ଓଡ଼ିଶା

ବିଜେଡିର ପ୍ରତିଷ୍ଠା ଦିବସରେ ଦଳର ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ନବୀନ

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡିର ନେତୃତ୍ବ କିଏ ନେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିପାଇଁ ନବୀନ ନିବାସରେ କସରତ ଚାଲିଛି। ଆସନ୍ତା ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ। ସେହିଦିନ ନବୀନ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଅବସରପ୍ରାପ୍ତ ଆଇଏଏସ୍‌ ଭି.କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଏବଂ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ମଧ୍ୟରୁ ଜଣଙ୍କୁ ଉତ୍ତରାଧିକାରୀ କରିବାକୁ ବିଜେଡିର କିଛି ନେତା ପ୍ରସ୍ତାବ ଦେଇଥିବା କୁହାଯାଉଛି। ବିଜେଡିର ଉତ୍ତରାଧିକାରୀ ଚର୍ଚ୍ଚାକୁ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଅସ୍ବୀକାର କରିନାହାନ୍ତି। ସଭାପତି ଘୋଷଣା କଲେ ସେ ସମ୍ପର୍କରେ ଜଣାପଡ଼ିବ ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି।

ନୂଆପଡ଼ା ଉପନିର୍ବାଚନ ଫଳାଫଳ ଦଳୀୟ ନେତାଙ୍କୁ ଚକିତ କରିଛି। ଦୁଇଥର ନବୀନ ପ୍ରଚାର କରିଥିବାବେଳେ ଦଳ ସେଠାରେ ତୃତୀୟ ସ୍ଥାନକୁ ଖସିଗଲା। ସ୍ବାସ୍ଥ୍ୟଗତ କାରଣ ସତ୍ତ୍ବେ ନବୀନଙ୍କୁ କାହିଁକି ପ୍ରଚାରକୁ ନିଆଗଲା ବୋଲି ବରିଷ୍ଠ ନେତା ପ୍ରଶ୍ନ କରୁଛନ୍ତି। ନୂଆପଡ଼ାରେ ଦଳର ସମ୍ମାନ ବାଜିରେ ଲାଗିଥିବାବେଳେ ତୁଙ୍ଗନେତାଙ୍କ ରଣନୀତି କାମ ଦେଲାନି। ଏପରିକି ଦଳ କଂଗ୍ରେସଠାରୁ ମଧ୍ୟ କମ୍‌ ଭୋଟ୍‌ ପାଇଲା। ତେଣୁ ଏବେ ନୂଆ ରୂପରେ ସଙ୍ଗଠନକୁ ଆଗକୁ ନେବା ପାଇଁ ଦଳ ଭିତରେ ମାନସ ମନ୍ଥନ ଆରମ୍ଭ ହୋଇଛି। ବିଜେଡି ବିରୋଧୀ ଆସନରେ ଥିବାରୁ ଆଗକୁ ଲମ୍ବା ଲଢ଼େଇ ରହିଛି। ସେ ଦୃଷ୍ଟିରୁ ନବୀନ ଦଳର ପରିଚାଳନା ଭାର ଅନ୍ୟ ହାତରେ ଦେଇ ନିଜେ ମାର୍ଗଦର୍ଶନ ପ୍ରଦାନ କରିବା ଉଚିତ୍ ବୋଲି ବହୁ ଦଳୀୟ ନେତା ଭିତିରିଆ ମତ ଦେଉଛନ୍ତି।

ଦଳ ଭିତରେ ହେଉଥିବା ଆଲୋଚନା ମୁତାବକ, କିଛି ଦିନ ହେଲା ଦଳୀୟ ନେତା ନବୀନ ନିବାସ ଯାଉଛନ୍ତି। ନବୀନଙ୍କ ପାଖରେ ସେମାନେ ଦଳୀୟ ସଙ୍ଗଠନରେ ପାଣ୍ଡିଆନ ଦମ୍ପତିଙ୍କ ପ୍ରବେଶ ପାଇଁ କହୁଛନ୍ତି। ଡିସେମ୍ବର ୨୬ରେ ପ୍ରତିଷ୍ଠା ଦିବସ ପୂର୍ବରୁ ସୁଜାତାଙ୍କୁ ବିଜେଡିରେ ସାମିଲ କରି ଗୁରୁତ୍ବପୂର୍ଣ୍ଣ ପଦବୀ ଦେବା ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉଥିବା କୁହାଯାଉଛି। ଦଳର ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନବୀନ ନିବାସ ଡକାଯାଇ ଏସବୁ କସରତ ହେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସୁଜାତା ବିଜେଡିରେ ମିଶିବା ପରେ ରାଜ୍ୟସଭା ଯାଇପାରନ୍ତି ବୋଲି ଆଲୋଚନା ହେଉଛି।

ନିକଟରେ ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏ ସମ୍ପର୍କରେ ତାଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, କିଛି ନେତା ତାମିଲ ଆଦର୍ଶକୁ ସୁହାଇଲା ଭଳି ଆଚରଣ କରୁଛନ୍ତି। ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ କରିଦେଇଛନ୍ତି। ନାଁ ନନେଇ ସେ ସୁଜାତାଙ୍କ ବିଜେଡିରେ ପ୍ରବେଶ ଓ ଦଳର ଉତ୍ତରାଧିକାରୀ ହାଇଜାକ୍ ପ୍ଲାନ୍ ନିମନ୍ତେ ଷଡ଼ଯନ୍ତ୍ର ହେଉଥିବା ଉଲ୍ଲେଖ କରିଥିଲେ। ସେ ଲେଖିଥିଲେ, ‘ଶକ୍ତି ନାନୀ’ କୁଆଡ଼େ ଶକ୍ତି ଗୋଟାଉଛନ୍ତି ଦଳରେ ମିଶି ରାଜ୍ୟସଭା ଯିବା ପାଇଁ, ଆଉ ଏଣ୍ଟ୍ରି ହୋଇଗଲେ ପୁଣି ହେବ ନୂଆ ସମୀକରଣ। ଓଡ଼ିଶା ଲୋକେ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ। ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ। ନବୀନ ବାବୁ କହିଥିଲେ ରାଜ୍ୟର ଜନତା ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ। ତା’ହେଲେ ଏବେ ଶକ୍ତିନାନୀଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜାକ୍ ପ୍ଲାନ୍ କରାଉଛି କିଏ ବୋଲି ଶ୍ରୀମୟୀ ପ୍ରଶ୍ନ କରିଥିଲେ।

ବିଜେଡିର ଉତ୍ତରାଧିକାରୀ ପ୍ରସଙ୍ଗରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ମିଶ୍ର କହିଛନ୍ତି, ଯଦି ସେମିତି କରିବାର ଅଛି, ସଭାପତି ଯେତେବେଳେ ଘୋଷଣା କରିବେ ଜଣାପଡ଼ିବ। ଯଦି ଦଳରେ ସେଭଳି କିଛି ବିଧିବଦ୍ଧ ନିଷ୍ପତ୍ତି ହୁଏ ବା ସଭାପତି ନିର୍ଦେଶ ଦିଅନ୍ତି ସମସ୍ତେ ଜାଣିପାରିବେ। ତା’ପୂର୍ବରୁ ଚାଲିଥିବା ଚର୍ଚ୍ଚା ଆଲୋଚନାକୁ ନେଇ କିଛି କହିହେବ ନାହିଁ। ଶ୍ରୀ ମିଶ୍ର ଉତ୍ତରାଧିକାର ପ୍ରସଙ୍ଗକୁ ଅସ୍ବୀକାର କରି ନ ଥିବାରୁ ଏହା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ବିଜେଡିର ନେତୃତ୍ବକୁ ନେଇ ହେଉଥିବା ଏଭଳି ଚର୍ଚ୍ଚା, ଆଲୋଚନା ଆଗକୁ ସତ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL