ଭୁବନେଶ୍ୱର : କ୍ଷମା ମାଗିଲା ଅଟୋ ଡ୍ରାଇଭର ସଂଘ । ମାଷ୍ଟରକ୍ୟାଣ୍ଟିନରେ ଅନଲାଇନ ଅଟୋ ଚାଳକଙ୍କ ହିଂସାତ୍ମକ ଆଚରଣ । ମୁହଁ ଖୋଲିଲେ ସ୍ମାର୍ଟ ସିଟି ଅନଲାଇନ ଟ୍ୟାକ୍ସି ଓ ଅଟୋମହାସଂଘର ସଭାପତି ଦୀନବନ୍ଧୁ ନାୟକ । ସେଦିନର ଘଟଣା ପାଇଁ ଜନସାଧାରଣଙ୍କୁ କଲେ କ୍ଷମା ପ୍ରାର୍ଥନା । ନିଜର ହକ୍ ପୂରଣ ହେଉନଥିବାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ । ଭିଡିଓ ବାର୍ତ୍ତାରେ ଘଟଣାକୁ ନେଇ କ୍ଷମାପ୍ରାର୍ଥନା କରି ନିଜର ସମସ୍ୟା କଥା କହିଛନ୍ତି ।
ଏପରିକି ଗଣ୍ଡଗୋଳ ଘଟଣାରେ ଅଟୋ ଚାଳକଙ୍କୁ ଗୁଣ୍ଡା କହିବା ତାଙ୍କୁ ବ୍ୟଥିତ କରିଥିବା କହିଛନ୍ତି । ଚାକିରି ନପାଇ ଅଟୋ ଚଳାଉଛୁ । ଶାନ୍ତିପୂର୍ଣ୍ଣ ଧାରଣାରେ ଥିଲୁ । ତାପରେ ଗଣ୍ଡଗୋଳ ହେଲା । କିନ୍ତୁ ଆମେ ଗୁଣ୍ଡା ନୁହେଁ । ହକ୍ ପାଇଁ ଲଢେଇ କରୁଥିଲୁ ବୋଲି କହିଛନ୍ତି ଦୀନବନ୍ଧୁ । ପୋଲିସ ମାଇଲେଜ୍ ପାଇବାପାଇଁ ଗୁଣ୍ଡା ସଜେଇ ଦେଲା ବୋଲି ଅଭିଯୋଗ ଆଣିଛନ୍ତି । ଆନ୍ଦୋଳନ ପଛରେ କୋଣସି ରାଜନୈତିକ ଉଦ୍ଦେଶ୍ୟ ନଥିବା ମଧ୍ୟ କହିଛନ୍ତି । ଅନ୍ୟପଟେ ଘଟଣାରେ ୧୧୩ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ଏହା ସହ ୩୫୪ ଟି ଗାଡ଼ି ଜବତ କରିଛି ପୋଲିସ।









