ମୁମ୍ବାଇ : ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବୋମା ବିସ୍ଫୋରଣ (Delhi Blast) ସମ୍ପର୍କରେ ମହାରାଷ୍ଟ୍ରର କଂଗ୍ରେସ ନେତା ହୁସେନ ଦଲୱାଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଏହି ଆକ୍ରମଣ ଲାଗି ଆରଏସଏସ(RSS)କୁ ଦାୟୀ କରିଛନ୍ତି ।
ଏହା ପୂର୍ବରୁ ୨୬/୧୧ ମୁମ୍ବାଇ ଆକ୍ରମଣକୁ ମଧ୍ୟ ଆରଏସଏସ ସହ ଯୋଡ଼ିଥିଲେ କେତେକ କଂଗ୍ରେସ ନେତା। ଏହାକୁ ନେଇ ସେତେବେଳେ ବଡ଼ ବିବାଦ ଦେଖାଦେଇଥିଲା । ଏହା ପରେ ବି କଂଗ୍ରେସ ଆରଏସଏସକୁ ଆତଙ୍କବାଦ ସହ ଯୋଡ଼ିବାକୁ ଉଦ୍ୟମ କରିଥିଲା । ଏପରିକି ସଂସଦରେ ମଧ୍ୟ କଂଗ୍ରେସ ଗୈରିକ ଆତଙ୍କବାଦ କଥା ଉଠାଇଥିଲା । କିନ୍ତୁ ଏହାକୁ ପ୍ରମାଣ କରିପାରନଥିଲା । ଏହା ସତ୍ତ୍ବେ କଂଗ୍ରେସ କେବେବି କ୍ଷମା ମାଗିନଥିଲା ।
ଗତମାସରେ ପୂର୍ବତନ ଗୃହମନ୍ତ୍ରୀ ପି. ଚିଦାମ୍ବରମ କହିଥିଲେ ଯେ ମୁମ୍ବାଇ ଆକ୍ରମଣ ପରେ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାରଣ କରାଯାଇଥିଲା, ଯାହା ବିଦେଶୀ ଚାପକୁ ସିଧାସଳଖ ଇଙ୍ଗିତ କରୁଥିଲା।






