ଭୁବନେଶ୍ୱର : DGP-IGP ସମ୍ମିଳନୀ। ଫୋକସ୍ ରେ ଆଇନଶୃଙ୍ଖଳା । ଆଇନଶୃଙ୍ଖଳାରୁ ସାଇବର ଅପରାଧ, ମାଓ ଦମନ ପର୍ଯ୍ୟନ୍ତ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡିଛି । ପୋଲିସ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ DGP-IGP ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପୋଲିସକୁ ୧୦ ପରାମର୍ଶ ଦେଇଛନ୍ତି । ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ହେଉଥିବା ଏହି ସମ୍ମିଳନୀରେ ଓଡ଼ିଶାର ସାମଗ୍ରିକ ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣକୁ ନେଇ ବିସ୍ତୃତ ସମୀକ୍ଷା ହୋଇଛି।
ରାଜ୍ୟର ବିଭିନ୍ନ ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି, ସଙ୍ଗଠିତ ଅପରାଧ, ହତ୍ୟା, ଡକାୟତି, ନିଶା କାରବାର ଓ ଅନ୍ୟ ଗୁରୁତର ଅପରାଧ ରୋକିବା ପାଇଁ ପୁଲିସର ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଜିଲ୍ଲାୱାରୀ ଅପରାଧ ସ୍ଥିତି ସହ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ବିଶେଷ ଫୋକସ୍ ରଖାଯାଇଛି। ସେହିପରି ମହିଳାଙ୍କ ବିରୋଧରେ ଅପରାଧ, ନିଖୋଜ ଶିଶୁ, ମାନବ ଚାଲାଣ ଏବଂ ମହିଳା ଓ ଶିଶୁ ସମ୍ପର୍କିତ ମାମଲାର ତ୍ୱରିତ ତଦନ୍ତ ମଧ୍ୟ ଆଲୋଚନାର ଏକ ପ୍ରମୁଖ ବିଷୟ ରହିଛି। ଏଭଳି ମାମଲାରେ ତଦନ୍ତର ଗୁଣବତ୍ତା ବଢ଼ାଇବା ଓ ଦୋଷୀଙ୍କୁ ଶୀଘ୍ର ଦଣ୍ଡ ଦେବା ପାଇଁ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଛି।
ଏପଟେ ଅନଲାଇନ୍ ଠକେଇ, ଡିଜିଟାଲ୍ ଆରେଷ୍ଟ, ଆର୍ଥିକ ସାଇବର ଠକେଇ ଓ ସୋସିଆଲ୍ ମିଡିଆର ଅପବ୍ୟବହାର ଭଳି ନୂଆ ଧରଣର ଅପରାଧ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି। ସାଇବର ଥାନା ଓ ସାଇବର ତଦନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ତଦନ୍ତକାରୀ ଅଧିକାରୀଙ୍କୁ ଉନ୍ନତ ପ୍ରଶିକ୍ଷଣ ଏବଂ ଟେକ୍ନୋଲୋଜିର ଅଧିକ ବ୍ୟବହାର ଉପରେ ମଧ୍ୟ ଚର୍ଚ୍ଚା ହୋଇଛି। ସମ୍ମିଳନୀରେ ମାଓବାଦୀ ପ୍ରଭାବିତ ଓ ସୀମାନ୍ତ ଜିଲ୍ଲାର ସୁରକ୍ଷା ସ୍ଥିତି ମଧ୍ୟ ସମ୍ମିଳନୀର ଅନ୍ୟତମ ପ୍ରମୁଖ ଏଜେଣ୍ଡା ରହିଛି।
ମାଓବାଦୀଙ୍କ ବିରୋଧରେ ଅପରେସନ୍, ଗୁଇନ୍ଦା ସୂଚନାର ଆଦାନପ୍ରଦାନ ଏବଂ ପଡ଼ୋଶୀ ରାଜ୍ୟ ସହ ସମନ୍ୱୟକୁ ଆହୁରି ମଜଭୁତ କରିବା ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ସେହିପରି ଥାନା ସ୍ତରରେ ଲୋକଙ୍କୁ ଉନ୍ନତ ସେବା, ଅଭିଯୋଗର ତ୍ୱରିତ ସମାଧାନ, ପୁଲିସର ବ୍ୟବହାର ଏବଂ ସାଧାରଣ ଲୋକଙ୍କ ସହ ପୁଲିସର ସମ୍ପର୍କକୁ ଅଧିକ ଭରସାଯୋଗ୍ୟ କରିବା ଉପରେ ମଧ୍ୟ ଫୋକସ୍ ରହିଛି।
CCTV, ଡିଜିଟାଲ୍ ପୁଲିସିଂ, ଡାଟା ଆନାଲିସିସ୍ ଓ ଅନ୍ୟ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ବଢ଼ାଇବା ମଧ୍ୟ ଆଲୋଚନାରେ ସ୍ଥାନ ପାଇଛି । ଏହାସହ ଟ୍ରାଫିକ୍ ପରିଚାଳନା, ସଡ଼କ ସୁରକ୍ଷା, ନିଶାଦ୍ରବ୍ୟ ଚୋରାଚାଲାଣ, ସଙ୍ଗଠିତ ଅପରାଧ, ପୁଲିସ ବାହିନୀର ଆଧୁନିକୀକରଣ, ଖାଲି ପଦବୀ ପୂରଣ, ପ୍ରଶିକ୍ଷଣ ଓ ପୁଲିସ କର୍ମଚାରୀଙ୍କ କଲ୍ୟାଣ ଭଳି ପ୍ରସଙ୍ଗ ମଧ୍ୟ ରାଜ୍ୟସ୍ତରୀୟ ସମ୍ମିଳନୀରେ ଆଲୋଚନା ହୋଇଛି । ସାମଗ୍ରିକ ଭାବେ ଅପରାଧ ପ୍ରତି ଜିରୋ ଟଲରାନ୍ସ, ତ୍ୱରିତ ତଦନ୍ତ, ଆଧୁନିକ ପୁଲିସିଂ ଏବଂ ଲୋକଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ପୁଲିସ ବ୍ୟବସ୍ଥା ଦିଗରେ ଆଗାମୀ ରଣନୀତି ଏହି ସମ୍ମିଳନୀର ମୁଖ୍ୟ ଫୋକସ୍ ରହିଥିବା ଜଣାପଡିଛି।







