ଜାତୀୟ

ଡ୍ରଗ୍ସକୁ ବାରଣ କରିବାରୁ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକଙ୍କ ପୁରା ପରିବାରକୁ ହତ୍ୟା, ୨ ନିଶାଡି ଗିରଫ

ଢାକା: ବାଂଲାଦେଶର ରଙ୍ଗପୁର ସହରରେ ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଦୁଇମହଲା ଘର ଭିତରୁ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ, ଝିଅ ଓ ପୁଅଙ୍କ ଗଳିତ ମୃତଦେହ ପୁଲିସ ଉଦ୍ଧାର କରିଛି ହେଲେ ଏହା ଆତ୍ମହତ୍ୟା ନୁହେଁ ବରଂ ଥିଲା ହତ୍ୟା। ସାମାନ୍ୟ ଡ୍ରଗ୍ସକୁ ବାରଣ ପାଇଁ। ଘର ଛାତ ଉପରେ ‘ୟାବା’ ନିଶା ସେବନକୁ ବିରୋଧ କରିବାରୁ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକଙ୍କ ସମେତ ତାଙ୍କର ସ୍ତ୍ରୀ, ଝିଅ ଓ ୧୨ ବର୍ଷର ପୁଅଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ପୁଲିସ ଦୁଇ ଜଣ ଅଭିଯୁକ୍ତ ମୁଗ୍ଧ ଦାସ ଓ ସିଦ୍ଧାର୍ଥ ଦାସଙ୍କୁ ଗିରଫ କରିଛି।

ପୁଲିସ କମିଶନର ମହମ୍ମଦ ଅବଦୁଲ ମାବୁଦ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଅଭିଯୁକ୍ତମାନେ କାନ୍ଥ ଡେଇଁ ଗଣପତି ଚକ୍ରବର୍ତ୍ତୀଙ୍କ ଘର ଛାତକୁ ଯାଇ ନିଶା ସେବନ କରୁଥିଲେ। ଗଣପତି ଏହାକୁ ବିରୋଧ କରିବାରୁ ଅଭିଯୁକ୍ତମାନେ ତାଙ୍କ ଗାମୁଛାରେ ଗଳାଚିପି ତାଙ୍କୁ ହତ୍ୟା କରିଥିଲେ। ଚିତ୍କାର ଶୁଣି ଗଣପତିଙ୍କ ସ୍ତ୍ରୀ ପ୍ରୀତିଲତା ଓ ତାଙ୍କ ଝିଅ ସେଠାକୁ ଆସିବାରୁ ସେମାନଙ୍କୁ ମଧ୍ୟ ଦଉଡ଼ି ଓ ଗାମୁଛା ସାହାଯ୍ୟରେ ନିଷ୍ଠୁର ଭାବେ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିଲା। ଶେଷରେ ଶୋଇଥିବା ୧୨ ବର୍ଷର ପୁଅ ପ୍ରୀୟମଙ୍କୁ ମଧ୍ୟ କପଡ଼ା ଓ ତକିଆ ଜରିଆରେ ମୁହଁ ଚାପି ମାରି ଦିଆଯାଇଥିଲା।

ଅପରାଧ ରଚାଇବା ପରେ ହତ୍ୟାକାରୀମାନେ ସେହି ଘରର ବାଥରୁମରେ ଗାଧୋଇଥିଲେ, ନିଶା ସେବନ କରିବା ସହ ଖାଇବା ଟେବୁଲରେ ବସି ଖଜୁରୀ ଖାଇଥିଲେ। ପରେ ଘରୁ ସୁନା ଅଳଙ୍କାର ଲୁଟି ନିକଟସ୍ଥ ମନ୍ଦିର ପଛରେ ଲୁଚାଇ ଦେଇଥିଲେ। ପୁଲିସକୁ ବିଭ୍ରାନ୍ତ କରିବା ପାଇଁ ଏହାକୁ ଲୁଟପାଟର ରୂପ ଦେବାକୁ ଚେଷ୍ଟା କରାଯାଇଥିଲା ଏବଂ ଆଙ୍ଗୁଠି ଛାପ ଲିଭାଇବା ପାଇଁ ଦୁଇଟି ମୋବାଇଲକୁ ସରଫ୍ ପାଣିରେ ବୁଡ଼ାଇ ରଖାଯାଇଥିଲା। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍ ଅଳଙ୍କାର ଉଦ୍ଧାର କରିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL