ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶାର ଦୁଇ ଜଣ ସଦସ୍ୟ ଗଲା ନଭେମ୍ବର ୧୦ ତାରିଖ ଦିନ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଧିନସ୍ଥ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମ ଓ ପଡୋଶୀ ଡମା ଗ୍ରାମକୁ ଯାଇଥିଲେ।
ଏହି ଦୁଇ ଜଣିଆ ଦଳ ପୀଡ଼ିତା ମହିଳାଙ୍କ ପରିବାରର ସଦସ୍ୟ, ଗ୍ରାମବାସୀ, ନିର୍ବାଚିତ ପ୍ରତିନିଧୀ, ଏନଜିଓ ଓ ବ୍ଲକ ବିଡିଓଙ୍କୁ ସାକ୍ଷାତ କରିଥିଲା। ଉକ୍ତ ଦଳ ନିଜର ସଂକ୍ଷିପ୍ତ ମନ୍ତବ୍ୟ ଏଠାରେ ପ୍ରକାଶ କରୁଛି।
ମିଡିଆର ତଥ୍ୟ ଅନୁସାରେ ଅକ୍ଟୋବର ୩୦ ତାରିଖରେ କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗ୍ରାମରେ ଆଠ ଜଣ ମହିଳା ଆମ୍ବଟାକୁଆ ଖାଇ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ଡାକ୍ତରଖାନା ଆଣିବା ଭିତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଗଲା। ଅନ୍ୟ ଛଅ ଜଣଙ୍କର ଚିକିତ୍ସା ଲାଗି ବ୍ରହ୍ମପୁର ମେଡିକାଲ କଲେଜ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ତିନି ଜଣ ଗ୍ରାମକୁ ଫେରିଆସିଛନ୍ତି।
ଗ୍ରାମାବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ଯ ଶସ୍ଯ ସରିଯାଏ। ଲୋକେ ସେହି ସମୟର ଖାଦ୍ୟର ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡି ଦେଇଥାନ୍ତି।
ବ୍ରହ୍ମପୁରରୁ ଚିକିତ୍ସିତ ହୋଇ ଫେରିଥିବା ପ୍ରଭାତୀ ପାଟ୍ଟମାଝି, ସୁସନା ପାଟ୍ଟମାଝି ଓ ଜୀବନ୍ତୀ ପାଟ୍ଟମାଝିଙ୍କୁ ଦଳ ଭେଟିଥିଲା। ସେମାନଙ୍କ ଠାରୁ ପ୍ରକାଶ ଯେ ଭିଜା କୋଇଲି ଗୁଣ୍ଡ ସଂପୂର୍ଣ୍ଣ ଫିମ୍ପି ମାରିଯାଇଥିଲା। ଫଳରେ, ଖାଇବାର କିଛି ଘଣ୍ଟା ପରେ ଅତ୍ୟଧିକ ଝାଡା ଓ ବାନ୍ତି ହେଲା। ଉଲ୍ଲେଖନୀୟ ବିଷୟ ହେଲା ଯେ କ୍ଷତିଗ୍ରସ୍ତ ଆଠ ଜଣ ମହିଳାଙ୍କ ମଧ୍ୟରୁ ସାତ ଜଣ ମହିଳା ୨୫ ରୁ ୩୫ ବର୍ଷ ବୟସର। ସେମାନେ ଚାହିଁଥିଲେ ୨୦୦୫ ମସିହାରୁ ନିଜର ସ୍କୁଲ ଶିକ୍ଷା ଆରମ୍ଭ କରିପାରିଥାନ୍ତେ। ସେମାନେ ବିଭିନ୍ନ ଗ୍ରାମରୁ ମାଣ୍ଡିପଙ୍କାକୁ ବୋହୁ ହୋଇଆସିଛନ୍ତି। ଦୁଃଖର କଥା ଯେ କେହି ଜଣେ ହେଲେ ସ୍କୁଲ ଯାଇନାହାନ୍ତି। ତେଣୁ ଦାରିଦ୍ର୍ଯ ଯେ ଉକ୍ତ ଅଞ୍ଚଳରେ କେତେ ବ୍ୟାପ୍ତ ତାହା ଏହିଥିରୁ ବୁଝାପଡେ। ଏବେ ମୃତ ରୁନି ମାଝିଙ୍କର ଛଅ ମାସର ଛୋଟ ଝିଅର ଜୀବନ ଘୋର ଅନିଶ୍ଚିତତା ମଧ୍ୟରେ ରହିଛି।
ଉକ୍ତ ଆଠ ଜଣ ମହିଳାଙ୍କୁ ସୁଭଦ୍ରା ଯୋଜନାର କୌଣସି କିସ୍ତିରେ ଟଙ୍କା ମିଳିନାହିଁ। ଏପରିକି ସମଗ୍ର ମାଣ୍ଡିପଙ୍କା ଗ୍ରାମରେ କାହାରିକୁ ବି ସୁଭଦ୍ରା ଯୋଜନାରେ ଟଙ୍କା ମିଳିନଥିବା ସେମାନେ ପ୍ରକାଶ କଲେ। ପ୍ରଭାତୀଙ୍କ ସ୍ଵାମୀ ତାରଣ ପାଟ୍ଟମାଝି ଆଦିବାସୀ କନ୍ଧ ସଂପ୍ରଦାୟର। ତାରଣଙ୍କୁ କିନ୍ତୁ କାଳିଆ ଯୋଜନାରେ ପ୍ରଥମ କିସ୍ତି ବାବଦରେ ଥରେ ମାତ୍ର ପାଞ୍ଚ ହଜାର ଟଙ୍କା ମିଳିଥିଲା ଯାହା ଅନ୍ୟ ସାତ ପରିବାରକୁ ମଧ୍ୟ ମିଳିନାହିଁ। ଦୀର୍ଘ ଦିନ ସେ କେରଳରେ ଦିନମଜୁରିଆ ଭାବରେ ରହିଥିଲେ। ଦୁଃଖଦ ଘଟଣା ଶୁଣି କେରଳରୁ ସେ ଆସି ପହଞ୍ଚିଛନ୍ତି।
ଜୀବନ୍ତୀଙ୍କ ସ୍ଵାମୀ ଅନେକ ଦିନ କେରଳରେ ରହିଥିଲେ। ଏବେ ବୟସ ଅଧିକ ହେତୁ ଯାଇପାରୁନାହାନ୍ତି। ସାହିରେ କାହାରିକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ମିଳିନାହିଁ। ନିଜର ଅଣଜଳସେଚିତ ଜମିରେ କିଛି ପରିବାର ଧାନ ଓ ମକା ଚାଷ କରିଛନ୍ତି। ମକା ଚାଷ ଲାଗି ବର୍ଷକୁ ୩୬ ପ୍ରତିଶତ ହାରରେ ବ୍ରାହ୍ମଣୀ ଗାଁର ସାହୁକାରଙ୍କ ଠାରୁ ରୁଣ ଆଣି ଚାଷ କରୁଛନ୍ତି।
ଆମ୍ବ ଟାକୁଆ ଖାଇବା ଯଦି ପାରମ୍ପରିକ ଖାଦ୍ଯ ହୋଇଥାନ୍ତା ତେବେ ଏଥିରୁ ପ୍ରସ୍ତୁତ ଖାଦ୍ଯ ଆଦିବାସୀଙ୍କ ଧରଣୀ ପେନୁ, କେଡୁ ପୂଜା (କନ୍ଧମାଳ ଆଦିବାସୀଙ୍କ ମୁଖ୍ୟ ପର୍ବ) ବା ହିନ୍ଦୁଙ୍କ ଦେବାଦେବୀଙ୍କ ନିକଟରେ ପୂଜା ଦ୍ରବ୍ଯ ଭାବରେ ରଖାଯାଇଥାନ୍ତା। କାରଣ ଧାର୍ମିକ ବିଶ୍ଵାସକୁ ବାଦ ଦେଇ କୌଣସି ପରମ୍ପରା କେବେ ଦୀର୍ଘ କାଳ ବଞ୍ଚିନାହିଁ।
ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହାକୁ ପୁଷ୍ଟିକର ଖାଦ୍ଯ ବୋଲି ଯୁକ୍ତି ମଧ୍ୟ କରୁଛନ୍ତି। ସତରେ ଯଦି ଏଥିରେ ପୌଷ୍ଟିକତା ରହିଛି ବୋଲି ସରକାର କହୁଛନ୍ତି ତେବେ ସ୍କୁଲ ବହିର ସନ୍ତୁଳିତ ଖାଦ୍ଯ ବା ପୌଷ୍ଟିକ ଖାଦ୍ୟ ତାଲିକାରେ ଯେଉଁଠି ଭାତ, ଡାଲି, ଅଣ୍ଡା ଓ ଶାଗ ଇତ୍ୟାଦି ରହୁଛି ସେଥିରେ କୋଇଲିକୁ ସାମିଲ କରାଯିବ କି? ଟାକୁଆ ଆମ ଦ୍ରୁଷ୍ଟିରେ ନା ପାରମ୍ପରିକ ନା ପୌଷ୍ଟିକ। ଲୋକେ ଏହାକୁ ସଂଗ୍ରହ କରି ରଖିଥାନ୍ତି। ପୁଣି ନୂଆ ଶସ୍ୟ ଆସିବା ପରେ ବଳକା ଟାକୁଆ ଫିଙ୍ଗିଦେଇଥାନ୍ତି। କୌଣସି ପୌଷ୍ଟିକ ଅଥବା ପାରମ୍ପରିକ ଖାଦ୍ୟକୁ କଣ କେହି ଫିଙ୍ଗିଥାଏ?
ପରିସ୍ଥିତିକୁ ଅଧିକ ବୁଝିବା ଲାଗି ଆମେ ନିକଟବର୍ତ୍ତୀ ଡମା ଗ୍ରାମକୁ ମଧ୍ୟ ଯାଇଥିଲୁ। ସେଠାରେ ଆମେ ଆମ୍ବ ଟାକୁଆ ରଖିଥିବା ପରିବାରର ସଦସ୍ଯଙ୍କୁ ଭେଟିଲୁ। ତାଙ୍କର ୧୮ ବର୍ଷର ପୁଅ କେରଳରେ ଅଛନ୍ତି। ସାହିର ସମୁଦାୟ ୨୭ ପରିବାର ମଧ୍ୟରୁ ୭ ଜଣ କେରଳରେ।
ମାଣ୍ଡିପଙ୍କାରେ ସମୁଦାୟ ୩୦୦ ଘର ଅଛି। ଏଥିରେ ମୁଖ୍ଯତଃ ଆଦିବାସୀ ଓ ଦଳିତ ପରିବାର ରୁହନ୍ତି। ଗାଁର ପୁଅ ଝିଅ ୧୪/୧୫ ବର୍ଷ ହେଲେ କେରଳ ଯିବା ଆରମ୍ଭ କରିଦେଉଛନ୍ତି। ଗାଁର ପ୍ରାୟ ୩୦୦ ପିଲା ଏବେ କେରଳରେ ଅଛନ୍ତି।
ଏଠାରେ ଲୋକେ ଜଙ୍ଗଲରେ ଶିଆଳୀ ପତ୍ର ସଂଗ୍ରହ କରି ଅତୀତରେ ନିଜର ଆଞ୍ଚଳିକ ସମବାୟ ମାଧ୍ୟମରେ ତାହାକୁ ଉପଯୁକ୍ତ ଦରରେ ବିକ୍ରି କରୁଥିଲେ। ବ୍ୟବସାୟୀ ଓ ରାଜନେତାଙ୍କ ଷଡଯନ୍ତ୍ରରେ ସମବାୟ ଗୁଡିକ ବନ୍ଦ ହୋଇଯିବା ପରେ ଲୋକେ ଶିଆଳୀ ପତ୍ର ବା ଅନ୍ୟ ଜଙ୍ଗଲଜାତ ଦ୍ରବ୍ଯର ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି।
ଲୋକଙ୍କ ଲାଗି ପ୍ରାୟରିଟି ହାଉସ ହୋଲ୍ଡ ବା ପିଏଚଏଚ ତାଲିକାରେ ଦିଆଯାଉଥିବା ମୁଣ୍ଡ ପିଛା ୫ କିଗ୍ରା ଚାଉଳ କଦାପି ଯଥେଷ୍ଟ ନୁହେଁ। ସେଥିରେ ପୁଣି କେୱାସି ଅପଡେଟ ନାମରେ ଦୀର୍ଘ ତିନି ମାସ ହେଲା (ଏପ୍ରିଲ, ମେ ଓ ଜୁନ) ସେମାନଙ୍କୁ ଚାଉଳରୁ ବଞ୍ଚିତ କରାଯାଇଛି।
ସମାଜବିଜ୍ଞାନୀ ପ୍ରଫେସର ଜୟତୀ ଘୋଷଙ୍କ ମତରେ ଦେଶବ୍ୟାପୀ ଇ-କେୱାସୀ ଅପଡେଟ କରିବା ପଛରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ହେଲା ପୂର୍ବରୁ ପାଉଥିବା ହିତାଧିକାରୀଙ୍କ ସଂଖ୍ୟାକୁ ବିଭିନ୍ନ ଆଳ ଦେଖାଇ ସଂଖ୍ୟା କମ କରିବା। ଦାରିଦ୍ର୍ଯ ଦୂରୀକରଣ ଲାଗି ପୂର୍ବବର୍ତ୍ତୀ ଓ ଏବର ସରକାରମାନେ ଚଳାଇ ରଖିଥିବା “ଉଜ୍ଜ୍ଵଲା”, “ମୁକ୍ତା”, “ସୁଭଦ୍ରା”, “କାଳିଆ”, “ମୁଦ୍ରା”, “ବୁନ୍ଦା”, “ବସୁଧା” ଇତ୍ୟାଦି ଅନେକ ଯୋଜନା ଘୋଷଣା କରିଥିଲେ ମଧ୍ୟ ସରକାର ଯେ ଲୋକଙ୍କ ଲାଗି ବ୍ୟସ୍ତ ତାହା କେବଳ ଦର୍ଶାଇବା ବ୍ଯତୀତ ଏହି ସମସ୍ତ ଯୋଜନାର ସୁଫଳ ମିଳିବାର ନାହିଁ।
ଦେଶରେ ବିକାଶର ପରିକଳ୍ପନା କଦାପି ସାଧାରଣ ଲୋକଙ୍କ ଆଗ୍ରହ, ଆବଶ୍ୟକତା, ପରମ୍ପରା, କାର୍ଯ୍ୟଦକ୍ଷତାକୁ ଦେଖି ତିଆରି ହୋଇନାହିଁ। ବିକାଶ ପଦ୍ଧତି ମୁଷ୍ଟିମେୟଙ୍କ ଲାଗି ହୋଇଥିବା କାରଣରୁ ସେମାନଙ୍କ ଦ୍ଵାରା ଚଳାଇ ରଖାଯାଇଥିବା ଶୋଷଣ ଦେଶରେ ଦାରିଦ୍ର୍ଯ ସୃଷ୍ଟି କରୁଛି।
ଦୁଃଖର କଥା ଯେ ଦାରିଙ୍ଗବାଡି – ବ୍ରାହ୍ମଣୀଗାଁ ଅଞ୍ଚଳରେ ଲୋକଙ୍କ ଅଧିକାରକୁ ନେଇ କୌଣସି ସଂଗଠନ ବା ରାଜନୈତିକ ଦଳ ଦୀର୍ଘ ଦିନ ମଧ୍ୟରେ କୌଣସି ଧାରଣା, ବିକ୍ଷୋଭ, ରାଲି କରିନାହାନ୍ତି। ଏହା ହୋଇଥିଲେ ଅନ୍ତତଃ ଲୋକଙ୍କ ସମସ୍ଯା ସମ୍ପର୍କରେ ବାହାର ଦୁନିଆ ଜାଣିପାରିଥାନ୍ତା। ଆଜି ଦୁଇ ଜଣ ମହିଳାଙ୍କ ଦୁଃଖଦ ମୃତ୍ୟୁ ପରେ ବାହାର ଦୁନିଆ ଅଞ୍ଚଳର ସମସ୍ଯା ସମ୍ପର୍କରେ ଜାଣିପାରୁଛି।
ଆମ ଦଳର ଏଥିରେ ଦ୍ଵିମତ ନାହିଁ ଯେ ଆଜି ଆମ୍ବଟାକୁଆ ଜନୀତ ମୃତ୍ୟୁର କାରଣ ଅତ୍ୟଧିକ ଦାରିଦ୍ର୍ଯ। ଏଥିଲାଗି ସରକାରଙ୍କ ବ୍ୟବସ୍ଥା ହିଁ ସଂପୂର୍ଣ୍ଣ ଦାୟୀ। ଅଞ୍ଚଳର ସମସ୍ଯାକୁ ଦ୍ରୁଷ୍ଟିରେ ରଖି କେତେକ ତତ୍କାଳୀକ ଉପଚାର ଲାଗି ନିମ୍ନ ଲିଖିତ ଦାବି ‘ଗାସ’ ତରଫରୁ କରାଯାଉଛି।
ଦାବି ସମୂହ ହେଉଛି –
୧. ସମସ୍ତ ପିପିଏଚ ପରିବାରକୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯାଉ ଯାହା ଦ୍ଵାରା ଚାଉଳର ଅଭାବ ରହିବ ନାହିଁ।
୨. ଜଙ୍ଗଲ ଅଧିକାର ଆଇନ ବଳରେ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ। ଜଙ୍ଗଲରେ ଲୋକଙ୍କ ଆବଶ୍ୟକତାକୁ ନେଇ ଚାରା ରୋପଣ କରାଯାଉ। ତାହାହେଲେ ଜଙ୍ଗଲଜାତ ଦ୍ରବ୍ଯ ସଂଗ୍ରହ କରି ଲୋକେ କିଛି ମାସ ଚଳିପାରିବେ। ଆଞ୍ଚଳିକ ସମବାୟମାନଙ୍କୁ ସକ୍ରିୟ କରାଗଲେ ଲୋକେ ଉପଯୁକ୍ତ ମୂଲ୍ୟ ମଧ୍ୟ ପାଇପାରିବେ।
୩. ଅଗଷ୍ଟ ଠାରୁ ଡିସେମ୍ବର ମଧ୍ୟରେ ମନରେଗା ମାଧ୍ୟମରେ ନିହାତି ୧୦୦ ଦିନ କାର୍ଯ୍ୟ ଦିବସ ପ୍ରତି ବର୍ଷ ସୃଷ୍ଟି କରାଯାଉ। ସରକାର ନିଜେ କାମ ଯୋଗାଇ ନପାରିଲେ ମନରେଗା ନିୟମ ଅନୁସାରେ ବେକାରୀ ଭତ୍ତା ଦିଅନ୍ତୁ। ଲୋକଙ୍କ ଲେବର କାର୍ଡ ସରକାରୀ ଅଧିକାରୀ ବା ଠିକାଦାର ନିଜ ପାଖରେ ରଖିବା ଏକ ଅପରାଧ ବୋଲି ଧରାଯାଇ ସେମାନଙ୍କ ବିରୁଦ୍ଧରେ କ୍ରୀମିନାଲ ଆକ୍ସନ ନିଆଯାଉ। ମନରେଗାରେ କାର୍ଯ୍ୟ କରିଥିବା ଲୋକଙ୍କ ପୁରୁଣା ମଜୁରୀ ଶୀଘ୍ର ପେମେଣ୍ଟ କରାଯାଉ।
୪. ଗ୍ରାମରେ ଅଧିକ ସଂଖ୍ଯାରେ ଅଙ୍ଗନବାଡି କେନ୍ଦ୍ର ଓ ପ୍ରାଥମିକ ସ୍କୁଲ ତିଆରି କରାଯାଉ। ଲୋକେ ଯେପରି ଦାଦନ ଖଟିବାକୁ ଅଞ୍ଚଳରୁ ନଯିବେ ସେଥିଲାଗି ପଦକ୍ଷେପ ରାଜ୍ୟ ସରକାର ନିଅନ୍ତୁ।
ଉକ୍ତ ତଥ୍ୟ ଅନୁସନ୍ଧାନକାରୀ ଦଳରେ ନୀହାରକାନ୍ତି ଦାଶ ଓ ଦେବ ରଞ୍ଜନ ସଦସ୍ୟ ଥିଲେ।