କ୍ରୀଡା ଜାତୀୟ

ଚତୁର୍ଥ ଟି-୨୦ ଜିତି ୨-୧ରେ ଆଗୁଆ ଭାରତ

ନୂଆଦିଲ୍ଲୀ: ଠିକଣା ସମୟରେ ମ୍ୟାଚ୍‌ର ମୋଡ ବଦଳାଇ ଦେଲେ ୱାଶିଂଟନ ସୁନ୍ଦର। ୮ ବଲରେ ନେଲେ ୩ ୱିକେଟ୍‌। ତୃତୀୟ ଟି-୨୦ରେ ବ୍ୟାଟିଂରେ କମାଲ କରିଥିବା ସୁନ୍ଦର ଆଜି ଆଜି ବୋଲିଂରେ ନିଜର ଜଲୱା ଦେଖାଇଛନ୍ତି। ଅଷ୍ଟ୍ରେଲିଆକୁ ୪ର୍ଥ ଟି-୨୦ ଜିତିବା ପାଇଁ ୨୪ ବଲରେ ୫୪ ରନ ଦରକାର ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ସୁନ୍ଦର। ୧୬ ଓଭର ଯାଏ ତାଙ୍କୁ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ବୋଲିଂ କରିବାକୁ ଦେଇ ନଥିଲେ। ୧୭ତମ ଓଭରରେ ବୋଲିଂ କରିବାକୁ ଆସିଥିବା ସୁନ୍ଦରଙ୍କ ସାମ୍ନାରେ ଥିଲେ ମାର୍କସ ଷ୍ଟୋଇନିସଙ୍କ ଭଳି ବିସ୍ଫୋରକ ବ୍ୟାଟର।
କିନ୍ତୁ ସେହି ଓଭରରେ ସୁନ୍ଦର ମାତ୍ର ୨ ରନ ଦେବା ସହ ଷ୍ଟୋଇନିସ ଓ ଜାଭିୟର ବାର୍ଟଲେଟଙ୍କୁ ଆଉଟ କରି ଭାରତର ବିଜୟକୁ ଏକ ପ୍ରକାରର ନିଶ୍ଚିତ କରି ଦେଇଥିଲେ। ପରବର୍ତ୍ତୀ ଓଭରରେ ସେ ଆଉ ଗୋଟିଏ ୱିକେଟ ମଧ୍ୟ ନେଇଥିଲେ। ୧.୨ ଓଭରରେ ସେ ମାତ୍ର ୩ ରନ ଦେଇ ୩ଟି ୱିକେଟ ନେଇଛନ୍ତି।
୪ର୍ଥ ଟି-୨୦ ଜିତିବାକୁ ଅଷ୍ଟ୍ରେଲିଆ ୧୬୮ ରନର ପିଛା କରୁଥିବା ବେଳେ ୧୧୯ରେ ଅଲଆଉଟ ହୋଯାଇଛି। ଭାରତ ଏହି ମ୍ୟାଚ୍‌କୁ ୪୮ ରନରେ ଜିତି ୫ ଟିକିଆ ଟି-୨୦ ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି। ଏବେ ଆଉ ଗୋଟିଏ ମ୍ୟାଚ୍‌ ବାକି ରହିଛି। ସୁନ୍ଦରଙ୍କ ବ୍ୟତୀତ ଅକ୍ଷର ପଟେଲ ଓ ଶିବମ ଦୁବେ ୨ଟି ଲେଖାଏ ୱିକେଟ ପାଇଥିବା ବେଳେ ଯଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ ଓ ଅର୍ଶଦୀପ ସିଂହ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
୪ ଓଭରରେ ମାତ୍ର ୨୦ ରନ ଦେଇ ୨ଟି ୱିକେଟ ନେଇଥିବା ଅକ୍ଷର ପଟେଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ବ୍ୟାଟିଂ ବେଳେ ଅପରାଜିତ ୨୧ ରନର ଇନିଂସ ଖେଳିଥିଲେ।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଶୁବମନ ଗିଲଙ୍କ ୪୬ ଓ ଅକ୍ଷର ପଟେଲଙ୍କ ୧୧ ବଲରେ ଅପରାଜିତ ୨୧ ରନ ବଳରେ ୮ ୱିକେଟ ହରାଇ ୧୬୭ ରନ କରିଥିଲା। ୧୬୮ ରନର ବିଜୟ ଲକ୍ଷ୍ୟ ପାଇଥିବା ଅଷ୍ଟ୍ରେଲିଆ ପାଇଁ ମାଥ୍ୟୁ ଶର୍ଟ(୧୯ ବଲରେ ୨୫) ଓ ଅଧିନାୟକ ମିଚେଲ ମାର୍ଶ( ୩୦) ଦମଦାର ଆରମ୍ଭ କରିଥିଲେ। ହେଲେ ଶର୍ଟଙ୍କୁ ଅକ୍ଷର ଓ ମାର୍ଶଙ୍କୁ ଶିବମ ଦୁବେ ଆଉଟ କରି ଅଷ୍ଟ୍ରେଲିଆକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଜୋଶ ଇଙ୍ଗଲିସ(୧୨) ମଧ୍ୟ ଅକ୍ଷରଙ୍କ ଶିକାର ବନିଥିଲେ।
ତୃତୀୟ ଟି-୨୦(T20 )ରେ ବିସ୍ଫୋରକ ଇନିଂସ ଖେଳିଥିବା ଟିମ ଡାଭିଡ ଛକା ମାରିଥିଲେ ହେଁ ପରବର୍ତ୍ତୀ ବଲରେ ତାଙ୍କୁ ଦୁବେ ଆଉଟ କରି ଦେଇଥିଲେ। ସେ ଆଜି କେବଳ ୧୪ ରନ କରିପାରିଛନ୍ତି। ଜୋଶ ଫିଲିପେ କେବଳ ୧୦ ରନ କରିବାକୁ ସକ୍ଷମ ହୋଇଥିଲେ। ସିରିଜର ପ୍ରଥମ ମ୍ୟାଚ ଖେଳୁଥିବା ଗ୍ଲେନ ମ୍ୟାକ୍ସୱେଲ(୨)ଙ୍କ ୱିକେଟ ବରୁଣ ଚକ୍ରବର୍ତ୍ତୀ ନେଇଥିଲେ।
ମ୍ୟାକ୍ସୱେଲ ଆଉଟ ହୋଇଥିଲେ ହେଁ ଷ୍ଟୋଇନିସଙ୍କ ଉପରେ ଅଷ୍ଟ୍ରେଲିଆ ଟିମର ଭରସା ଥିଲା। ଅଷ୍ଟ୍ରେଲିଆକୁ ଶେଷ ୪ ଓଭରରେ ୫୪ ରନ ଦରକାର ଥିଲା। କିନ୍ତୁ ଏହି ସମୟରେ ସମସ୍ତଙ୍କୁ ଚକିତ କରି ମ୍ୟାଚ୍‌ରେ ନିଜର ପ୍ରଥମ ଓଭର ପକାଇବାକୁ ଆସିଥିଲେ ସୁନ୍ଦର। ସେ ୪ର୍ଥ ବଲରେ ଷ୍ଟୋଇନିସ(୧୭) ଓ ୫ମ ବଲେ ବାର୍ଟଲେଟଙ୍କୁ ଆଉଟ କରି ଦେଇଥିଲେ।
ପରବର୍ତ୍ତୀ ଓଭରର ଶେଷ ବଲରେ ବୁମ୍ରା ୫ ରନ କରିଥିବା ବେନ ଡାୱରଶୁସଙ୍କୁ କ୍ଲିନବୋଲ୍ଡ କରି ଅଷ୍ଟ୍ରେଲିଆକୁ ୯ମ ଝଟକା ଦେଇଥିଲେ। ୧୯ତମ ଓଭରର ପ୍ରଥମ ବଲରେ ନାଥନ ଏଲିସ କ୍ୟାଚ୍‌ ଦେଇଥିଲେ ହେଁ ଏହାକୁ ଗିଲ ହାତ ଛଡ଼ା କରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ସୁନ୍ଦରଙ୍କୁ ବଡ଼ ଶଟ ମାରିବାକୁ ଯାଇ ଆଡାମ ଜାମ୍ପା ବାଉଣ୍ଡରୀ ପାଖରେ ଗିଲଙ୍କ ହାତରେ ଧରା ପଡ଼ି ଯାଇଥିଲେ। ଏଥିସହ ଅଷ୍ଟ୍ରେଲିଆ(India Vs Australia) ୧୧୯ ରନରେ ଅଲଆଉଟ ମଧ୍ୟ ହୋଇ ଯାଇଥିଲା।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL