ଓଡ଼ିଶା

ଏକା ଦିନେ ଓପିଏସ୍‌ସିର ଦୁଇଟି ପରୀକ୍ଷା ; ଦ୍ବନ୍ଦ୍ବରେ ପରୀକ୍ଷାର୍ଥୀ

ଭୁବନେଶ୍ବର : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌) ମୁଖ୍ୟ ପରୀକ୍ଷା ଏବଂ ଓଡ଼ିଶା ଏଗ୍ରିକଲଚର ଇଞ୍ଜିନିୟରିଂ ସର୍ଭିସ୍‌ (ଓଏଇଏସ୍‌)ର ସହକାରୀ ଏଗ୍ରିକଲଚର୍‌ ଇଞ୍ଜିନିୟରିଂ ପଦ ପାଇଁ ପ୍ରିଲିମନାରୀ ପରୀକ୍ଷା ଗୋଟିଏ ଦିନରେ ରହିଛି। ନଭେମ୍ବର ୧ରେ ଓସିଏସ୍‌ ମୁଖ୍ୟ ପରୀକ୍ଷା ଏବଂ ସହକାରୀ ଏଗ୍ରିକଲଚର ଇଞ୍ଜିନିୟରିଂ ପ୍ରିଲିମନାରୀ ପରୀକ୍ଷା ଅଛି। ଗୋଟିଏ ଦିନରେ ଦୁଇଟି ନିଯୁକ୍ତି ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।
ଓସିଏସ୍‌ ମୁଖ୍ୟ ପରୀକ୍ଷା ଅକ୍ଟୋବର ୨୯ରୁ ଆରମ୍ଭ ହୋଇ ନଭେମ୍ବର ୭ ପର୍ଯ୍ୟନ୍ତ ଚାଲିବ। ଏହାରି ଭିତରେ ବିଷୟବସ୍ତୁ ଅନୁସାରେ ଓସିଏସ୍‌ ପରୀକ୍ଷାର୍ଥୀ ମୁଖ୍ୟ ପରୀକ୍ଷା ଦେବେ। ସେହିପରି ସହକାରୀ ଏଗ୍ରିକଲଚର ଇଞ୍ଜିନିୟରିଂ ନିଯୁକ୍ତିର ପ୍ରିଲିମନାରୀ ପରୀକ୍ଷା ନଭେମ୍ବର ୧ରେ ରହିଛି। ଓସିଏସ୍‌ ମୁଖ୍ୟ ପରୀକ୍ଷା ଦେଉଥିବା ଅନେକ ପରୀକ୍ଷାର୍ଥୀ ସହକାରୀ ଏଗ୍ରିକଲଚର ଇଞ୍ଜିନିୟରିଂ ପଦ ପାଇଁ ଫର୍ମ ଆବେଦନ କରିଛନ୍ତି। କିନ୍ତୁ, ଗୋଟିଏ ଦିନରେ ଦୁଇଟି ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀ କେଉଁ ପରୀକ୍ଷା ଦେବେ ଏବଂ କାହାକୁ ଛାଡ଼ିବେ, ତାକୁ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି।

ଓସିଏସ୍‌ ‘ଏ’ ବର୍ଗ ପଦ ହୋଇଥିବା ବେଳେ ସହକାରୀ ଏଗ୍ରିକଲଚର ଇଞ୍ଜିନିୟରିଂ ‘ବି’ ବର୍ଗ ପଦ। ନିଯୁକ୍ତି କ୍ଷେତ୍ରରେ ଦେଖିଲେ ଦୁଇଟି ପଦ ଅତି ଗୁରୁତ୍ବପୂର୍ଣ୍ଣ। ଏଗ୍ରିକଲଚର୍‌ରେ ଇଞ୍ଜିନିୟରିଂ କରିଥିବା ଅନେକ ଛାତ୍ରଛାତ୍ରୀ ଓସିଏସ୍‌ ମୁଖ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଜଣେ ଅଭିଭାବକ କହିଛନ୍ତି, ଓସିଏସ୍‌ ମୁଖ୍ୟ ପରୀକ୍ଷା ଏବଂ ସହକାରୀ ଏଗ୍ରିକଲଚର ଇଞ୍ଜିନିୟରିଂ ପ୍ରିଲିମନାରୀ ପରୀକ୍ଷା ମଧ୍ୟରେ ଅତି କମ୍‌ରେ ୧୫ଦିନ ବ୍ୟବଧାନ ରହିବା ଦରକାର। ଏହାଦ୍ବାରା ଜଣେ ପରୀକ୍ଷାର୍ଥୀ ଉଭୟ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବ। ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL