ଜାତୀୟ

ନାଇଜେରିଆରେ ଡଙ୍ଗା ବୁଡ଼ି ୫୦ରୁ ଅଧିକ ମୃତ

ଆବୁଜା: ନାଇଜେରିଆର ଉତ୍ତର-ପଶ୍ଚିମ ସୋକୋଟୋ ରାଜ୍ୟରେ ଡଙ୍ଗା ବୁଡ଼ି ଅତି କମ୍‌ରେ ୫୦ ଜଣଙ୍କ ମୃତ୍ୟୁ ହୋଇଛି। ଗୋରାଉ ଅଞ୍ଚଳ ନିକଟ ଗୋରୋନ୍ୟୋ ପାଖ ନଦୀରେ ଗୁରୁବାର ଏହି ଦୁର୍ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି। ମୃତକଙ୍କ ମଧ୍ୟରେ ପ୍ରାୟ ୪୦ ଜଣ ଶିଶୁ ଥିବା ଜଣାପଡ଼ିଛି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି।

ଜାତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣର ଆଞ୍ଚଳିକ ଅଧିକାରୀ ଅବଦୁଲକାଦିର ୟୁସୁଫ୍‌ କହିଛନ୍ତି ଯେ, ଡଙ୍ଗାଟିରେ ୮୦ରୁ ଅଧିକ ଲୋକ ଥିଲେ। ସେମାନେ ଚାଷ କାମ ପାଇଁ ଗୋରାଉ ଅଞ୍ଚଳର ଚାଷଜମି ଆଡ଼କୁ ଯାଉଥିଲେ। ଧାନ ଅମଳ ପାଇଁ ଯାଉଥିବା ଚାଷୀ ଓ ଶ୍ରମିକମାନେ ଡଙ୍ଗାରେ ଥିଲେ। ଅତ୍ୟଧିକ ଲୋକ ଥିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିବା ପ୍ରାଥମିକ ଭାବେ କୁହାଯାଇଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହ ଜରୁରିକାଳୀନ ଉଦ୍ଧାରକାରୀ ଦଳ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ସୋକୋଟୋ ପୁଲିସ କମାଣ୍ଡର ଓ ଉଦ୍ଧାରକାରୀ ସଂସ୍ଥାଗୁଡ଼ିକର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ନାଇଜେରିଆରେ ବର୍ଷାଋତୁରେ ନଦୀ ଓ ଜଳପଥରେ ଏପରି ଦୁର୍ଘଟଣା ଘଟୁଥିବାବେଳେ ଡଙ୍ଗାରେ ଅତ୍ୟଧିକ ଲୋକ ନେବା, ସୁରକ୍ଷା ନିୟମ ଉଲ୍ଲଂଘନ ଓ ଦୁର୍ବଳ ନିରୀକ୍ଷଣକୁ ଏହାର ପ୍ରମୁଖ କାରଣ ଭାବେ ଦେଖାଯାଉଛି। ଜାତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ମଧ୍ୟ ଅବହେଳା, ଡଙ୍ଗାରେ ଅତ୍ୟଧିକ ଯାତ୍ରୀ ନେବା ଓ ସୁରକ୍ଷା ନିୟମ ନ ମାନିବାକୁ ଦୁର୍ଘଟଣାର କାରଣ ବୋଲି କହିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL