ଅନ୍ତର୍ଜାତୀୟ ଜ଼ିଲ୍ଲା

ଆଦାନିର ଖେଳ ଆମେରିକା ବଳ ଭାରତକୁ କାଳ

ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକରେ ପ୍ରବଳମାତ୍ରାରେ ଖଣିଜ ଇନ୍ଧନ ଦହନ ହେବାଦ୍ଵାରା ବାୟୁମଣ୍ଡଳ ବିଶୃଙ୍ଖଳ ହୋଇ ଅସ୍ୱାଭାବିକ ଆଚରଣ କରୁଛି। ସେଥିପାଇଁ ଓଡିଶା, ଭାରତ ତଥା ପୃଥିବୀର ତାପମାତ୍ରା କ୍ଷୀପ୍ରଗତିରେ ବୃଦ୍ଧିହେବା ଘଟଣା ଓ ଦୁର୍ଘଟଣା ଗତ ପାଞ୍ଚବର୍ଷ ଅବଧିରେ ବ୍ୟକ୍ତିଗତ ସ୍ତରରେ ସମସ୍ତେ ଅନୁଭବ କରୁଛୁ। ତେଣୁ ଖଣିଜ ଇନ୍ଧନ ଦହନକୁ ବିରାମ ଦେଇ ଅକ୍ଷୟ ଶକ୍ତିର ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ଉପରେ ବିଶ୍ଵ ସମୁଦାୟ ପ୍ରାଥମିକତା ଦେଇ ଆସୁଛନ୍ତି। ଅକ୍ଷୟଶକ୍ତି ଉତ୍ପାଦନକୁ ବୃଦ୍ଧି କରିବାପାଇଁ ୨୦୧୧ରେ ଭାରତ ସରକାର ସୋଲାର ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆ (SECI) ବା ସେକି ଗଠନ କଲେ। ଆମେରିକା ସରକାର ଅଭିଯୋଗ କରିଛନ୍ତି, ସେକି ମାଧ୍ୟମରେ ଆଦାନିର ଖେଳ ଓଡିଶାରୁ ଆରମ୍ଭ ଭାରତ ପାଇଁ କାଳ ହୋଇଛି। ସେଥିପାଇଁ ଆମେରିକା ସରକାର ବଳ ପ୍ରୟୋଗ କରି ଆଦାନି ନାମରେ ୱାରେଣ୍ଟ ଜାରି କରିଛନ୍ତି। ଘଟଣାଟି ହେଉଛି ଏହିପରି। ସେକି, ୮୦୦୦ ମେଗାୱାଟ (୮ ଗିଗାୱାଟ) ସୋଲାର ପ୍ଳାଣ୍ଟ ପ୍ରତିଷ୍ଠା କରିବା ପାଇଁ ଟାରିଫ ଭିତ୍ତିକ ଖୋଲା ବଜାର ପ୍ରତିଯୋଗିତା ମୂଳକ ଟେଣ୍ଡର ପ୍ରକ୍ରିୟାରେ ଆଦାନି ଗ୍ରୀନ ଏନର୍ଜିକୁ ଚୟନ କଲେ ଓ ପ୍ଳାଣ୍ଟ ସ୍ଥାପନ ପାଇଁ ଅନୁମତି ଦେଲେ। ଉତ୍ପାଦିତ ବିଦ୍ୟୁତକୁ କ୍ରୟ କରିବା ପାଇଁ ସେକି-ଆଦାନି ଚୁକ୍ତି ସମ୍ପାଦନ କରାଗଲା। ପ୍ଳାଣ୍ଟ ପ୍ରତିଷ୍ଠା ପାଇଁ ଆଦାନି ଆବଶ୍ୟକୀୟ ପୁଞ୍ଜି ଆମେରିକା ବଜାରରୁ ଉଠାଇଲେ। ଉକ୍ତ ୮ ଗିଗାୱାଟ ବିଦ୍ୟୁତ ବିକ୍ରୟ ପାଇଁ ସେକି ପ୍ରଥମେ ଓଡିଶାସହ ୫୦୦ ମେଗାୱାଟ ବିଦ୍ୟୁତ ବିକ୍ରୟ ପାଇଁ ୟୁନିଟ ପିଛା ୨ ଟଙ୍କା ୭୩ ପଇସା ହିସାବରେ ୦୭.୦୮.୨୦୨୦ରେ ପ୍ରସ୍ତାବ ଦେଲେ। ଓଡିଶା ସରକାରଙ୍କ ପକ୍ଷରୁ ଗ୍ରୀଡ୍କୋ ପ୍ରସ୍ତାବଟିକୁ ତର୍ଜମା କରି ୟୁନିଟ ପିଛା ୨ ଟଙ୍କା ୬୧ ପଇସାରେ ସ୍ତିର କଲେ। ଆବଶ୍ୟକୀୟ କ୍ରୟଚୁକ୍ତି ସମ୍ପାଦନ କରିବା ପୂର୍ବରୁ ବିଦ୍ୟୁତ ଆଇନି ଧାରା ୮୬ ଅନୁସାରେ ଗ୍ରୀଡ୍କୋ ଓଇଆରସିଙ୍କୁ ଆବେଦନ କଲେ। ଓଡିଶା ଆୟୋଗ ଆବେଦନକୁ ଗ୍ରହଣ କଲେ କିନ୍ତୁ ବିଦ୍ୟୁତ ଆଇନି ଅନୁସାରେ ଜନଶୁଣାଣି ନକରି ଗ୍ରୀଡ୍କୋ ପ୍ରସ୍ତାବକୁ ଦୁଇଟି କେସରେ ୨୦ ଓ ୭୦/୨୦୨୧ ତା ୨୨.୦୬.୨୦୨୧ ଓ ୧୮.୧୦.୨୦୨୧ରେ ଅନୁମୋଦନ କରିଦେଲେ। ଟେଣ୍ଡର ପ୍ରକ୍ରିୟାରେ ଖୋଲା ବଜାରରୁ କମ ମୂଲ୍ୟରେ ବିଦ୍ୟୁତ କ୍ରୟ କରିବାପାଇଁ ବିଦ୍ୟୁତ ଆଇନି ଧାରା ୬୩ ଅନୁସାରେ ଗ୍ରୀଡ୍କୋ କ୍ଷମତାପ୍ରାପ୍ତ ଥିଲେବି ତାହା କଲେ ନାହି। ତେଣୁ ପ୍ରଶ୍ନ ଉଠୁଛି ଗ୍ରୀଡ୍କୋ କିପରି ଜାଣିଲେ ସେକି-ଆଦାନି ବିଦ୍ୟୁତମୂଲ୍ୟ ବଜାରମୂଲ୍ୟ ଠାରୁ କମ ରହିଛି? ଗ୍ରୀଡ୍କୋର ବିଦ୍ୟୁତ ଆଇନିକୁ ଏପରି ଖୋଲା ଉଲ୍ଲଂଘନକୁ ଆୟୋଗ ଅଭିଯୋଗ ନକରି କିପରି ଅନୁମୋଦନ କରିଦେଲେ? ତେଣୁ ସେକି-ଆଦାନି ବିଦ୍ୟୁତକ୍ରୟ କାରବାର ପଛରେ ଓଇଆରସି-ଗ୍ରୀଡ୍କୋ ଲାଞ୍ଚ ଗ୍ରହଣ କରିବା ସନ୍ଦେହ ଦୃଢୀଭୂତ ହୋଇଛି। ଆୟୋଗ କହିଛନ୍ତି, ଗ୍ରୀଡ୍କୋ ୨୫ ବର୍ଷପାଇଁ ୟୁନିଟ ପିଛା ୨ ଟଙ୍କା ୬୧ ପଇସା ହିସାବରେ ସେକି-ଆଦାନି ଠାରୁ ସୋଲାର ବିଦ୍ୟୁତ କ୍ରୟ କରିବ। ସେକି-ଆଦାନି ଖେଳ ଓଡିଶାରେ ସଫଳ ହେଲାପରେ ଆନ୍ଧ୍ରରେ ୟୁନିଟ ପିଛା ୨ ଟଙ୍କା ୪୯ ପଇସାରେ ୭ ଗିଗାୱାଟ ଓ ଅବଶିଷ୍ଟ ୫୦୦ ମେଗାୱାଟ ତାମିଲନାଡୁ, ଛତିଶଗଡ ଓ ଜମ୍ମୁ କାଶ୍ମୀରକୁ ବିକ୍ରୟ ପାଇଁ ଚୁକ୍ତି କରିଦେଲେ। ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଆମେରିକା ସରକାରଙ୍କର ନ୍ୟାୟ ବିଭାଗ ସେକି-ଆଦାନି ବିକ୍ରୟ କରିଥିବା ୮ ଗିଗାୱାଟ ବିଦ୍ୟୁତ କାରବାରରେ ୨୬୫ ନିୟୁତ ଡଲାର ଲାଞ୍ଚ ଦିଆଯାଇଥିବା ଅଭିଯୋଗ ଫର୍ଦ୍ଧ ଦାଖଲ କରିଛନ୍ତି। ଆମେରିକା ସରକାରଙ୍କର ଅଭିଯୋଗରେ କେତେ ସତ୍ୟ ଅଛି ତାହା ଭବିଷ୍ୟତ କହିବ। ଆମ ବିଚାରରେ ଗ୍ରୀଡ୍କୋ ସହିତ ସେକି-ଆଦାନି ସମ୍ପାଦନ କରିଥିବା ୨୫ ବର୍ଷୀୟ ବିଦ୍ୟୁତ କ୍ରୟଚୁକ୍ତିରେ ବହୁତ ଗୁଡିଏ ତ୍ରୁଟି ଥିବା ସ୍ପଷ୍ଟ ଅନୁମେୟ। ଭାରତ ସରକାର ସୋଲାର ପ୍ଳାଣ୍ଟ ପାଇଁ ଅନୁମୋଦନ କରିଥିବା ୧୯ ପ୍ରତିଶତ ପ୍ଳାଣ୍ଟ ବ୍ୟବହାର କ୍ଷମତା ବାସ୍ତବିକତା ଠାରୁ କମ କାରଣ ସୋଲାର ପାୱାର ପ୍ଳାଣ୍ଟ ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିବ। ଅର୍ଥାତ ୨୪
ଘଣ୍ଟାରୁ ୯ ଘଣ୍ଟା ବିଦ୍ୟୁତ ଉତ୍ପାଦନ ହୋଇପାରିବ, କେବଳ ବର୍ଷାମାସରେ ଏହା ସମ୍ଭବ ନୁହେଁ। ଭାରତର ସାମ୍ପ୍ରତିକ ତାପମାତ୍ରା ବୃଦ୍ଧିକୁ ବିଚାରକୁ ନେଲେ ସୋଲାର ପାୱାର ପ୍ଲାଣ୍ଟର ବ୍ୟବହାରିକ କ୍ଷମତା ୨୫% ରହିବ। ଗୁଜୁରାଟ ଆୟୋଗ ୨୨.୫୦% ଅନୁମୋଦନ କରିବା ନଜିର ଅଛି। ବିଦ୍ୟୁତ କିମ୍ବା ଅନ୍ୟାନ ସାମଗ୍ରୀର ବିକ୍ରୟମୂଲ୍ୟ ନିର୍ଣ୍ଣୟ କରିବା ସମୟରେ ୬ଟି ପ୍ରମୁଖ କ୍ଷେତ୍ରର ପ୍ରଭାବକୁ ବିଚାରକୁ ନିଆଯାଏ। ଯଥା ୧- ପ୍ରକଳ୍ପ/ଶିଳ୍ପର ପରମାୟୁ, ୨-ପୁଞ୍ଜିନିବେଶ ପରିମାଣ, ୩-ବାର୍ଷିକ ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ, ୪-ପୁଞ୍ଜିନିବେଶର ବାର୍ଷିକ ଖର୍ଚ, ୫-ପ୍ରକଳ୍ପର ବ୍ୟବହାରିକ କ୍ଷମତା କାରକ ଓ ୬-ଲାଭ ପରିମାଣ। ତୁଳନାତ୍ମକ ଭାବେ ଆମେ ୧୦୦୦ ମେଗାୱାଟ ତାପଜ ବିଦ୍ୟୁତକେନ୍ଦ୍ର ସହିତ ସମାନ କ୍ଷମତାସମ୍ପର୍ଣ ୧୦୦୦ ମେଗାୱାଟ ସୋଲାର ପ୍ଳାଣ୍ଟ ବିଚାରକୁ ନେଇ ସେକି-ଆଦାନି ବିଦ୍ୟୁତମୂଲ୍ୟକୁ ସମୀକ୍ଷା କରିବା। ୧-ପ୍ରକଳ୍ପ ପରମାୟୁ ଆୟୁଷ ସୋଲାର ପ୍ଳାଣ୍ଟ ପାଇଁ ୨୫ ବର୍ଷରୁ ଉର୍ଦ୍ଧ ଅବଧି ଥିଲେବି ତାପଜ ବିଦ୍ୟୁତକେନ୍ଦ୍ର ଭଳି ଏହାକୁ ୨୫ ବର୍ଷ ଅନୁମୋଦନ କରିବା ଦ୍ଵାରା ସୋଲାର ବିଦ୍ୟୁତମୂଲ୍ୟ ବୃଦ୍ଧି ଘଟିଛି। ସୋଲାର ପାନେଲର ଆୟୁଷ ଅବଧି ୩୦ ରୁ ୩୫ ବର୍ଷ ରହିଥିବା ନିର୍ମାତାମାନେ ପ୍ରକାଶ କରୁଛନ୍ତି। ୨-ପୁଞ୍ଜିନିବେଶ କ୍ଷେତ୍ରରେ ୧୦୦୦ ମେଗାୱାଟ କ୍ଷମତା ସମ୍ପର୍ଣ୍ଣ ତାପଜ ବିଦ୍ୟୁତକେନ୍ଦ୍ର ପାଇଁ ୮୩୪୦ କୋଟିଟଙ୍କା ଆବଶ୍ୟକ ଥିବାବେଳେ ସୋଲାର ପ୍ଳାଣ୍ଟପାଇଁ ୫୦୦୦ କୋଟିଟଙ୍କା। ଏଥିପାଇଁ ସେକି-ଆଦାନି ବିଦ୍ୟୁତମୂଲ୍ୟ ତାପଜ ଠାରୁ କମ ରହିବ। ୩-ବାର୍ଷିକ ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ ତାପଜ ବିଦ୍ୟୁତକେନ୍ଦ୍ରରେ ୟୁନିଟ ପିଛା ୧ଟଙ୍କା ୫୦ ପଇସା ହୋଇଥିବାବେଳେ ସୋଲାର ପ୍ଳାଣ୍ଟର ସେପରି ଖର୍ଚ ପ୍ରାୟ ନାହି। ଅର୍ଥାତ ତାପଜ ବିଦ୍ୟୁତ ଠାରୁ ସେକି-ଆଦାନି ବିଦ୍ୟୁତମୂଲ୍ୟ ୟୁନିଟ ପିଛା ୧ ଟଙ୍କା ୫୦ ପଇସା କମରହିବ। ୪-ପୁଞ୍ଜିନିବେଶ ପାଇଁ ବାର୍ଷିକ ଖର୍ଚ ତାପଜ ବିଦ୍ୟୁତକେନ୍ଦ୍ରରେ ୧୧୫୦ କୋଟିଟଙ୍କା ଓ ସୋଲାର ପ୍ଳାଣ୍ଟରେ ମାତ୍ର ୭୦୦ କୋଟିଟଙ୍କା। ଅର୍ଥାତ ସୋଲାର ପ୍ଲାଣ୍ଟର ପୁଞ୍ଜିନିବେଶ ବାର୍ଷିକ ଖର୍ଚ ୪୫୦ କୋଟିଟଙ୍କା କମ ଥିବାରୁ ସେକି-ଆଦାନି ବିଦ୍ୟୁତମୂଲ୍ୟ କମ ରହିବ। ୫-ତାପଜ ବିଦ୍ୟୁତକେନ୍ଦ୍ରର ବ୍ୟବହାରିକ କ୍ଷମତା କାରକ ୮୫% ଥିବାବେଳେ ସୋଲାର ପ୍ଳାଣ୍ଟ ପାଇଁ ୧୯% ମଞ୍ଜୁର ହୋଇଛି। ଏକ୍ଷେତ୍ରରେ ସୋଲାର ବିଦ୍ୟୁତମୂଲ୍ୟର ଏକ ବଡ ବୃଦ୍ଧିହେବ କିନ୍ତୁ ସରକାର ବାସ୍ତବତାକୁ ବିଚାର କରି ସୋଲାର ପ୍ଳାଣ୍ଟ ବ୍ୟବହାର କ୍ଷମତା କାରକ ୨୫% କରିଥିଲେ ସେକି-ଆଦାନି ବିଦ୍ୟୁତମୂଲ୍ୟ ଆଶାତୀତ ବୃଦ୍ଧି ହୋଇ ନଥାନ୍ତା। ୬-ଶେଷ ପ୍ରମୁଖ କ୍ଷେତ୍ରଟି ହେଉଛି ଲାଭର ପରିମାଣ। ତାପଜ ବିଦ୍ୟୁତକେନ୍ଦ୍ରର ବିଦ୍ୟୁତମୂଲ୍ୟ ନିର୍ଣ୍ଣୟ କରିବା ପ୍ରଣାଳୀରେ ଲାଭ ପରିମାଣ ଆକଳିତ ହୋଇଥାଏ। କିନ୍ତୁ ସେକି-ଆଦାନି ବିଦ୍ୟୁତମୂଲ୍ୟ ନିର୍ଣ୍ଣୟ ପ୍ରଣାଳୀରେ ଆୟୋଗ ଲାଭ ପରିମାଣକୁ ଆକଳିତ କରିନାହାନ୍ତି ଓ ଅସୀମିତ ଲାଭକୁ ଅନୁମୋଦନ କରିଛନ୍ତି। ତେଣୁ ସେକି- ଆଦାନି ବିଦ୍ୟୁତମୂଲ୍ୟ ଅନ୍ଧାରୁଆ ବୃଦ୍ଧି ହୋଇଛି। ଉପରୁକ୍ତ ୬ଟି କ୍ଷେତ୍ର ମଧ୍ୟରୁ ପାଞ୍ଚଟି କ୍ଷେତ୍ର ସୋଲାର ବିଦ୍ୟୁତମୂଲ୍ୟ କମ କରିବା ପାଇଁ ଖୁବ ସହାୟକ ହୋଇଥିବା ବେଳେ କେବଳ ଗୋଟିଏ କ୍ଷେତ୍ର ସୋଲାର ବିଦ୍ୟୁତମୂଲ୍ୟ ବୃଦ୍ଧିକୁ ବଡ ସହାୟକ ହୋଇଛି। ଗୁଜୁରାଟ ବିଦ୍ୟୁତ ଆୟୋଗ ସୋଲାର ବିଦ୍ୟୁତମୂଲ୍ୟ ୧ଟଙ୍କା ୯୯ ପଇସାରୁ ୨ ଟଙ୍କା.୪୦ ପଇସା ଭିତରେ ଅନୁମୋଦନ କରିଛନ୍ତି। ଓପିଜିସି ତାପଜକେନ୍ଦ୍ର ବିଦ୍ୟୁତମୂଲ୍ୟ ୟୁନିଟ
ପିଛା ୩ ଟଙ୍କା ରହିଥିବାବେଳେ ସେକି-ଆଦାନି ସୋଲାର ବିଦ୍ୟୁତ ମୂଲ୍ୟ ୨ ଟଙ୍କା ୬୧ ପଇସା ସ୍ଥିର କରିବା ପ୍ରଣାଳୀରେ ବହୁତ ଗୁଡିଏ ଅସଙ୍ଗତ ଥିବା ସ୍ପଷ୍ଟ ଜଣାପଡୁଛି। ସୋଲାର ପାନେଲ ମୂଲ୍ୟ ହ୍ରାସ ପାଉଥିବା ବେଳେ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ହେବା ସୋଲାର ବିଦ୍ୟୁତମୂଲ୍ୟ କମ କରିବା ପାଇଁ ସହାୟକ ହୋଇଛି। କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ବିଦ୍ୟୁତମୂଲ୍ୟକୁ ନିଶ୍ଚୟ ହ୍ରାସ କରିବାପାଇଁ ଉଦ୍ଧିଷ୍ଟ କିନ୍ତୁ ବଡ ପ୍ରକଳ୍ପ ପାଇଁ ଲାଞ୍ଚ କାରବାର ଘଟଣା ଏହାର ଅଗ୍ରଗତିକୁ ମନ୍ଥର ହୋଇଛି। ଆମ ସମୀକ୍ଷାରେ ବାସ୍ତବିକତା ଆଧାରରେ ଯଦି ଉକ୍ତ ୬ଟି ପ୍ରମୁଖ କ୍ଷେତ୍ରକୁ ବିଚାରକୁ ନିଆଯାଇ ପାରିଥାନ୍ତା ତେବେ ସେକି-ଆଦାନି ବିଦ୍ୟୁତମୂଲ୍ୟ ଅତିବେଶିରେ ୟୁନିଟ ପିଛା ୨ ଟଙ୍କା ରହିଥାନ୍ତା କିନ୍ତୁ ଏସବୁ ବାସ୍ତବତା ଓ ସମ୍ଭାବନାକୁ ଓଇଆରସି-ଗ୍ରୀଡ୍କୋ ମେଣ୍ଟ ସମ୍ପୂର୍ଣ ଅଣଦେଖା କରି ସେକି-ଆଦାନି ମେଣ୍ଟକୁ ଅନୁକମ୍ପା
ଦେଖାଇ ବିଦ୍ୟୁତମୂଲ୍ୟ ବୃଦ୍ଧି କରିଛନ୍ତି ନିଶ୍ଚୟ। ଏଥିପାଇଁ ଆଦାନି ଲାଞ୍ଚ କାରବାର କରିଥିବା ଆମେରିକା ସରକାର ସ୍ପଷ୍ଟ ଅଭିଯୋଗ କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟଟି ହେଉଛି, ସେକି-ଆଦାନି ବିଦ୍ୟୁତମୂଲ୍ୟ ନିର୍ଣ୍ଣୟ ପ୍ରଣାଳୀରେ ଟାଟା ଆବଣ୍ଟନ କମ୍ପାନୀର ଯୁକ୍ତିକୁ ଆୟୋଗ ଅଣଦେଖା କରିଛନ୍ତି। ଆବଶ୍ୟକୀୟ ଟେଣ୍ଡର ଦସ୍ତାବିଜ ଓ ମୂଲ୍ୟ ନିର୍ଣ୍ଣୟ ପଦ୍ଧତିକୁ ପ୍ରକାଶ କରିବା ପାଇଁ ଟାଟା ଯୁକ୍ତି ବାଢିଥିଲେବି ବିଚାରକୁ ନିଆଯାଇ ନାହି। ଆୟୋଗଙ୍କ ଆଦେଶରେ ଏସପିଡ଼ି (ସୋଲାର ପାୱାର ଡେଭଲପର ଅର୍ଥାତ ଆଦାନି) ଉପରେ କୌଣସି ତଥ୍ୟ ନାହି। ସେକି-ଆଦାନି ବିଦ୍ୟୁତମୂଲ୍ୟ ନିର୍ଣ୍ଣୟ ପ୍ରଣାଳୀରେ ଆୟୋଗ କୌଣସି ସ୍ଵଛତା ଅବଲମ୍ବନ କରିନଥିବା ଜଳଜଳ ଦେଖା ଯାଉଛି। ଓଡିଶାରେ ସେକି-ଆଦାନି ଖେଳ ସଫଳ ହେବାପରେ ସମାନ ଢଙ୍ଗରେ ଆନ୍ଧ୍ର, ଛତିଶଗଡ, ତାମିଲନାଡୁ ଓ ଜମ୍ମୁ କାଶ୍ମୀରରେ ବିଦ୍ୟୁତମୂଲ୍ୟ ବୃଦ୍ଧିକରିବାରେ ଏହି ମେଣ୍ଟ ସଫଳ ହୋଇଛି। ସେକି-ଆଦାନି ମେଣ୍ଟ ସହାୟତାରେ ଭାରତରେ ଘଟିଥିବା ଅନ୍ଧାରୁଆ ସୋଲାର ବିଦ୍ୟୁତମୂଲ୍ୟ ବୃଦ୍ଧି ପଛରେ ଥିବା ଲାଞ୍ଚ କରବାରକୁ ଆମେରିକା
କର୍ତ୍ତୁପକ୍ଷ ନିଖୁଣ ଭାବେ ଠଉରାଇ ପାରିଛନ୍ତି ଓ ସେଥିପାଇଁ ତାଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରି ୱାରେଣ୍ଟ ଜାରି କରିଛନ୍ତି। ବିଶ୍ଵସ୍ତରୀୟ ଗଣମାଧ୍ୟମ ଫିନାସିଆଲ ଏକ୍ସପ୍ରେସ ୨୦୨୩ ପାଇଁ ଏକ ସର୍ଭେ ରିପୋର୍ଟ ପ୍ରକାଶକରି ଦର୍ଶାଇଛନ୍ତି, ଭାରତର ଶିଳ୍ପ ବ୍ୟବସାୟୀ ପୃଥିବୀର ହାରାହାରି ବିଦ୍ୟୁତମୂଲ୍ୟ ତୁଳନାରେ ଅଧିକ ବ୍ୟୟ କରୁଛନ୍ତି। ଚୀନ, ରୁଷିଆ, ଆମେରିକା ଓ ଇଣ୍ଡୋନେସିଆ ଆଦି ଶିଳ୍ପ ବିକଶିତ ଦେଶଗୁଡିକ ତୁଳନାରେ ଶିଳ୍ପପାଇଁ ଭାରତର ବିଦ୍ୟୁତ ମୂଲ୍ୟ ବହୁତ ଅଧିକ ରହିଛି। ରିପୋର୍ଟରୁ ସ୍ପଷ୍ଟ ଅନୁମେୟ, ଯେଉଁ ବୃହତ ଦେଶଗୁଡିକ ବିଦ୍ୟୁତମୂଲ୍ୟ କମ ରଖିଛନ୍ତି ସେମାନେ ପ୍ରବଳ ଅର୍ଥନୈତିକ ବିକାଶ ଲାଭ କରିଛନ୍ତି। ଭାରତର ଅର୍ଥନୈତିକ ବିକାଶରେ ବର୍ଦ୍ଧିତ ବିଦ୍ୟୁତମୂଲ୍ୟ ବୃଦ୍ଧି ଏକ ବଡ ପ୍ରତିବନ୍ଧକ ହୋଇଛି। ଭାରତର ବିଦ୍ୟୁତମୂଲ୍ୟ ବିଶ୍ୱସ୍ତରରେ ପ୍ରତିଯୋଗୀକ୍ଷମ ନହେବାରୁ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଭାରତରେ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ସକ୍ଷମ ହେଉନାହାନ୍ତି। ତେଣୁ ବିକଶିତ ଦେଶଗୁଡିକ ତୁଳନାରେ ଆମର ଅର୍ଥନୈତିକ ଅଭିବୃଦ୍ଧି ବହୁତ ପଛରେ ପଡିଛି। ମୋଟ ଘରୋଇ ଉତ୍ପାଦ ଓ ମୁଣ୍ଡପିଛା ଆୟରେ ଆମେରିକା, ଚୀନ, ରୁଷିଆ, ଓ ଇଣ୍ଡୋନେସିଆ ଭଲ ବିକଶିତ ପରିସ୍ଥିତିରେ ଥିବାବେଳେ ଭାରତ ପରିସ୍ଥିତି ସନ୍ତୋଷଜନକ ନାହି। ବିଦ୍ୟୁତ ମୂଲ୍ୟ ତଥା ଅର୍ଥନୈତିକ ଅଭିବୃଦ୍ଧି ପ୍ରସଙ୍ଗରେ ଭାରତ-ପୃଥିବୀ ସମ୍ପର୍କର ଅବିକଳ ଚିତ୍ର ଓଡିଶା-ଭାରତ ସମ୍ପର୍କରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଭାରତର ଶିଳ୍ପପାଇଁ ବିଦ୍ୟୁତମୂଲ୍ୟ ଓ ଅର୍ଥନୀତି ଏପରି ପଛୁଆ ଅବସ୍ତାରେ ଗତିକରୁଥିବା ବେଳେ ଆମେରିକା ସରକାରଙ୍କର ଆଦାନି ଲାଞ୍ଚ କାରବାର ଅଭିଯୋଗ ପ୍ରସଙ୍ଗ ବହୁତ ତାପର୍ଜ୍ୟପୂର୍ଣ ମନେହୁଏ। ତେଣୁ ଓଡିଶା ଓ ଭାରତ ସରକାରଙ୍କ ପାଖରେ ନିବେଦନ କରୁଛୁ, ଆମେରିକା ସରକାରଙ୍କ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ଗ୍ରହଣକରି ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ବ କରିବାପାଇଁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ। ଭାରତର ଶିଳ୍ପ ବିଦ୍ୟୁତମୂଲ୍ୟ କାହିଁକି ଅନ୍ୟ ଦେଶସହିତ ପ୍ରତିଯୋଗୀକ୍ଷମ ହୋଇପାରୁନାହି ତାହାର ନିରାସକ୍ତ ତଦନ୍ତ ଓ ନିରାକରଣ ଏକାନ୍ତ ଆବଶ୍ୟକ ହୋଇପଡିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL