି ନୂଆ ଭଡ଼ା ତାଲିକା ଟାଉନ୍ ବସ୍ ବ୍ୟତୀତ ରାଜ୍ୟର ଅନ୍ୟ ଷ୍ଟେଜ୍ କ୍ୟାରେଜ୍ ବସ୍ ପାଇଁ ଲାଗୁ ହେବ।  ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ତାରିଖଠାରୁ ଏହା କାର୍ଯ୍ୟକାରୀ ହେବ।ବିଜ୍ଞପ୍ତିରେ ଯାତ୍ରୀଙ୍କ ପାଇଁ ଲଗେଜ୍ ନିୟମ ମଧ୍ୟ ସ୍ପଷ୍ଟ କରାଯାଇଛି ।  ପ୍ରତ୍ୟେକ ଯାତ୍ରୀଙ୍କୁ ୧୫ କିଲୋଗ୍ରାମ ପର୍ଯ୍ୟନ୍ତ ଲଗେଜ୍ ମାଗଣାରେ ନେବାକୁ ସୁବିଧା ମିଳିବ।

ଏହାଠାରୁ ଅଧିକ ଓଜନର ଲଗେଜ୍ ପାଇଁ ପ୍ରତି ୨୦ କିଲୋଗ୍ରାମ ପିଛା କିଲୋମିଟର ପ୍ରତି ୭ ପଇସା ଦେବାକୁ ପଡ଼ିବ। ଏଥିସହ ପ୍ରତ୍ୟେକ ବସ୍‌ରେ ଏହାର ବର୍ଗ, କିଲୋମିଟର ପିଛା ଭଡ଼ା ଓ ଯାତ୍ରୀଙ୍କ ପାଇଁ ଉପଲବ୍ଧ ରିହାତି ସମ୍ପର୍କିତ ତଥ୍ୟ ପ୍ରଦର୍ଶନ କରିବା ବାଧ୍ୟତାମୂଳକ କରାଯାଇଛି।  ଦିବ୍ୟାଙ୍ଗ ଓ ଅନ୍ୟ ନିର୍ଦ୍ଦିଷ୍ଟ ବର୍ଗର ଯାତ୍ରୀଙ୍କ ପାଇଁ ଭଡ଼ା ରିହାତି ବ୍ୟବସ୍ଥା ମଧ୍ୟ ଜାରି ରହିବ।

ଏଚ୍‌ଆଇଭି/ଏଡ୍‌ସ ଆକ୍ରାନ୍ତ, ସମ୍ପୂର୍ଣ୍ଣ ଦୃଷ୍ଟିହୀନ, ମାନସିକ ଅକ୍ଷମ ଏବଂ ନିର୍ଦ୍ଦିଷ୍ଟ ଶ୍ରେଣୀର ଶାରୀରିକ ଓ ଶ୍ରବଣ ବାଧିତ ଯାତ୍ରୀଙ୍କ ପାଇଁ ୫୦ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ରହିଛି। ଏଥିପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପରିଚୟପତ୍ର କିମ୍ବା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସେହିପରି ଇନ୍ଧନ ଦରରେ ପରିବର୍ତ୍ତନ ହେଲେ ତାହା ଅନୁଯାୟୀ ବସ୍ ଭଡ଼ାର ସ୍ୱୟଂଚାଳିତ ସଂଶୋଧନ ବ୍ୟବସ୍ଥା ଲାଗୁ କରିବାକୁ ସରକାର ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ।  ଏଥିପାଇଁ ପରିବହନ କମିଶନର ଆବଶ୍ୟକ ନିର୍ଦ୍ଦେଶ ଜାରି କରିପାରିବେ। ନୂଆ ଭଡ଼ା ବ୍ୟବସ୍ଥାର କାର୍ଯ୍ୟକାରିତା ଓ ତଦାରଖ ଦାୟିତ୍ୱ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏବଂ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL