ଜାତୀୟ

ଖାଇକୁ ଖସିଲା ବସ୍, ଚାଲିଗଲା ୧୨ ଜୀବନ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରୁ ଆସିଛି ଏକ ଦୁଃଖଦ ଖବର । ଟିହରୀ ଗଢ଼ୱାଲ ଜିଲ୍ଲାରେ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ଗୁଲାର ବଜାର ନିକଟରେ ଏକ ଯାତ୍ରୀବାହୀ ବସ୍ ପୋଲ ଉପରୁ ପ୍ରାୟ ୧୦୦ ମିଟର ତଳକୁ ଗଭୀର ଖାଇରେ ଖସିପଡ଼ିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଖବର ପାଇବା ମାତ୍ରେ ବ୍ୟାସୀ ଏବଂ ଢାଲୱାଲାରେ ମୁତୟନ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଖାଇ ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର ସହ ଆହତଙ୍କୁ ଚିକିତ୍ସା ପାଇଁ ପଠାଇବାକୁ ଉଦ୍ୟମ ଜାରି ରହିଛି ।

ଏହି ଦୁଃଖଦ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ଟିହରୀ ଗଢ଼ୱାଲ ଜିଲ୍ଲାରେ ଦୁର୍ଘଟଣା ଯୋଗୁଁ ହୋଇଥିବା ଜୀବନହାନି ସମ୍ପର୍କରେ ଜାଣି ସେ ମର୍ମାହତ ବୋଲି କହିଛନ୍ତି । ଏହି ଦୁଃଖଦ ସମୟରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ସେପଟେ ନିକଟରେ ଉତ୍ତରାଖଣ୍ଡର ଯୋଶୀମଠରେ ମଧ୍ୟ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଥିଲା । ଏଥିରେ ହେଲିକପ୍ଟରରେ ଥିବା ସମସ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ବଦ୍ରିନାଥ ଧାମରୁ ଟ୍ରାନ୍ସ ଭାରତ କମ୍ପାନୀର ହେଲିକପ୍ଟର ୬ ଜଣ ଯାତ୍ରୀଙ୍କୁ ନେଇ ଦେହରାଦୁନର ସହସ୍ରଧାରା ଅଭିମୁଖେ ଯାଉଥିବା ବେଳେ ଖରାପ ପାଗ ଯୋଗୁଁ ଚାଇ ଏବଂ ଥାୟଙ୍ଗ ଗାଁ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଲଗାତାର ଏଭଳି ଦୁର୍ଘଟଣା ଉତ୍ତରାଖଣ୍ଡରେ ଯାତ୍ରୀଙ୍କ ସୁରକ୍ଷା ଓ ପାହାଡ଼ିଆ ରାସ୍ତାରେ ଯାତାୟାତକୁ ନେଇ ପୁଣି ଚିନ୍ତା ବଢ଼ାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL