ବାରିପଦା : ପୋଲିସ ଷ୍ଟେସନ ଉପରେ ଚାଲିଲା ବୁଲ୍ଡୋଜାର । ଭାଙ୍ଗିଲା ଥାନା ପାଚେରୀ । ଲୋକଙ୍କ ଜାଗା ମାଡି ବସିଥିଲା ପୋଲିସ ବିଭାଗ । କୋର୍ଟ ନିର୍ଦ୍ଦେଶ ପରେ ବୁଲିଲା ବୁଲ୍ଡୋଜାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ସଦର ଥାନା ପରିସରରେ । ବାରିପଦା ତକତ୍ପୁର ଅଞ୍ଚଳରେ ରହିଛି ସଦର ଥାନା । ସଦର ଥାନା ପାଚେରୀ ନିର୍ମାଣ କରିବା ସମୟରେ ସ୍ଥାନୀୟ ବାସିନ୍ଦା ସଲିମ ଖାନ୍ ନାମକ ବ୍ୟକ୍ତିଙ୍କ ଘରକୁ ଯିବାକୁ ଥିବା ସରକାରୀ ରାସ୍ତାକୁ ଘେରିଦେଇଥିଲେ ।
ଯାହା ଫଳରେ ସଲିମ୍ ଖାନଙ୍କ ଘରକୁ ଯିବାକୁ ରାସ୍ତା ବନ୍ଦ ହୋଇଯାଇଥିଲା । ସଲିମ୍ ଖାନ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ ଶୁଣି ନ ଥିଲା ପୋଲିସ ବିଭାଗ । ଶେଷରେ କୋର୍ଟର ଆଶ୍ରୟ ନେଇଥିଲେ ସଲିମ୍ ଖାନ । ୨୦୧୮ ମସିହାରେ ଆଦାଲତ୍ରେ ମୟୁରଭଞ୍ଜ ଏସ୍ପି ଓ ଥାନା ଅଧିକାରୀ ବିରୋଧରେ ମାମଲା ଦାୟର କରିଥିଲେ ସଲିମ୍ । ସେହି ମାମଲର ବିଚାର କରି ମାନ୍ୟବର କୋର୍ଟ ପାଚେରୀ ଭାଙ୍ଗି ସଲିମ ଖାନ ଘରକୁ ରାସ୍ତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି କୋର୍ଟ ନିର୍ଦ୍ଦେଶ ମୁତାବକ ଥାନାର ପାଚେରୀ ଭଙ୍ଗା ଯାଇଥିଲା । ଏସ୍ପି ଓ ସଦର ଏସ୍ଡିପିଓଙ୍କ ଉପସ୍ଥିତିରେ ଏହି ପାଚେରୀ ଭଙ୍ଗା ଯାଇଛି ।








