ନେପାଳ: ନେପାଳରେ ଧ୍ବଂସାତ୍ମକ ଚିତ୍ର ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ନେପାଳ ପୋଲିସ ଶୁକ୍ରବାର ଏକ ଆଲର୍ଟ ଜାରି କରିଛି । ପୋଲିସ କହିଛି ଯେ, ତିବ୍ବତ ପଟେ ପୁଣିଥରେ ଜଳବନ୍ଧ ଭାଙ୍ଗିଥିବାର ସୂଚନା ମିଳିଛି । ଏନେଇ ପୋଲିସ ସୁରକ୍ଷାକର୍ମୀ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ କର୍ମୀ ଏବଂ ସାଧାରଣ ଲୋକଙ୍କୁ ତୁରନ୍ତ ସତର୍କ ରହିବାକୁ ଅନୁରୋଧ କରିଛି ।
ନେପାଳ ପୋଲିସ ସୋସିଆଲ ମିଡିଆ ପୋଷ୍ଟରେ କହିଛି ଯେ, ତିବ୍ବତୀୟ ଅଞ୍ଚଳରେ ଜଳବନ୍ଧ ଭାଙ୍ଗିବାର ସୂଚନା ପାଇଛି । ଏହାକୁ ଦୃଷ୍ଟିରେ ରଖି, ସମସ୍ତ ସୁରକ୍ଷା କର୍ମୀ, ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ସାମିଲ ଥିବା ବ୍ୟକ୍ତି ଏବଂ ସାଧାରଣ ନାଗରିକଙ୍କୁ ତୁରନ୍ତ ସତର୍କ ରହିବା ସହିତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ଏଥିସହିତ ପୋଲିସ ଏହି ବିପଦ ବିଷୟରେ ନିକଟବର୍ତ୍ତୀ ଲୋକମାନଙ୍କୁ ସୂଚନା ଦେବାକୁ ମଧ୍ୟ ଲୋକଙ୍କୁ ଅନୁରୋଧ କରିଛି ।
ଏଥିସହ ନେପାଳ ପୋଲିସ କହିଛି ଯେ, ରସୁୱା ଜିଲ୍ଲାରେ ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ଶୁକ୍ରବାର ୪୬୯ ରେ ପହଞ୍ଚିଛି । ୧୪୦୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ପ୍ରଭାବିତଙ୍କ ମଧ୍ୟରେ ବହୁ ସଂଖ୍ୟକ ବିଦେଶୀ ନାଗରିକ ଅଛନ୍ତି ଯେଉଁମାନେ ଟ୍ରେକିଂ, ଗାଇଡେଡ୍ ଟୁର୍ କିମ୍ବା ପବିତ୍ର ହିନ୍ଦୁ ମନ୍ଦିର ଦର୍ଶନ ପାଇଁ ଏହି ଅଞ୍ଚଳକୁ ଆସିଥିବା ଶ୍ରଦ୍ଧାଳୁ ଥିଲେ ।
ନେପାଳର ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କ ଅନୁଯାୟୀ, ୫୧୭ ଜଣ ବିଦେଶୀ ନାଗରିକଙ୍କ ସମେତ ୯୧୦ଜଣରୁ ଅଧିକ ଲୋକ ଏବେ ବି ନିଖୋଜ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ୫୦ ଜଣ ବିଦେଶୀ ନାଗରିମାନଙ୍କୁ ବିମାନରେ ସ୍ଥାନାନ୍ତର କରାଯାଇଛି । ନିଖୋଜଙ୍କ ମଧ୍ୟରେ ୧୧୩ ଜଣ ନେପାଳୀ ପର୍ଯ୍ୟଟକ, ୮୫ ଜଣ ସେନା ଏବଂ ପୋଲିସ କର୍ମଚାରୀ ଓ ରସୱା ଜିଲ୍ଲାର ୧୬୧ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି । ବିଭିନ୍ନ ଏଜେନ୍ସିରୁ ମିଳିଥିବା ସୂଚନାରେ ଏହି ବିଭେଦ ରିପୋର୍ଟିଂ ଏବଂ ଉଦ୍ଧାର କାର୍ଯ୍ୟ ମଧ୍ୟରେ ସମନ୍ବୟ କାରଣରୁ ହୋଇପାରେ ବୋଲି ଅଧିକାରୀମାନେ କହିଛନ୍ତି ।




