ବ୍ରହ୍ମପୁର: ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ କୁଆଡ଼େ ଗଲେ ସାର୍ପସୁଟର କୁରୁପତି ଭୂୟାଁ ଓ ମାଷ୍ଟରମାଇଣ୍ଡ ଉମା ବିଶୋୟୀ । ଉଭୟଙ୍କୁ ଧରିବା ପାଇଁ ପୋଲିସର ସ୍ବତନ୍ତ୍ର ଟିମ ରାଜ୍ୟ ଓ ରାଜ୍ୟ ବାହରେ ତନାଘନା ତଦନ୍ତ ଜାରି ରଖିଛି । ଉଭୟଙ୍କ ଶେଷ ଲୋକସନ ଝାଡ଼ଖଣ୍ଡ ଥିଲା । ଏହାପରେ ସେମାନେ କୁଆଡ଼େ ଯାଇଛନ୍ତି, କେଉଁଠି ଆତ୍ମଗୋପନ କରିଛନ୍ତି ତାର ଟେର ପାଇନି ପୋଲିସ । ସେମାନଙ୍କୁ ଧରିବା ପାଇଁ ପୋଲିସ ଦୁଇଟି ଟିମ ଗଠନ କରିଥିବା ବେଳେ ନୂଆ ଲିଙ୍କ ନୂଆ ତଥ୍ୟ ଜାଣିବା ପାଇଁ ପୋଲିସ ଦୁଇ କର୍ପୋରେଟରଙ୍କ ସମେତ ୫ ଜଣଙ୍କୁ ଡାକି ପଚରା ଉଚରା କରିଛି।
ପୀତବାସଙ୍କୁ ହତ୍ୟା ପାଇଁ ପ୍ଲାନ ଏ ଫେଲ ମାରିବା ପରେ ଉମା ବିଶୋୟୀ ଓ ଯୋଗୀ ଆରମ୍ଭ କରିଥିଲେ ପ୍ଲାନ୍ ବି। ଏହି ପ୍ଲାନରେ ଉମା ବିଷୋୟୀ ନିଜ ଗାଁ ବନ୍ଥପଲୀର ଦୁଇ ଯୁବକ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନକୁ ହତ୍ୟା ପାଇଁ ଯୋଗାଡ଼ କରିଥିଲେ । ବେଙ୍ଗାଳୁରୁରେ ରହୁଥିବା ଚିଣ୍ଟୁ ଆସିଥିଲା ବ୍ରହ୍ମପୁର। ସେପ୍ଟେମ୍ବର ୨୯ରୁ ବ୍ରହ୍ମପୁର ଆସିଥିଲେ କୁରୁପତି ଓ ଚିଣ୍ଟୁ । ଏମାନେ ପୁଣି ରେକି କରିଥିଲେ । ଅକ୍ଟୋବର ୬ ତାରିଖ ଦିନ ଯୋଗେନ୍ଦ୍ର, ଚିଣ୍ଟୁ ଓ କୁରୁପତିଙ୍କୁ ନୂଆ ପୋଷାକ, ୨ଟି ପିସ୍ତଲ ଓ ଫେକ୍ ନମ୍ବର ପ୍ଲେଟ୍ ଥିବା ଗାଡ଼ି ଦେଇଥିଲେ । କୁରୁପତିକୁ ଗୁଳି ଚଳାଇବାକୁ ୫ ଲକ୍ଷ ଟଙ୍କା ଓ ଚିଣ୍ଟୁକୁ ଗାଡ଼ି ଚଳାଇବା ପାଇଁ ୩ ଲକ୍ଷ ଟଙ୍କା ଦେବାକୁ ଡିଲ୍ ହୋଇଥିଲା । ଅକ୍ଟୋବର ୬ ରାତି ୧୦ଟା ୧ରେ ପୀତବାସଙ୍କ ଘର ନିକଟ ଛକରେ କୁରୁପତି ଦେଶୀ ବନ୍ଧୁକରେ ପୀତବାସଙ୍କ ଉପରେ ଗୁଳି ଚଳାଇଥିଲା । ଗୁଳିମାଡ଼ରେ ପୀତାବାସଙ୍କ ମୃତ୍ୟୁ ହୋଇଥିଲା । ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ସମେତ ଏଯାଏ ୧୪ ଜଣ ଗିରଫ ହୋଇଛନ୍ତି ।







