ଛତ୍ରପୁର : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳର ଏକ ଢ଼ାବା ଶୌଚାଳୟରୁ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ରମ୍ଭା ଥାନା ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଢ଼ାବାରୁ ଜଣେ କର୍ମଚାରୀଙ୍କ ମୃତଦେହ ଠାବ ହୋଇଛି । ମୃତକ ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ଗାଁର ବି. ଶିବା ପାତ୍ର । ଢ଼ାବା ଶୌଚାଳୟରେ ଶିବାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଗତ ୩ ଦିନ ହେଲା ଶିବାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଶିବା ଗତ ଦୁଇ ବର୍ଷ ଧରି ସେହି ଢାବାରେ ସପ୍ଲାଏର କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଥିଲେ । ଶିବା ୩ ଦିନ ଧରି ନିଖୋଜ ଥିବାରୁ ପରିବାର ଲୋକେ ଖୋଜାଖୋଜି କରୁଥିଲେ । ଢ଼ାବାକୁ ଆସି ଦେଖିଲା ବେଳକୁ ଶିବାଙ୍କ ଚପଲ ରହିଥିଲା, ହେଲେ ଶିବା ନଥିଲେ । ପରିବାର ଲୋକେ ପଚାରିବାରୁ ଶିବା କାର୍ଯ୍ୟକୁ ଆସିନଥିବା ହୋଟେଲ ମାଲିକ କହୁଥିବା ନେଇ ତାଙ୍କ ମାଆ ଅଭିଯୋଗ କରିଛନ୍ତି ।
ଗତକଳାଇ ଢ଼ାବା ଶୌଚାଳୟରୁ ଦୁର୍ଗନ୍ଧ ହେବା ପରେ ହୋଟେଲ କର୍ତ୍ତୃପକ୍ଷ ଶିବାଙ୍କ ପରିବାର ଓ ରମ୍ଭା ଥାନା ପୋଲିସକୁ ଖବର ଦେଇଥିଲେ । ରମ୍ଭା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥି ଲା l ସେପଟେ ଶିବାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମାଜିଷ୍ଟ୍ରେଟ ଭାବେ ଗଞ୍ଜାମ ତହସିଲଦାରଙ୍କ ଉପସ୍ଥିତିରେ ତଦନ୍ତ କରାଯାଇଛି l ଶବ ବ୍ୟବଛେଦ ରିପୋର୍ଟ ଆସିଲେ ଏହା ପ୍ରକୃତରେ ହତ୍ୟା ନା ଆଉ କିଛି ଜଣାପଡିବ ବୋଲି କହିଛନ୍ତି ଛତ୍ରପୁର ଏସଡ଼ିପିଓ । ବି. ଶିବା ତାଙ୍କ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ସେପଟେ ଅଭିଯୋଗକୁ ଖଣ୍ଡନ କରିବା ସହିତ ଶିବା ଢ଼ାବାକୁ ନିୟମିତ ଆସୁନଥିବା କହିଛନ୍ତି ଢ଼ାବା ମାଲିକ ରାଜ କିଶୋର ନାହାକ ।










