ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ ଗସ୍ତ ପରେ, ଭାରତ ଆଉ ଏକ କୂଟନୈତିକ ପଦକ୍ଷେପ ନେଇଛି । ଭାରତ ଏବେ ଦିଲ୍ଲୀରେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଆତିଥ୍ୟ ଦେବା ପାଇଁ ଯୋଜନା କରୁଛି । ଏହାକୁ କୂଟନୈତିକ ମହଲରେ ଭାରତର ବୈଦେଶିକ ନୀତିେ ଏକ ସନ୍ତୁଳନମୂଳକ କାର୍ଯ୍ୟ ଭାବରେ ବିବେଚନା କରାଯାଉଛି । ଏହା କୁହାଯାଉଛି ଯେ ଜେଲେନସ୍କି ଜାନୁଆରୀ ୨୦୨୬ରେ ଦିଲ୍ଲୀ ଗସ୍ତ କରିପାରନ୍ତି । ଯଦିଓ ଏହି ଗସ୍ତର ତାରିଖ ଏପର୍ଯ୍ୟନ୍ତ ଚୂଡାନ୍ତି ହୋଇନାହିଁ ।
ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ ଭାରତ ଗତ କିଛି ସପ୍ତାହ ହେବ ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସହିତ ସମ୍ପର୍କରେ ରହିଛି । ଭାରତର ଏହି ପ୍ରୟାସ ପୁଟିନଙ୍କ ଦିଲ୍ଲୀ ଗସ୍ତର ବହୁ ପୂର୍ବରୁ ଜାରି ରହିଛି । ଏନେଇ ଭାରତ ଓ ୟୁକ୍ରେନ ଅଧିକାରୀଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିବା ସୂଚନା ମିଳିଛି । ଜେଲେନସ୍କିଙ୍କ ଦିଲ୍ଲୀ ଗସ୍ତ ରୁଷ-ୟୁକ୍ରେନ ବିବାଦର ଉଭୟ ପକ୍ଷ ସହିତ ଜଡିତ ରହିବା ପାଇଁ ଭାରତର ପ୍ରୟାସକୁ ଆହୁି ମଜବୁତ କରିବ । ଭାରତ କିଛି ମାସ ଧରି ଏହି ନୀତି ଅନୁସରଣ କରିଆସୁଛି । ସେଥିପାଇଁ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ମସ୍କୋ ଯାଇଥିଲେ ଏବଂ ପୁଟିନଙ୍କୁ ଭେଟିଥିଲେ ଏହାର ଏକ ମାସ ପରେ ଅଗଷ୍ଟରେ ମୋଦୀ ୟୁକ୍ରେନ ଯାତ୍ରା କରିଥିଲେ ।
ତେବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭାରତ ଗସ୍ତ ଅନେକ ଗୁୁରୁତ୍ୱବହନ କରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ଯୋଜନା କିପରି ଆଗକୁ ବଢିବ, ଏବଂ ଯୁଦ୍ଧର ପରିଣାମ କଣ ହେବ । ୟୁକ୍ରେନର ଘରୋଇ ରାଜନୀତି, ଯେଉଁଠି କି ଜେଲେନସ୍କିଙ୍କ ସରକାର ଭ୍ରଷ୍ଟାଚାର, ଘୋଟାଲରେ ଫଶି ରହିଥିଲେ । ସବୁଠାରୁ ଭିନ୍ନ କଥା ହେଲା ୟୁକ୍ରେନ ରାଷ୍ଟ୍ରପତି ଏଯାବତ ତିନି ଥର ଭାରତ ଆସିଛନ୍ତି । ୧୯୯୨, ୨୦୦୨ ଏବଂ ୨୦୧୨ରେ ଭାରତ ଆସିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।
ପୁଟିନଙ୍କ ଭାରତ ଯାତ୍ରା ସମୟରେ ୟୁରୋପର କଡା ନଜର ରହିଥିଲା । ଯୁଦ୍ଧ ସମାପ୍ତ କରିବା ପାଇଁ ମସ୍କୋ ଉପରେ ଚାପ ପକାଇବା ପାଇଁ ଭାରତକୁ ଏହାର ପ୍ରଭାବ ବ୍ୟବହାର କରିବାକୁ ଅନେକ ୟୁରୋପୀୟ ଦୂତ ଅନୁରୋଧ କରିଛନ୍ତି । ଭାରତ ନିରନ୍ତର ଭାବରେ କହିଆସିଛି ଯେ ଆଲୋଚନା ଏବଂ କୂଟନୀତି ହେଉଛି ଏକମାତ୍ର ରାସ୍ତା ।





