ଭୁବନେଶ୍ୱର: ବର୍ଷା ଦିନେ ସାପ ଆତଙ୍କ। ଘାତକ ହେଉଛି ସର୍ପାଘାତ। ଦିନକରେ ରାଜ୍ୟରେ ସାପ କାମୁଡାରେ ୬ ଜଣଙ୍କର ଗଲା ଜୀବନ। ସୁନ୍ଦରଗଡ଼ରେ ୨ଟି ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଜଳେଶ୍ୱର ଏବଂ ଚାନ୍ଦବାଲିରେ ମଧ୍ୟ ସର୍ପାଘାତରେ ୨ ନାବାଳିକାଙ୍କର ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ଲାଠିକଟା ଥାନା ଅନ୍ତର୍ଗତ ହାତୀଓଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି । ସାପ କାମୁଡିବା ପରେ ଭାଇ-ଭଉଣୀ ଦୁଇ ଜଣ ଅଚେତ ହୋଇ ପଡିଥିଲେ । ପରିବାର ଲୋକ ଏ ସଂପର୍କରେ ଜାଣି ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା । ମେଡିକାଲରେ ଭାଇ-ଭଉଣୀଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର ।
ଟିକାୟତପାଲି ଥାନା ଅନ୍ତର୍ଗତ ତିଳେଇମାଲ ଗାଁର ଭୂୟାଁ ସାହିରେ ରାତିରେ ଘରେ ଶୋଇଥିବା ବେଳେ ଅଜା ଓ ନାତିଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି । ସର୍ପାଘାତ ପରେ ଉଭୟଙ୍କୁ ତୁରନ୍ତ ବଣାଇଁ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଅଜା ଓ ନାତିଙ୍କୁ ମୃତ ଘୋଷଣା କରିଥିଲେ ।
ସେହିପରି ବାଲେଶ୍ବରରେ ବନ୍ୟା ପରେ ସାପ ଆତଙ୍କ ଦେଖିବାକୁ ମିଳିଛି । ସାପ କାମୁଡାରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ମୃତକ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ବିଷ୍ଣୁପୁର ଗାଁର ଭଗବାନ ପ୍ରମାଣିକଙ୍କ ଝିଅ ନନ୍ଦିତା ପ୍ରମାଣିକ । ଘର ବାହାରେ ଶୋଇଥିବା ବେଳେ ନନ୍ଦିତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।




