ନୂଆଦିଲ୍ଲୀ: ଦେଶର ହୃଦୟ ଜିତିଲା ରମାବାଇଙ୍କ ସଂଘର୍ଷ । ଝିଅଙ୍କ ପାଠପଢ଼ା ପାଇଁ ଖାଲି ପାଦରେ ଦୌଡ଼ିଲେ ରମାବାଇ । ସହାୟତାର ହାତ ବଢ଼ାଇଲା ସାରା ଦେଶ । ଶାଢ଼ି ପିନ୍ଧି ଖାଲି ପାଦରେ ଦୌଡ଼ିଥିବା ଜଣେ ୪୭ ବର୍ଷୀୟା ବିଧବା ମହିଳାଙ୍କ ସଂଘର୍ଷ ଏବେ ସାରା ଦେଶର ହୃଦୟ ଜିଣିଛି । ଝିଅମାନଙ୍କ ପାଠପଢ଼ା ସାମଗ୍ରୀ କିଣିବା ପାଇଁ ୩ ହଜାର ଟଙ୍କାର ପୁରସ୍କାର ଜିତିବାକୁ ଦୌଡ଼ିଥିବା ରମାବାଇ ରଣବୀରଙ୍କ ଜୀବନ ମାତ୍ର ସପ୍ତାହକ ମଧ୍ୟରେ ବଦଳିଯାଇଛି । ମହାରାଷ୍ଟ୍ରର ବିଡ୍ ଜିଲ୍ଲା ଅନ୍ତର୍ଗତ ଅମ୍ବେଜୋଗାଇରେ ରହନ୍ତି ରମାବାଇ । ଦୁଇ ଝିଅଙ୍କ ମା’ ରମାବାଇ ଲୋକଙ୍କ ଘରେ ରୋଷେଇ ଓ ଘରକାମ କରି ମାସକୁ ପ୍ରାୟ ୯ ହଜାର ଟଙ୍କା ରୋଜଗାର କରନ୍ତି । ସ୍ୱାମୀଙ୍କ ଅନୁପସ୍ଥିତିରେ ଏହି ସ୍ୱଳ୍ପ ଆୟରେ ପରିବାର ଚଳାଇବା ସହ ଝିଅମାନଙ୍କୁ ପାଠ ପଢ଼ାଉଛନ୍ତି । ଅଗଷ୍ଟ ୨୯ରେ ଅମ୍ବେଜୋଗାଇସ୍ଥିତ ଭାରତୀୟ ଶିକ୍ଷଣ ପ୍ରସାରକ ସଂସ୍ଥାର ଖୋଲେଶ୍ୱର ଶିକ୍ଷା ପରିସର ପକ୍ଷରୁ ଏକ ଦୌଡ଼ ପ୍ରତିଯୋଗିତା ଆୟୋଜନ ହୋଇଥିଲା ।
ବିଜେତାଙ୍କୁ ୩ ହଜାର ଟଙ୍କା ମିଳିବ ବୋଲି ଜାଣିବା ପରେ ରମାବାଇ ଏଥିରେ ଭାଗ ନେଇଥିଲେ । ସେହି ଟଙ୍କାରେ ଝିଅମାନଙ୍କ ପାଇଁ ପାଠପଢ଼ା ସାମଗ୍ରୀ କିଣିବା ଥିଲା ତାଙ୍କର ଲକ୍ଷ୍ୟ।ପାଦରେ ଜୋତା ନଥିଲା, ଦୌଡ଼ିବା ପାଇଁ ସ୍ୱତନ୍ତ୍ର ପୋଷାକ ମଧ୍ୟ ନଥିଲା । ଶାଢ଼ି ପିନ୍ଧି ଖାଲି ପାଦରେ ଟ୍ରାକ୍ କୁ ଓହ୍ଲାଇଥିଲେ ରମାବାଇ । ଝିଅମାନଙ୍କ ଭବିଷ୍ୟତ କଥା ଭାବି ସେ ନିଜର ସମସ୍ତ ଶକ୍ତି ଲଗାଇ ଦୌଡ଼ିଥିଲେ ଏବଂ ପ୍ରତିଯୋଗିତା ଜିତିଥିଲେ।ତାଙ୍କ ଦୌଡ଼ର ଭିଡିଓକୁ ରାହୁଲ ଦ୍ରାବିଡ଼ଙ୍କ ସମେତ ଅନେକ ବ୍ୟକ୍ତି ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ଭାଇରାଲ ହୋଇଥିଲା । ରମାବାଇଙ୍କ ସଂଘର୍ଷ ଓ ସାହସ ଦେଖି ଦେଶର ବିଭିନ୍ନ ସ୍ଥାନରୁ ଲୋକେ ସହାୟତାର ହାତ ବଢ଼ାଇଛନ୍ତି । ରମାବାଇଙ୍କ କହିବା ଅନୁସାରେ, ସଚିନ ତେନ୍ଦୁଲକରଙ୍କ ସହ ଜଡ଼ିତ ଏକ କମ୍ପାନୀ ତାଙ୍କୁ ଫୋନ୍ କରି ଜୋତାର ମାପ ପଚାରିଛି । ସଚିନ ତାଙ୍କୁ ଏକ ଯୋଡ଼ା ରନିଂ ସୁ ଉପହାର ଦେବାକୁ ଚାହୁଁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ବିଡ୍ ଜିଲ୍ଲାପାଳ ମଧ୍ୟ ରମାବାଇଙ୍କୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।
ଏହାସହ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକେ ଛୋଟବଡ଼ ଆର୍ଥିକ ସହାୟତା ପଠାଇଛନ୍ତି । ଇତିମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ସହାୟତା ଆସିଥିବା ରମାବାଇ କହିଛନ୍ତି । ବିଡ଼ମ୍ବନାର କଥା, ଏହା ପୂର୍ବରୁ ରମାବାଇଙ୍କର ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନଥିଲା । ଭାଇରାଲ ଭିଡିଓ ତାଙ୍କୁ କେବଳ ପରିଚୟ ଦେଇନାହିଁ, ଝିଅମାନଙ୍କ ଭବିଷ୍ୟତ ପାଇଁ ନୂଆ ଆଶା ମଧ୍ୟ ସୃଷ୍ଟି କରିଛି । ଅଭାବ ତାଙ୍କ ପାଦକୁ ଜୋତା ଦେଇପାରି ନଥିଲା, କିନ୍ତୁ ଝିଅଙ୍କ ପ୍ରତି ଜଣେ ମା’ର ଭଲପାଇବା ତାଙ୍କୁ ବିଜୟ ପର୍ଯ୍ୟନ୍ତ ଦୌଡ଼ାଇ ନେଇଥିଲା ।




