କେନ୍ଦୁଝର: ଆସନ୍ତା ୨୦ ତାରିଖରୁ କେନ୍ଦୁଝର ବନଖଣ୍ଡରେ ଆରମ୍ଭ ହେବ ବାଘ ଗଣନା। ବାଘ ସହିତ ଅନ୍ୟାନ୍ୟ ଜୀବଜନ୍ତୁ ଗଣନା ମଧ୍ୟ କରାଯିବ। କେନ୍ଦୁଝର ବନଖଣ୍ଡରେ ୧୦୫ ବିଟ୍ରେ ଏହି ଗଣନା ହେବାକୁ ଥିବା ବେଳେ ୩୦୦ କର୍ମଚାରୀ ବନଖଣ୍ଡ ଅଧିକାରୀ ଠାରୁ ଆରମ୍ଭ କରି ବନରକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଗଣନାରେ ସାମିଲ ହେବେ।
କେନ୍ଦୁଝର ବନଖଣ୍ଡରେ ଏବେ ୨ଟି ମହାବଳ ବାଘ ଚଳପ୍ରଚଳ କରୁଥିବାରୁ ବେଶ୍ ସତର୍କତାର ସହିତ ବାଘ ଗଣନା ପାଇଁ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ପ୍ରଥମେ ପାଦରେ ଚାଲି ଗଣନା ପରେ ଟ୍ରାପ୍ କ୍ୟାମେରାରେ ବାଘ ଗଣନା କରାଯିବ ବୋଲି ବନବିଭାଗ ପକ୍ଷରୁ ପ୍ରସ୍ତୁତି ହୋଇଛି । ୨୦ ଠାରୁ ୨୫ ନଭେମ୍ବର ପର୍ଯ୍ୟନ୍ତ ବନ ଅଧିକାରୀ ଏବଂ କର୍ମଚାରୀମାନେ ୬ ଦିନ ଧରି ୪ ଭାଗରେ ବିଭକ୍ତ ହୋଇ ପାଦଚଲା ପେଟ୍ରୋଲିଂ କରି ବାଘର ପାଦ ଚିହ୍ନ, ମଳ ସଂଗ୍ରହ କରିବେ । ଏହି ସମୟରେ ନଦୀ, ନାଳ ନିକଟରେ ବାଲି ଥିଲେ ତାହାକୁ ସମତୁଲ କରି ବାଘର ପାଦ ଚିହ୍ନ ନେବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ।






