ନୂଆଦିଲ୍ଲୀ : ଏବେବି ଫେରିନି ଅନେକ ୨ ହଜାର ଟଙ୍କିଆ ନୋଟ୍ । ନୋଟବନ୍ଦୀର ଅଢେଇ ବର୍ଷ ପରେ ବି ସବୁ ନୋଟ୍ ଆରବିଆଇ ପାଖରେ ପହଁଚି ପାରିନି । ଏତେ ଦିନ ପରେ ମଧ୍ୟ ନୋଟକୁ ଲୋକେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ନଦେଇ ନିଜ ପାଖରେ ରଖିଛନ୍ତି । ଏମିତି ପ୍ରାୟ ୫ହଜାର କୋଟି ଟଙ୍କାର ନୋଟ୍ ଲୋକଙ୍କ ପାଖରେ ମହଜୁଦ ରହିଛି ।
ସୂଚନା ଅନୁସାରେ, ୨୦୨୩ ମସିହା ମେ ୧୯ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ନୋଟ୍ କରେନ୍ସିର ପ୍ରଚଳନ ବନ୍ଦ ପାଇଁ ଘୋଷଣା କରିଥିଲା । ଏହି ଘୋଷଣାର ଏତେ ବର୍ଷ ପରେ ମଧ୍ୟ ଲୋକଙ୍କ ପାଖରେ ୫୮୧୭ କୋଟି ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍ ରହିଛି । ଯାହା ବ୍ୟାଙ୍କରେ ଜମା ହୋଇ ନାହିଁ । ଯାହା ଆଗକୁ ଫେରିପାରେ ବୋଲି ଆଶା କରୁଛି ରିଜର୍ଭ ବ୍ୟାଙ୍କ ।
ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ୯୮.୩୭ ପ୍ରତିଶତ ନୋଟ୍ ଜମା ହୋଇ ସାରିଛି । କିନ୍ତୁ ୧.୬୩ ପ୍ରତିଶତ ନୋଟ୍ ଏବେବି ବଜାରରେ ବୁଲୁଛି । ଯାହାକୁ ଆରବିଆଇ ଲିଗାଲ ଟେଣ୍ଡର ଭାବେ ଗ୍ରହଣ କରିବ । ଅର୍ଥାତ ଆପଣ ଚାହିଁଲେ ଏହା ବଦଳରେ ରିଜର୍ଭ ବ୍ୟାଙ୍କରୁ ଅନ୍ୟ ପ୍ରଚଳନ୍ତି ନୋଟ୍ ଆଣିପାରିବେ ।
ଯେତେବେଳେ ଆରବିଆଇ ଗୋଲାପୀ ନୋଟର ପ୍ରଚଳନ ବନ୍ଦ କରିଥିଲା, ସେତେବେଳେ ପ୍ରାୟ ୩ ଲକ୍ଷ ୫୬ ହଜାର କୋଟି ମୂଲ୍ୟର ନୋଟ୍ ବଜାରରେ ଥିଲା । ଏବେ ଏହା ୫୮୧୭ କୋଟିରେ ପହଁଚିଛି । ଏହା ପୂର୍ବରୁ ୨୦୧୬ରେ ବଡ ଧରଣର ନୋଟବନ୍ଦୀ ହୋଇଥିଲା । ଯେଉଁଥିରେ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ବନ୍ଦ କରାଯାଇଥିଲା । ତାହା ବଦଳରେ ନୂଆ ୨୦୦,୫୦୦ ଓ ୨୦୦୦ ମୂଲ୍ୟର ନୋଟ୍ ପ୍ରଚଳନ କରାଯାଇଥିଲା ।





