ଜାତୀୟ

ଖାଇକୁ ଖସିଲା ଯାତ୍ରୀବାହୀ ବସ୍, ଡ୍ରାଇଭର ସମେତ ୧୦ ମୃତ, ୫ ଆହତ

ନେପାଳ: ନେପାଳର ମକୱାନପୁର ଜିଲ୍ଲାରେ ଆଜି ସକାଳେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ୫ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାକୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛନ୍ତି ନେପାଳ ପୋଲିସ କେନ୍ଦ୍ରୀୟ କାର୍ଯ୍ୟାଳୟ । ଭୀମଫେଡି ଗ୍ରାମ ପୌରପାଳିକା-୬ ଅନ୍ତର୍ଗତ ଚିସାପାଣିଗଢ଼ିରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି ।

ସୂଚନାନୁଯାୟୀ, ମାଧେଶ ପ୍ରଦେଶରେ ପଞ୍ଜିକୃତ ଇଭିଟି ଗୁରୁବାର ସକାଳେ ସରଲାହି ଜିଲ୍ଲାରୁ ଯାତ୍ରୀମାନଙ୍କୁ ନେଇ କାଠମାଣ୍ଡୁରୁ ହେଟାଉଣ୍ଡା ଅଭିମୁଖେ ଯାତ୍ରା କରୁଥିଲା। ଭୀମଫେଡି-କୁଲେଖାନି-କାଠମାଣ୍ଡୁ ରାସ୍ତାରେ ଚିସାପାଣିଗଢ଼ି ନିକଟରେ ଗାଡ଼ିଟି ହଠାତ୍ ନିୟନ୍ତ୍ରଣ ହରାଇ ୭୦୦ ମିଟର ଗଭୀରତାର ଖାଇକୁ କସି ପଡିଥିଲା । ଫଳରେ ଏହି ଦୁର୍ଘଟଣାରେ ୩ଜଣ ମହିଳା, ୨ ଜଣ ଝିଅ ଏବଂ ୫ଜଣ ପୁରୁଷଙ୍କର ମୃତ୍ୟୁ ହୋଇଥିଲା । ଏଥିସହ ଏହି ଦୁର୍ଘଟଣାରେ ଆହତ ୫ ଜଣଙ୍କୁ ଚିକିତ୍ସା ପାଇଁ ସେମାନଙ୍କୁ ହେଟାଉଣ୍ଡା ହସ୍ପିଟାଲକୁ ପଠାଯାଇଛି । ଏହି ଦୁର୍ଘଟଣା ସମୟରେ ଗାଡିରେ ୧୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ଏହାରି ମଧ୍ୟରେ ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କୁ ଚିହ୍ନଟ କରିଛି । ମୃତକ ଏବଂ ଆହତମାନେ ସରଲାହି ଜିଲ୍ଲାର ଚକ୍ରଘଟ୍ଟା ଗ୍ରାମ ପୌରପାଳିକା-୪ର ସୁନ୍ଦରପୁର ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି। ଆହତଙ୍କ ମଧ୍ୟରେ ୩୩ ବର୍ଷୀୟ ମୁକେଶ ଯାଦବ, ୫ ବର୍ଷୀୟ ସକ୍ଷମ କୁମାର ଯାଦବ ଏବଂ ୩ ବର୍ଷୀୟ ସୁଦାନ ଯାଦବ ।

ଅନ୍ୟପଟେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ, ନେପାଳ ପୋଲିସ, ସଶସ୍ତ୍ର ପୋଲିସ ବାହିନୀ, ନେପାଳ ସେନା ଏବଂ ବାଗମତୀ ପ୍ରଦେଶ ବିପର୍ଯ୍ୟୟ ପରିଚାଳନା ଗୋଷ୍ଠୀର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ମିଳିତ ଭାବରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ଏହି ଭୟଙ୍କର ଦୁର୍ଘଟଣାର ଖବର ନେପାଳ ଏବଂ ସୀମାନ୍ତବର୍ତ୍ତୀ ଭାରତୀୟ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି କରିଛି। ଗୋଟିଏ ଗାଁର ଏତେ ଲୋକଙ୍କ ମୃତ୍ୟୁ ସୁନ୍ଦରପୁରର ଲୋକଙ୍କ ଉପରେ ଦୁଃଖର ଛାୟା ଖେଳାଇ ଦେଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL